ଓଡ଼ିଶାଲାଇଭ୍ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ା ଜିଲ୍ଲାର ୭୨ତମ ଜିଲ୍ଲା ପରିଷଦ ବୈଠକ ଶନିବାର ସ୍ଥାନୀୟ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଜିଲ୍ଲାର ମୌଳିକ ସମସ୍ୟା ସହ ରାଜ୍ୟ ସରକାରଙ୍କ ଦ୍ଵାରା ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଲୋଚନା କରାଯାଇଛି। ଅପରପକ୍ଷେ ଜିଲ୍ଲାରେ ସାଂସଦ ପାଣ୍ଠି ଟଙ୍କାକୁ ସଠିକ୍ ରୂପେ ଖର୍ଚ୍ଚ କରାଯାଇନଥିବା ଅଭିଯୋଗ କରିଛନ୍ତି କୋରପୁଟ ଲୋକସଭା ସାଂସଦ ସପ୍ତଗିରି ଉଲାକା।

“ପୂର୍ବତନ ସାଂସଦ ନିଜ ପାଣ୍ଠିଟଙ୍କା ଖର୍ଚ୍ଚ ନକରି ପାରିଥିବାରୁ ୧୧କୋଟି ଟଙ୍କା ସରକାରଙ୍କ ନିକଟକୁ ଫେରିଯାଇଛି। ଜିଲ୍ଲାରେ ରେଳ ଯୋଗାଯୋଗକୁ ସୁଗମ କରିବାପାଇଁ ପ୍ରସ୍ତାବିତ ଗୁଣୁପୁର ଥେରୁବାଲି ଲାଇନ କାର୍ଯ୍ୟ ତ୍ୱାରାନ୍ୱିତ କରିବା ତଥା ଜିଲ୍ଲା ମୁଖ୍ୟାଳୟରେ କେନ୍ଦ୍ରୀୟ ଅନୁଦାନପ୍ରାପ୍ତ ମେଡିକାଲ କଲେଜ ପ୍ରତିଷ୍ଠା କରିବା ନେଇ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଅସଫଳ ହୋଇଛନ୍ତି। ତେଣୁ ଏଥି ନିମନ୍ତେ ତୁରନ୍ତ ପ୍ରଶାସନିକ ଓ ରାଜନୈତିକ ସ୍ତରରେ ଉଦ୍ୟମ କରଯିବା ଆବଶ୍ୟକ”, କହିଛନ୍ତି ସାଂସଦ ସପ୍ତଗିରି ଉଲାକା।ଏହି ବୈଠକରେ ଜିଲ୍ଲାର ଶିକ୍ଷା ବ୍ୟବସ୍ଥା ସମ୍ପର୍କରେ ଆଲୋଚନା ହୋଇଛି। ନେଟୱର୍କ ସମସ୍ୟା ପାଇଁ ୫୦ପ୍ରତିଶତରୁ ଉର୍ଦ୍ଧ୍ୱ ବିଦ୍ୟାର୍ଥୀଙ୍କ ନିକଟରେ ଅନଲାଇନ ଶିକ୍ଷା ବ୍ୟବସ୍ଥା ଅପହଞ୍ଚ ହୋଇଛି। ତେଣୁ ଗ୍ରାମାଞ୍ଚଳରେ ଶିକ୍ଷକମାନେ ଗାଁ ଗାଁ ବୁଲି ଶିକ୍ଷାର୍ଥୀଙ୍କୁ ପାଠ ପଢାଇବା ନେଇ ପରିଷଦ ସଦସ୍ୟାଙ୍କ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି। ଏଥିନେଇ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲା ଶିକ୍ଷାଧିକାରୀ ତାଙ୍କ ଉତ୍ତରରରେ ଦର୍ଶାଇଛନ୍ତି।

ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗଙ୍ଗାଧର ପୁଆଲାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଉଲାକା, ରାଜ୍ୟସଭା ସାଂସଦ ଏନ୍ ଭାସ୍କର ରାଓ, ବିଜୁସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପେଦେଷ୍ଟା ସୁଧିର ଦାଶ, ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି, ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗୋ, ରାୟଗଡ଼ା ଉପଜିଲ୍ଲାପାଳ ପ୍ରତାପଚନ୍ଦ୍ର ପ୍ରଧାନ, ଗୁଣୁପୁର ଉପଜିଲ୍ଲାପାଳ ଜେ ସୋନଲଙ୍କ ସମେତ ଜିଲ୍ଲାର ଅନ୍ୟ ସମସ୍ତ ଅଧିକାରୀ ପ୍ରମୁଖ ଉପସ୍ଥିତ ରହିଥିଲେ।

Comment