ଓଡ଼ିଶାଲାଇଭ୍ ବ୍ୟୁରୋ
(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ା ଜିଲ୍ଲାରେ ବିଶ୍ୱ ମିତବ୍ୟୟିତା ଦିବସ ପାଳିତ ହୋଇଛି। ଶୁକ୍ରବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆଡମ୍ବର ସହକାରେ ଏହି ଦିବସକୁ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶରତଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦିବସ ଉପଲେକ୍ଷ ପ୍ରସ୍ତୁତ ସଞ୍ଚୟ ରଥକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।
ଏହି ଅବସରରେ ପ୍ରଥମେ ସ୍ଥାନୀୟ ଜିଲ୍ଲା ସ୍ୱଳ୍ପ ସଞ୍ଚୟ ଅଧିକାରୀ ଧ୍ରୁବ କୁମାର ନାୟକ ଦିବସ ପାଳନର ତାତ୍ପର୍ଯ୍ୟ ଏବଂ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ।
“ସାମ୍ପ୍ରତିକ ସମାଜରେ ଯେପରି ଭାବରେ ଅପଚୟର ଏକ ସ୍ରୋତ ବଢିଚାଲିଛି ତାହାକୁ ରୋକିବାକୁ ହେଲେ ସଞ୍ଚୟର ଆବଶ୍ୟକତା ଜରୁରୀ। ତେଣୁ ଏହି ସଞ୍ଚୟ ସଚେତନତା ରଥ ମାଧ୍ୟମରେ ଏହି ବାର୍ତ୍ତାକୁ ସମାଜର ପ୍ରତିଟି କୋଣ ଓ ଅନୁକୋଣରେ ପହଞ୍ଚାଇ ପାରିଲେ ତାହା ନିଶ୍ଚିତ ଭାବରେ ଏକ ସୂଦୁର ପ୍ରସାରୀ ପ୍ରଭାବ ପଠାଇବ। ଏଥିସହ ଲୋକମାନେ ନିଜର କଷ୍ଟ ଅର୍ଜିତ ଧନକୁ ପୋଷ୍ଟ ଅଫିସ କିମ୍ବା ରାଷ୍ଟ୍ରାୟତ ବ୍ୟାଙ୍କରେ ଜମା ରଖିବା ସଙ୍ଗେ ସଙ୍ଗେ ଚିଟଫଣ୍ଡ ଭଳି କମ୍ପାନିମାନଙ୍କଠାରୁ ସତର୍କ ରହିବା ଆବଶ୍ୟକ”, କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ଶରତଚନ୍ଦ୍ର ପଣ୍ଡା।
ଏହି କାର୍ଯ୍ୟକ୍ରମରେ ଡେପୁଟି କଲେକ୍ଟର ସୁବ୍ରତ ପାଣିଗ୍ରାହୀ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ଲିଡ୍ ଡିଷ୍ଟ୍ରିକ୍ ମ୍ୟାନେଜର ଧୀରେନ୍ଦ୍ର କୁମାର ବିହାରୀ, ଡିପିଏମୟୁ ସହ ନିର୍ଦ୍ଦେଶକ ଗୋଲକ ବିହାରୀ ଦଳେଇଙ୍କ ସମେତ ଅନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ।