ଓଡ଼ିଶାଲାଇଭ୍ ବ୍ୟୁରୋ

ବିହାର ନିର୍ବାଚନ ପ୍ରଚାରର ଶେଷ ଦିନରେ ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ନେତା ନୀତିଶ କୁମାର ସମସ୍ତଙ୍କୁ ଚକିତ କଲା ଭଳି ଏକ ଘୋଷଣା କରିଛନ୍ତି। ୨୦୨୦ ବିହାର ନିର୍ବାଚନ ତାଙ୍କ ଜୀବନର ଶେଷ ନିର୍ବାଚନ ହେବ ବୋଲି ଗୁରୁବାର ନୀତିଶ ଘୋଷଣା କରିଛନ୍ତି। ତାଙ୍କର ଏହି ଘୋଷଣା ପରେ ଏବେ ଏହାକୁ ନେଇ ରାଜନୈତିକ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। କେତେକ ଏହାକୁ ଅନୁକମ୍ପା ଭୋଟ୍ ହାତେଇବାର ପୁରୁଣା ତରିକା କହୁଥିବାବେଳେ, ଅନ୍ୟ କେତେକ ଏହାକୁ ନୀତିଶଙ୍କ ଶେଷ ନିର୍ବାଚନ ବୋଲି ଆଖ୍ୟା ଦେଇଛନ୍ତି।

ଅସଲ କଥା ହେଉଛି, ଏଥର ବିହାର ନିର୍ବାଚନରେ ନୀତିଶଙ୍କୁ କଡା ଟକ୍କରର ସମ୍ମୁଖୀନ ହେବାକୁ ପଡୁଛି। ଗୋଟିଏ ପଟେ ଆରଜେଡି ନେତା ତେଜସ୍ୱୀ ଯାଦବ ଥିବାବେଳେ ଅନ୍ୟପଟେ ରହିଛନ୍ତି ଏଲଜେପି ନେତା ଚିରାଗ ପାଶୱାନ। ଏହି ଦୁଇ ଯୁବ ନେତା ନୀତିଶଙ୍କୁ କଡା ଟକ୍କର ଦେବା ସହିତ ତାଙ୍କ ମୁଖ୍ୟମନ୍ତ୍ରୀ ହେବା ରାସ୍ତାରେ କଣ୍ଟା ସାଜିଛନ୍ତି। ତେଣୁ ନୀତିଶଙ୍କ ଏହି ଘୋଷଣା ତାଙ୍କୁ ଅନୁକମ୍ପା ଭୋଟ୍ ହାତେଇବାରେ ସାହାଯ୍ୟ କରିବ ବୋଲି ରାଜନୈତିକ ବିଶେଷଜ୍ଞମାନେ ଆକଳନ କରିଛନ୍ତି।ଏବର୍ଷ କରୋନା କାଳରେ ବିହାରରେ ବିଧାନସଭା ନିର୍ବାଚନ ହେଉଛି। ଯେଉଁଥିରେ ଜେଡିୟୁ ଓ ବିଜେପି ମେଣ୍ଟ ହେଉ ଲଢୁଥିବାବେଳେ ସେମାନଙ୍କୁ ଟକ୍କର ଦେଉଛି ତେଜସ୍ୱୀ ଯାଦବଙ୍କ ମହାମେଣ୍ଟ। ନୀତିଶ କୁମାର ଏନଡିଏ ମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ମଧ୍ୟ ଅଛନ୍ତି। ଯଦି ସେ ଏଥର ନିର୍ବାଚନ ଜିତିବେ ତେବେ ୨୦୨୫ ପର୍ଯ୍ୟନ୍ତ ବିହାର ମୁଖ୍ୟମନ୍ତ୍ରୀ ଆସନରେ ବସିବେ।

ନୀତିଶଙ୍କ ରାଜନୈତିକ କ୍ୟାରିୟର

୧୯୭୭ ମସିହାରେ ନୀତିଶ କୁମାର ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ିଥିଲେ। ସେ ସମୟରେ ସେ ନାଳନ୍ଦାର ହନନୌତରୁ ନିର୍ବାଚନ ଲଢ଼ିଥିଲେ। ଏଠାରୁ ସେ ମୋଟ ୪ ଥର ନିର୍ବାଚନ ଲଢ଼ିଥିଲେ। ତା ଭିତରୁ ସେ ୧୯୮୫ ଓ ୧୯୯୫ରେ ବିଜୟର ସ୍ୱାଦ ଚାଖିଥିବାବେଳେ ୧୯୭୭ ଓ ୧୯୮୦ରେ ପରାଜୟ ଭୋଗିଥିଲେ।

୨୦୦୪ ମସିହାରେ ସେ ଶେଷଥର ପାଇଁ ନିର୍ବାଚନ ଲଢ଼ିଥିଲେ। ଏହାପରେ ସେ କୌଣସି ନିର୍ବାଚନ ଲଢ଼ିନାହାନ୍ତି। ସେ ବିହାର ବିଧାନପରିଷଦକୁ ନିର୍ବାଚିତ ହେଉଥିବାବେଳେ ଗତ ୧୩ ବର୍ଷରୁ ଅଧିକ ସମୟ ଧରି ବିହାରର ମୁଖ୍ୟମନ୍ତ୍ରୀ ରହିଛନ୍ତି।

Comment