ଓଡ଼ିଶାଲାଇଭ୍ ବ୍ୟୁରୋ
ବିହାରରେ ଚାଲିଛି ଦ୍ୱିତୀୟ ପର୍ଯ୍ୟାୟ ମତଦାନ। ସକାଳ ୭ଟାରୁ କରୋନା କଟକଣା ମଧ୍ୟରେ ଭୋଟରମାନେ ନିଜର ମତଦାନର ଅଧିକାର ସାବ୍ୟସ୍ତ କରୁଛନ୍ତି। ୧୭ଟି ଜିଲ୍ଲାରୁ ମୋଟ ୯୪ଟି ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ଚାଲିଥିବା ବେଳେ ୧ ହଜାର ୪୬୩ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେଉଛି। ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତଥା ଆର୍ଜେଡିର ନେତା ତେଜସ୍ଵୀ ଯାଦବଙ୍କ ମଧ୍ୟ ଆଜି ଭାଗ୍ୟ ପରୀକ୍ଷା ରହିଛି।
ପ୍ରାର୍ଥୀମାନଙ୍କ ମଧ୍ୟରେ ୧ ହଜାର ୩୧୬ଜଣ ପୁରୁଷ ଏବଂ ୧୪୬ଜଣ ମହିଳା ରହିଛନ୍ତି। ଆରଜେଡି ୫୬ଟି ଆସନରେ ନିର୍ବାଚନ ଲଢୁଥିବାବେଳେ ବିଜେପି ୪୬ଟି ଏବଂ ଜେଡିୟୁ ୪୩ଟି ଆସନରେ ନିର୍ବାଚନ ଲଢୁଛି। ସେହିପରି କଂଗ୍ରେସ ୨୪ଟି ଏବଂ ଏଲଜେପି ୨୬ଟି ଆସନରେ ମଇଦାନ୍କୁ ଓହ୍ଲାଇଛି।
ଦ୍ୱିତୀୟ ପର୍ଯ୍ୟାୟରେ ପାଟନାର ୭ଟି, ଭାଗଲପୁରର ୫ଟି, ଖଗଡିଆର ୪ଟି, ପୂର୍ବ ଚମ୍ପାରନର ୩ଟି, ପଶ୍ଚିମ ଚମ୍ପାରନର ୩ଟି, ସମସ୍ତିପୁରର ୫ଟି, ବୈଶାଳୀର ୪ଟି, ଶିବହାରର ୩ଟି, ଶରନର ୧୦ଟି, ବେଗୁସରାଇର ୭ଟି, ଗୋପାଳଗଞ୍ଜର ୬ଟି, ଦରଭଙ୍ଗାର ୫ଟି, ସିଓ୍ଵାନର ୮ଟି, ମଧୁବନିର ୫ଟି, ସୀତାମାଢିର ୪ଟି, ମୁଜାଫରପୁରର ୫ଟି ଆସନରେ ଚାଲିଛି ନିର୍ବାଚନ।