ଓଡ଼ିଶାଲାଇଭ୍ ବ୍ୟୁରୋ

ଏଥର ଦୀପାବଳିରେ ଫୁଟିବନି ବାଣ। ଓଡ଼ିଶା ପରେ ଏବେ ଦିଲ୍ଲୀ ଓ ପଶ୍ଚିମବଙ୍ଗରେ ମଧ୍ୟ ବାଣ ଫୁଟାଇବାକୁ ନେଇ କଟକଣା ଜାରି କରାଯାଇଛି। କରୋନା କାଳରେ ବାଣ ଫୁଟିଲେ ଏହା ସ୍ୱାସ୍ଥ୍ୟ ତଥା ଶ୍ୱାସକ୍ରିୟା ପାଇଁ କ୍ଷତିକାରୀ ହୋଇପାରେ। ତେଣୁ ଏଥିପ୍ରତି ଧ୍ୟାନ ଦେଇ ଉଭୟ ଦିଲ୍ଲୀ ଓ ପଶ୍ଚିମବଙ୍ଗରେ ଏହି କଟକଣା ଜାରି କରାଯାଇଛି।

ଦିଲ୍ଲୀ ସରକାର ଏନେଇ ଆଜି ଏକ ବୈଠକ ଡକାଇଥିଲେ। ଯେଉଁଥିରେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହ ଜିଲ୍ଲାପାଳମାନେ ଉପସ୍ଥିତ ଥିଲେ। ଗତ କିଛି ଦିନ ଧରି ଦିଲ୍ଲୀରେ କରୋନା ସଂକ୍ରମଣ ବଢ଼ିଚାଲିଛି। ଏପରି ସ୍ଥିତିରେ ଦୀପାବଳିରେ ବାଣ ଫୁଟିଲେ ସ୍ଥିତି ଆହୁରି ବିଗିଡିବାର ସମ୍ଭାବନା ଅଛି। ତେଣୁ ଦୀପାବଳିରେ ଦିଲ୍ଲୀରେ କୌଣସି ବାଣ ଫୁଟିବ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି।

ଅନ୍ୟପଟେ ପଶ୍ଚିମବଙ୍ଗରେ ମଧ୍ୟ ସେହି ସମାନ ନୀତି ଆପଣାଯାଇଛି। ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ପଶ୍ଚିମବଙ୍ଗ ହାଇକୋର୍ଟ ଏନେଇ ନିର୍ଦ୍ଦେଶ ଜାରି କରିଛନ୍ତି। ରାଜ୍ୟରେ କରୋନା ସଂକ୍ରମଣ ଥମିନାହିଁ। ତେଣୁ ଏଥର ଦୀପାବଳିରେ ରାଜ୍ୟରେ ବାଣ ଫୁଟିପାରିବ ନାହିଁ ବୋଲି କୋର୍ଟ କହିଛନ୍ତି।

ଓଡ଼ିଶାରେ ବି ଫୁଟିବନି ବାଣ

କରୋନା କାଳରେ ବାଣ ଫୁଟାଇବାକୁ ନେଇ ଓଡ଼ିଶା ସରକାର ମଧ୍ୟ କଟକଣା ଜାରି କରାଯାଇଛି। ବାଣ ବିକ୍ରି କିମ୍ବା ଫୁଟାଇବାକୁ ରାଜ୍ୟ ସରକାର ମନା କରିଛନ୍ତି। କୋଭିଡ୍ ସଂକ୍ରମଣ ସମୟରେ ବାଣ ଫୁଟିଲେ ଶ୍ୱାସକ୍ରିୟାରେ ଅସୁବିଧା ସୃଷ୍ଟି ହୋଇପାରେ। ଯାହା ଦ୍ୱାରା ସ୍ଥିତି ଅଧିକ ବିଗିଡ଼ିପାରେ ବୋଲି ରାଜ୍ୟ ସରକାର କହିଥିଲେ।

 

Comment