ଓଡ଼ିଶାଲାଇଭ୍ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ାରେ ନୂତନ ଡିଆରଏମ କାର୍ଯ୍ୟାଳୟ ସ୍ଥାପନ ହୋଇପାରୁନାହିଁ। କରୋନା ମହାମାରୀ ଆଳରେ ଦିନ ପରେ ଦିନ ଗଡ଼ି ଚାଲିଛି। କିନ୍ତୁ ୧୬ମାସ ପୂର୍ବରୁ ରେଳ ମନ୍ତ୍ରାଳୟ ପକ୍ଷରୁ ହୋଇଥିବା ଏହି ଘୋଷଣା ଆଜିସୁଦ୍ଧା କାର୍ଯ୍ୟକାରୀ ହୋଇପାରୁ ନାହିଁ। ତେଣୁ କେନ୍ଦ୍ରୀୟ ବଜେଟରେ ଡିଭିଜନ କାର୍ଯ୍ୟକାରୀ ସକାଶେ ମୋଟ ୧୭୦କୋଟି ଟଙ୍କା ବ୍ୟୟ ବରାଦ ହୋଇଥିବାବେଳେ ଚଳିତ ବର୍ଷ ୩କୋଟି ଟଙ୍କା ଅନୁଦାନ ହୋଇଛି। କିନ୍ତୁ କାର୍ଯ୍ୟାଳୟ କାମ ଆଗେଇ ପାରୁନଥିବାରୁ ଏବେ ବିଭିନ୍ନ ମହଲରେ ଆଶଙ୍କା ପ୍ରକାଶ ପାଇଛି।ରାୟଗଡ଼ାରେ ୨୦୧୯ ସେପ୍ଟେମ୍ବରରେ ଡିଆରଏମ କାର୍ଯ୍ୟାଳୟ ପାଇଁ ଜାଗା ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ସ୍ଥାନ ପରିଦର୍ଶନ ନିମନ୍ତେ ବରିଷ୍ଠ ରେଳବାଇ ଅଧିକାରୀମାନେ ତୁହାକୁ ତୁହା ରାୟଗଡ଼ା ଗସ୍ତରେ ଆସି ଜାଗା ଚିହ୍ନଟ ଓ ଷ୍ଟେସନ ଉନ୍ନତିକରଣ ପ୍ରକ୍ରିୟା ଅନୁଧ୍ୟାନ କରିଥିଲେ। ରେଳ ଭିତ୍ତିତ୍ତୂମି ସମ୍ବନ୍ଧୀୟ କାର୍ଯ୍ୟ ତଦାରଖ କରିବା ପାଇଁ ପୂର୍ବତଟ ରେଳବାଇ ଜିଏମ ବିଦ୍ୟା ଭୂଷଣ ଓ ୱାଲ୍ଟିୟର ଡିଭିଜନ ଡିଆରଏମ ଅଧିକାରୀ ଚେତନ ଶ୍ରୀବାସ୍ତବ ରାୟଗଡ଼ା ଗସ୍ତରେ ଆସି ସମୀକ୍ଷା କରିଥିଲେ।ପରବର୍ତ୍ତୀ ପର୍ଯ୍ୟାୟରେ ୨୦୨୦ମାର୍ଚ୍ଚ ସୁଦ୍ଧା ଜାଗା ଚିହ୍ନଟ ତଥା ଡିଆରଏମ କାର୍ଯ୍ୟାଳୟ ନିର୍ମାଣ କାମ ଆରମ୍ଭ ହୋଇଯିବା ନେଇ ରେଳବାଇ ଅଧିକାରୀ ସ୍ପଷ୍ଟ କରିଥିଲେ। ତେବେ ଇତିମଧ୍ୟରେ ୮ମାସ ବିତିଯାଇଥିବାବେଳେ ଆଜିସୁଦ୍ଧା ଆଗେଇ ପାରୁନି ଡିଆରଏମ ନିର୍ମାଣ କାମ। ଅପରପକ୍ଷେ ମହାମାରୀ ସଂକ୍ରମଣ ଯୋଗୁଁ ସାରା ଦେଶରେ ଲକଡାଉନ ଓ ସଟଡାଉନ ଭଳି କଟକଣା ଲାଗୁ ହୋଇଥିବାବେଳେ ବର୍ତ୍ତମାନ ପରିପ୍ରେକ୍ଷୀରେ କଟକଣା କୋହଳ ହୋଇଥିବାରୁ ରେଳ ମନ୍ତ୍ରାଳୟ ତୁରନ୍ତ ଘୋଷଣାକୁ କାର୍ଯ୍ୟକାରୀ କରି ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି।

ରାଜ୍ୟର ଦକ୍ଷିଣାଞ୍ଚଳ ଜିଲ୍ଲା ଭାବେ ପରିଚୟ ଲଭିଥିବା ରାୟଗଡ଼ା ଜିଲ୍ଲାରେ ପ୍ରଚୁର ପ୍ରକୃତିକ ସମ୍ପଦ ଭରି ରହିଛି। ଶିଳ୍ପ ସମୃଦ୍ଧ ଜିଲ୍ଲାରେ ଜାତୀୟ ସ୍ତରୀୟ ଶିଳ୍ପ ପ୍ରତିଷ୍ଠାନ ଗଢି ଉଠିଥିବାବେଳେ ରେଳ ଯୋଗାଯୋଗ ଦୃଷ୍ଟି କୋଣରୁ ରାୟଗଡ଼ା ଆଜି ମଧ୍ୟ ପଛରେ ରହିଛି। ତେବେ ମହାମାରୀ କଟକଣା ଯୋଗୁ ରେଳ ଡିଭିଜନ କାର୍ଯ୍ୟକ୍ଷମ କାମ ବନ୍ଦ କରାଯାଇଥିବା ଶନିବାର ରାୟଗଡ଼ାରେ ଆୟୋଜିତ ଜିଲ୍ଲାସ୍ତରୀୟ କେନ୍ଦ୍ରୀୟ ଅନୁଦାନ ଯୋଜନା ସମୀକ୍ଷା ବୈଠକରେ ରାୟଗଡ଼ା ରେଳ ଷ୍ଟେସନ ପରିଚାଳକ ସୂଚନା ଦେଇଛନ୍ତି।

 

Comment