ଓଡ଼ିଶାଲାଇଭ୍ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ସମଲେଶ୍ଵରୀ ଏକ୍ସପ୍ରେସ ଓ ମେଣ୍ଟେନାନ୍ସ ରେଳ ଇଞ୍ଜିନ ଦୁର୍ଘଟଣା ମାମଲାରେ ଦୀର୍ଘଦିନ ପରେ ରେଳ ମନ୍ତ୍ରାଳୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହି ଘଟଣାରେ ୨ ଜଣ ଷ୍ଟେସନ ମାଷ୍ଟରଙ୍କ ତ୍ରୁଟି ଥିବା ଦର୍ଶାଇ ପୂର୍ବତଟ ରେଳପଥ କର୍ତ୍ତୃପକ୍ଷ ଉଭୟଙ୍କୁ ବହିଷ୍କାର କରିଛନ୍ତି।

କାର୍ଯ୍ୟରେ ଅବହେଳା କରିଥିବାରୁ ରାୟଗଡ଼ା ରେଳ ଡିଭିଜନ୍ ଅନ୍ତର୍ଗତ କେଆର ରେଳ ଲାଇନରେ ସିଙ୍ଗାପୁର ଷ୍ଟେସନ ‘ଏ’ କ୍ୟାବିନର ଷ୍ଟେସନ ମାଷ୍ଟର ଜୟ ପ୍ରକାଶ ଓ କେଉଟଗୁଡ଼ା ଷ୍ଟେସନ ମାଷ୍ଟର ସଞ୍ଜୟ ଟପୋଙ୍କ ଉପରେ ପୂର୍ବରୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ଦୁହିଁଙ୍କୁ ସେତେବେଳେ ନିଲମ୍ବନ କରାଯାଇଥିବା ବେଳେ ଏବେ ଉଭୟଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି।

ଏହି ରେଳ ଦୁର୍ଘଟଣାରେ କ୍ରିସିଆନ୍ ଇଶ୍ୱର ରାଓଙ୍କୁ ନିଲମ୍ବିତ କରାଯାଇଥିଲା। ରେଳବାଇ ବେସାମରିକ ବିଭାଗର ନିରାପତ୍ତା ଆୟୁକ୍ତ ଆର୍. କେ. ଶର୍ମା ଏହି ଘଟଣାର ତଦନ୍ତ କରି ମନ୍ତ୍ରାଳୟକୁ ରିପୋର୍ଟ ଦେଇଥିଲେ। ଉକ୍ତ ରିପୋର୍ଟକୁ ଆଧାର କରି ଦୁଇ ଷ୍ଟେସନ ମାଷ୍ଟରଙ୍କୁ ବହିଷ୍କାର କରାଯାଇଥିବା ସୂଚନା ମିଳିଛି।୨୦୧୯ ଜୁନ ୨୫ ଅପରାହ୍ନରେ କେଉଟଗୁଡ଼ା-ସିଙ୍ଗାପୁର ରୋଡ୍ ଷ୍ଟେସନ ମଧ୍ୟସ୍ଥ ଅଙ୍ଗୁରୁ ଗ୍ରାମ ନିକଟରେ ସମଲେଶ୍ଵରୀ ଏକ୍ସପ୍ରେସ ଓ ବୈଦ୍ୟୁତିକ ମେଣ୍ଟେନାନ୍ସ ଇଞ୍ଜିନ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୩ ରେଳ କର୍ମଚାରୀଙ୍କ ମୃତ୍ୟୁ ହୋଇଥିଲା। ଏଥିସହ କିଛି କର୍ମଚାରୀ ଗୁରୁତର ଆହତ ହୋଇଥିଲେ।

ଘଟଣା ସମ୍ପର୍କରେ ଖବର ପାଇ ୱାଲଟର ଡିଭିଜନ ଡିଆର୍‌ଏମ୍ ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ସେଠାରେ ପ୍ରାଥମିକ ତଦନ୍ତ କରି କାର୍ଯ୍ୟରେ ଅବହେଳା କରିଥିବା କେଉଟଗୁଡ଼ା ଷ୍ଟେସନ ମାଷ୍ଟର ସଞ୍ଜୟ ଟପୋ, ସିଙ୍ଗାପୁର ଷ୍ଟେସନ ମାଷ୍ଟର ବି ପ୍ରଧାନ ଓ ସିଙ୍ଗାପୁର ଷ୍ଟେସନ ‘ଏ’ କ୍ୟାବିନ୍‌ ଷ୍ଟେସନ ମାଷ୍ଟର ଜୟ ପ୍ରକାଶଙ୍କୁ ନିଲମ୍ବିତ କରିଥିଲେ। ରେଳ ଦୁର୍ଘଟଣାକୁ ଗୁରୁତ୍ଵର ସହ ନେଇ ରେଳବାଇ କର୍ତ୍ତୁପକ୍ଷ ଉଚ୍ଚ ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।

ନିରାପତ୍ତା ଆୟୁକ୍ତ ଶ୍ରୀ ଶର୍ମାଙ୍କ ନେତୃତ୍ଵରେ ଗତବର୍ଷ ଜୁନ୍‌ ୨୮ରେ ଘଟଣାର ତଦନ୍ତ ଆରମ୍ଭ ହୋଇଥିଲା। ଶ୍ରୀ ଶର୍ମା ଓ ତଦନ୍ତକାରୀ ଟିମ୍ ଘଟଣାସ୍ଥଳରେ କେଉଟଗୁଡ଼ା ଓ ସିଙ୍ଗାପୁର ରେଳ ଷ୍ଟେସନର ୬୧ କର୍ମଚାରୀ ଓ ଅଧିକାରୀଙ୍କ ବୟାନ ରେକର୍ଡ କରିଥିଲେ। ୱାଲଟର ଡିଭିଜନର ଅତିରିକ୍ତ ଡିଆର୍‌ଏମ୍ ଅକ୍ଷୟ କୁମାର ସକ୍ସେନାଙ୍କ ନେତୃତ୍ଵରେ ଅନ୍ୟ ଏକ ୮ ଜଣିଆ ତଦନ୍ତ ଟିମ୍ କେଉଟଗୁଡ଼ା ଓ ସିଙ୍ଗାପୁରରୋଡ୍ ଷ୍ଟେସନରେ ତଦନ୍ତ କରିଥିଲେ।

Comment