ଓଡ଼ିଶାଲାଇଭ୍ ବ୍ୟୁରୋ

  • ସ୍ଵଚ୍ଛ ବଜାର ଲାଗି ପ୍ରତି ଶନିବାର ଏଭଳି କାର୍ଯ୍ୟକ୍ରମ ଆୟୋଜନ ପାଇଁ ଲକ୍ଷ୍ୟ
  • ସଚେତନତା ସାଙ୍ଗକୁ ସ୍ୱଚ୍ଛତା ପାଇଁ ଶ୍ରମ ଦାନ କଲେ ନିଗମ କର୍ମଚାରୀ

ରାଉରକେଲା ମହାନଗର ନିଗମ ପକ୍ଷରୁ ଆଜି ସ୍ଥାନୀୟ ଛେଣ୍ଡ କଲୋନୀ ସ୍ଥିତ ଭି.ଏସ.ଏସ. ମାର୍କେଟରେ ‘ଶନିବାର ସ୍ୱଚ୍ଛାଗ୍ରହ’ ନାମରେ ଏକ କ୍ୟାମ୍ପେନ ଆରମ୍ଭ ହୋଇଛି। ସ୍ଵଚ୍ଛ ସର୍ବେକ୍ଷଣ ଅନ୍ତର୍ଗତ ସ୍ଵଚ୍ଛ ବଜାର କାର୍ଯ୍ୟକ୍ରମ ଆଧାରରେ ଏହି ଅଭିଯାନ ଆରମ୍ଭ କରିଛି ମହାନଗର ନିଗମ। ସ୍ୱଚ୍ଛତା ଓ ସ୍ଵଚ୍ଛ ସର୍ବେକ୍ଷଣ-୨୦୨୧ ସମ୍ପର୍କରେ ବ୍ୟାପକ ଜନ ସଚେତନତା ସୃଷ୍ଟି କରିବା ସହ ବଜାର ଅଞ୍ଚଳରେ ସ୍ୱଚ୍ଛତା ବଜାୟ ରଖିବା ଲାଗି ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।ଏବେ ପ୍ରତି ଶନିବାର କାର୍ଯ୍ୟାଳୟ ବନ୍ଦ ରହୁଥିବାରୁ ସେହିଦିନ ମହାନଗର ନିଗମର ଅଧିକାରୀ ତଥା କର୍ମଚାରୀମାନେ ନିଜେ ସକାଳୁ ସକାଳୁ ଶ୍ରମଦାନ କରି ବଜାର ଅଞ୍ଚଳରେ ସଫେଇ କରିବେ। ଏଥିସହ ସ୍ୱଚ୍ଛତା ସମ୍ପର୍କରେ ଲୋକଙ୍କୁ ସଚେତନ କରାଇବେ ବୋଲି ଜଣାପଡ଼ିଛି।

ବିଶେଷକରି ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ବର୍ଜନ, ଓଦା ଓ ଶୁଖିଲା ଆବର୍ଜନାକୁ ଅଲଗା ଅଲଗା କରି ଦୁଇଟି ଡଷ୍ଟବିନରେ ରଖିବା, ନିଜ ଅଞ୍ଚଳକୁ ପରିଷ୍କାର ପରିଚ୍ଛନ୍ନ ରଖିବା, ଅଳିଆ ଆବର୍ଜନା ଇତ୍ୟାଦି ବାହାରେ ନ ପକାଇ ସଫେଇ କର୍ମଚାରୀଙ୍କୁ ପ୍ରଦାନ କରିବା, ସ୍ଵଚ୍ଛ ସର୍ବେକ୍ଷଣ-୨୦୨୧ରେ ଅଂଶଗ୍ରହଣ କରି ନିଜ ସ୍ମାର୍ଟ ଫୋନ୍‌ରେ ସ୍ୱଚ୍ଛତା ଆପ୍ ଡାଉନଲୋଡ କରିବା ସହ ସ୍ୱଚ୍ଛତା ସମ୍ପର୍କିତ ସମସ୍ୟାର ସମାଧାନ ବିଷୟରେ ଜଣାଇବା ଆଦି ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଇବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ।ଆଜି ସକାଳୁ ସକାଳୁ ରାଉରକେଲା ମହାନଗର ନିଗମର ଉପାୟୁକ୍ତ ସୁଧାଂଶୁ କୁମାର ଭୋଇଙ୍କ ନେତୃତ୍ୱରେ ନିଗମର ବହୁ ଅଧିକାରୀ ତଥା କର୍ମଚାରୀମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ପ୍ରଥମେ ଭି.ଏସ.ଏସ ମାର୍କେଟରେ ଝାଡ଼ୁ ମାରି ସଫା କରିବା ସହ ମାର୍କେଟ ଭିତରେ ଥିବା ପାର୍କକୁ ବି ପରିଷ୍କାର କରିଥିଲେ। ପରେ ବିଭିନ୍ନ ଦୋକାନ ବୁଲି ଲୋକଙ୍କୁ ଲିଫ୍‌ଲେଟ ବଣ୍ଟନ କରିବା ସହ ସ୍ଵଚ୍ଛତା ସମ୍ପର୍କରେ ବୁଝାଇଥିଲେ। ଏଥିସହ ସଚେତନତାଧର୍ମୀ ପୋଷ୍ଟର ବି ମାରିଥିଲେ।ଆଗାମୀ ଦିନରେ ମହାନଗର ନିଗମ ପକ୍ଷରୁ ଏଭଳି ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ଜଣାପଡ଼ିଛି। ନିଗମର ଏଭଳି ପ୍ରୟାସକୁ ସ୍ଥାନୀୟ ଅଧିବାସୀ ତଥା ବ୍ୟବସାୟୀମାନେ ସ୍ୱାଗତ କରିବା ସହ ସେମାନେ ବି ଏଥର ନିଜ ବଜାରକୁ ଅଧିକ ସ୍ଵଚ୍ଛ ରଖିବା ଲାଗି ପଦକ୍ଷେପ ନେବେ ବୋଲି କହିଛନ୍ତି।

Comment