ଓଡ଼ିଶାଲାଇଭ୍ ବ୍ୟୁରୋ

ଆରଜେଡି ନେତା ତେଜସ୍ୱୀ ଯାଦବଙ୍କ ରାଜନୈତିକ କ୍ୟାରିୟର।
ବିହାର ନିର୍ବାଚନ ଫଳାଫଳ ବାହାରିବାକୁ ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା। କେଉଁ ନେତା ଏହି ରାଜ୍ୟର ମୁଖ୍ୟମନ୍ତ୍ରୀ ଆସନ ହାତେଇବ ତାହା ମଙ୍ଗଳବାର ହିଁ ସ୍ପଷ୍ଟ ହୋଇଯିବ। ତେବେ ଏହାପୂର୍ବରୁ ବୁଥ୍ ବାହୁଡ଼ା ମତକୁ ଦେଖିଲେ ମହାମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତଥା ଆରେଜେଡି ନେତା ତେଜସ୍ୱୀ ଯାଦବ ନିର୍ବାଚନରେ ଜିତାପଟ ହାସଲ କରିବେ ବୋଲି ଅନୁମାନ କରାଯାଉଛି। ଏପରି ହେଲେ ତେଜସ୍ୱୀ ବିହାରର ସର୍ବକନିଷ୍ଠ ଯୁବ ମୁଖ୍ୟମନ୍ତ୍ରୀ ହେବାର ଗୌରବ ଅର୍ଜନ କରିବେ।
ତେବେ ବିହାରର ମୁଖ୍ୟମନ୍ତ୍ରୀ ଆସନକୁ ଲକ୍ଷ୍ୟ ରଖିଥିବା ତେଜସ୍ୱୀ ଯାଦବ ରାଜନୀତିକୁ ଆସିବା ପୂର୍ବରୁ କ୍ରିକେଟ୍ ପ୍ରତି ବେଶ ରୁଚି ରଖିଥିଲେ। ସେ ଆଇପିଏଲ୍ ଦଳ ଦିଲ୍ଲୀ ଡେୟାରଡେଭିଲ୍ସରେ ମଧ୍ୟ ସାମିଲ ହୋଇଥିଲେ, କିନ୍ତୁ ଚୂଡ଼ାନ୍ତ ଏକାଦଶରେ କେବେ ବି ସାମିଲ ହୋଇପାରିନଥିଲେ। କ୍ରିକେଟ୍ ମଇଦାନରେ ଫେଲ୍ ମାରିଥିବା ତେଜସ୍ୱୀ ନିର୍ବାଚନ ମଇଦାନରେ କିନ୍ତୁ ନିଜର ଜଲୱା ଦେଖାଇଛନ୍ତି।
କ୍ରିକେଟର ତେଜସ୍ୱୀ ଯାଦବ
ଦିଲ୍ଲୀ ପବ୍ଲିକ୍ ସ୍କୁଲରେ ପାଠ ପଢୁଥିବା ତେଜସ୍ୱୀ ଯାଦବ ସ୍କୁଲ ଜୀବନରୁ ହିଁ କ୍ରିକେଟ୍ ପ୍ରତି ରୁଚି ରଖୁଥିଲେ। ମାତ୍ର ନବମ ଶ୍ରେଣୀ ଯାଏଁ ପାଠ ପଢ଼ିବା ପରେ ସେ ପାଠ ପଢ଼ା ଛାଡ଼ିଦେଇଥିଲେ। ହେଲେ କ୍ରିକେଟ୍ ସହ ତାଙ୍କର ସମ୍ପର୍କ ସେମିତି ଜାରି ରହିଥିଲା।
୨୦୦୮ ମସିହାରୁ ୨୦୧୨ ମସିହା ପର୍ଯ୍ୟନ୍ତ ତେଜସ୍ୱୀ ଯାଦବ ଆଇପିଏଲ୍ ଦଳ ଦିଲ୍ଲୀ ଡେୟାର ଡେଭିଲ୍ସରେ ରହିଥିଲେ। ସେ ସମୟରେ କିନ୍ତୁ ତାଙ୍କୁ କୌଣସି ମ୍ୟାଚ୍ ଖେଳିବାର ସୁଯୋଗ ମିଳିନଥିଲା।
ତେଜସ୍ୱୀ ଯାଦବଙ୍କୁ ପ୍ରଥମ ଥର ପାଇଁ ୨୦୦୯ ମସିହାରେ ଏକ ଫାଷ୍ଟ କ୍ଲାସ୍ ମ୍ୟାଚ୍ ଖେଳିବାକୁ ସୁଯୋଗ ମିଳିଥିଲା। ସେ ଝାଡ଼ଖଣ୍ଡ ଟିମ୍ ପକ୍ଷରୁ ବିଦର୍ଭ ବିପକ୍ଷରେ ଏହି ମ୍ୟାଚ୍ ଖେଳିଥିଲେ। ଏହି ମ୍ୟାଚରେ ସେ ଦୁଇଟି ଇଂନିସରେ ଯଥାକ୍ରମେ ୧ ଓ ୧୯ ରନ୍ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲେ। କ୍ରିକେଟ୍ କ୍ୟାରିୟରରେ ତେଜସ୍ୱୀ ଯାଦବ ସେପରି କିଛି କରିସ୍ମା କରି ଦେଖାଇପାରିନଥିଲେ। ଯେଉଁ କାରଣରୁ ତାଙ୍କର କ୍ରିକେଟ୍ କ୍ୟାରିୟର ଶେଷ ହୋଇଯାଇଥିଲା।
ରାଜନୀତିରେ ତେଜସ୍ୱୀ
କ୍ରିକେଟ୍ ଖେଳୁଥିବା ସମୟରେ ୨୦୧୦ ମସିହାରେ ପ୍ରଥମ ଥର ପାଇଁ ତେଜସ୍ୱୀ ନିଜ ବାପା ଲାଲୁ ଯାଦବଙ୍କ ପାଇଁ ନିର୍ବାଚନ ପ୍ରଚାର କରିଥିଲେ। ଏହାପରେ ତାଙ୍କୁ ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି)ର ବିଭିନ୍ନ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥିଲା।
୨୦୧୫ ମସିହାରେ ତେଜସ୍ୱୀ ପ୍ରଥମ ଥର ପାଇଁ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଥିଲେ। ସେ ରଘୋପୁର ଆସନରୁ ନିର୍ବାଚନ ଲଢ଼ିଥିଲେ ଏବଂ ଏଥିରେ ବିଜୟୀ ମଧ୍ୟ ହୋଇଥିଲେ। ଏହି ନିର୍ବାଚନରେ ଆରେଜେଡି, ଜେଡିୟୁ ଓ କଂଗ୍ରେସର ମହାମେଣ୍ଟ ସରକାର ଗଢ଼ିଥିଲା। ଯାହାର ମୁଖ୍ୟମନ୍ତ୍ରୀ ହୋଇଥିଲେ ଜେଡିୟୁ ନେତା ନୀତିଶ କୁମାର ଏବଂ ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ତେଜସ୍ୱୀ ଯାଦବ।
୨୦୧୭ରେ କିନ୍ତୁ ମହାମେଣ୍ଟରେ ଫାଟ ହେବା ସହ ସରକାରରୁ ବାହାରି ଆସିଥିଲେ ନୀତିଶ କୁମାର। ଏହାପରେ ନୀତିଶ ବିଜେପି ସହ ମିଶି ବିହାରରେ ଏନଡିଏ ସରକାର ଗଢ଼ିଥିଲେ। ଯାହା ପରେ ବିହାର ବିଧାନସଭାରେ ବିରୋଧୀ ଦଳର ନେତା ହୋଇଥିଲେ ତେଜସ୍ୱୀ ଯାଦବ। ବିଧାନସଭାରେ ବିଭିନ୍ନ ପ୍ରସଙ୍ଗକୁ ନେଇ ତେଜସ୍ୱୀ ସବୁବେଳେ ସରକାରଙ୍କୁ ଟାର୍ଗେଟ କରୁଥିବା ଦେଖିବାକୁ ମିଳିଥିଲା। ବେରୋଜଗାରୀ, ଦରଦାମ ବୃଦ୍ଧି ଆଦିକୁ କେନ୍ଦ୍ର କରି ସେ ଲଗାତାର ନୀତିଶଙ୍କୁ ଘେରିଥିଲେ।
୨୦୨୦ ବିହାର ବିଧାନସଭା ନିର୍ବାଚନରେ କଂଗ୍ରେସ ଓ ଆରଜେଡି ମେଣ୍ଟ ନିର୍ବାଚନ ଲଢିଥିଲା। ଯାହାର ମୁଖ୍ୟମନ୍ତ୍ରୀ ଚେହେରା ହୋଇଥିଲେ ତେଜସ୍ୱୀ ଯାଦବ। ଅନ୍ୟପଟେ ବିଜେପି ଓ ଜେଡିୟୁ ମେଣ୍ଟ ନୀତିଶ କୁମାରଙ୍କ ନେତୃତ୍ୱରେ ନିର୍ବାଚନକୁ ଓହ୍ଲାଇଥିଲା। ପ୍ରଥମ ପ୍ରଥମେ ବିହାରରେ ନିର୍ବାଚନୀ ହାୱା ନୀତିଶଙ୍କ ପଟକୁ ବୋହିବାକୁ ଲାଗିଥିଲା। ହେଲେ ତେଜସ୍ୱୀ ଯାଦବଙ୍କ ୧୦ ଲକ୍ଷ ସରକାରୀ ଚାକିରି ପ୍ରତିଶ୍ରତି ତାଙ୍କ ପାଇଁ ଲକି ସାବସ୍ତ୍ୟ ହୋଇଥିଲା। ବିହାରର ଅଧିକାଂଶ ଯୁବ ଭୋଟର ନୀତିଶଙ୍କ ବଦଳରେ ତେଜସ୍ୱୀ ଯାଦବଙ୍କ ପକ୍ଷରେ ଠିଆ ହୋଇଥିଲେ। ଯେଉଁ କାରଣରୁ ଏଥର ବିହାର ନିର୍ବାଚନରେ ତେଜସ୍ୱୀ ଯାଦବ ଜିତାପଟ ହାସଲ କରିବେ ବୋଲି ଏକଜିଟ୍ ପୋଲରୁ ଅନୁମାନ କରାଯାଉଛି।


















