ଓଡ଼ିଶାଲାଇଭ୍ ବ୍ୟୁରୋ
ବିହାର ବିଧାନସଭା ନିର୍ବାଚନରେ ଆର୍ଜେଡି-କଂଗ୍ରେସ ମହାମେଣ୍ଟରୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଥିବା ତେଜସ୍ୱୀ ଯାଦବ ୩୧ ବର୍ଷ ବୟସରେ ପାଦ ଦେଇଛନ୍ତି। ସେ ତାଙ୍କ ପରିବାର ସହିତ ସୋମବାର ନିଜର ଜନ୍ମଦିନ ପାଳନ କରୁଥିବା ବେଳେ ନଭେମ୍ବର ୧୦ ଅର୍ଥାତ୍ ଆସନ୍ତାକାଲି ତାଙ୍କୁ ଜନ୍ମଦିନର ଉପହାର ଭାବେ ମୁଖ୍ୟମନ୍ତ୍ରୀ ମୁକୁଟ ମିଳିପାରେ ବୋଲି ସବୁଠି ଚର୍ଚ୍ଚା ଚାଲିଛି। ଯଦି ଏହା ହୁଏ ତେବେ ତେଜସ୍ୱୀ ଯାଦବ ସର୍ବ କନିଷ୍ଠ ମୁଖ୍ୟମନ୍ତ୍ରୀ ହେବାର ସୌଭାଗ୍ୟ ପାଇବେ।
ବିହାର ବିଧାନସଭା ପାଇଁ ଭୋଟ୍ ପ୍ରକ୍ରିୟା ସମାପ୍ତ ହେବା ପରେ ଏକଜିଟ୍ ପୋଲରେ ବିହାରର ମୁଖ୍ୟମନ୍ତ୍ରୀ ପଦ ପାଇଁ ତେଜସ୍ୱୀ ଯାଦବ ପ୍ରଥମ ପସନ୍ଦ ଭାବରେ ଉଭା ହୋଇଛନ୍ତି। ଇଣ୍ଡିଆ ଟୁଡେ, ଆକ୍ସିସ୍ ମାଇ ଇଣ୍ଡିଆ ଏକଜିଟ୍ ପୋଲରେ ୪୪ ପ୍ରତିଶତ ଲୋକ ତେଜସ୍ୱୀଙ୍କୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ବାଛିଛନ୍ତି। ଯଦି ଏକଜିଟ୍ ପୋଲର ଆକଳନ ଫଳାଫଳରେ ପରିଣତ ହୁଏ, ତେବେ ତେଜସ୍ୱୀ ଯାଦବ ମୁଖ୍ୟମନ୍ତ୍ରୀ ହେବା ନିଶ୍ଚିତ।
ବିଜୟ ହାସଲ ପାଇଁ କଡ଼ା ପରିଶ୍ରମ କରିଛନ୍ତି ତେଜସ୍ୱୀ
ବିଜୟ ହାସଲ ପାଇଁ ଏଥର କଡ଼ା ପରିଶ୍ରମ କରିଛନ୍ତି ତେଜସ୍ୱୀ ଯାଦବ। ସେ ସର୍ବମୋଟ ୨୫୧ଟି ନିର୍ବାଚନ ରାଲି କରିଥିଲେ। ତେଜସ୍ୱୀଙ୍କ ରାଲିରେ ପ୍ରବଳ ଜନସମାଗମ ଦେଖି ତାଙ୍କ ବିରୋଧୀମାନେ ମଧ୍ୟ ଚକିତ ହୋଇଥିଲେ। ଏଥିସହିତ ସେ ୧୯ଟି ସଭା ମଧ୍ୟ କରିଥିଲେ।
୨୦୧୫ରେ ଉପମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଥିଲେ ତେଜସ୍ୱୀ
୨୦୧୫ରେ ରାଧୋପୁର ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ କରିଥିଲେ ତେଜସ୍ୱୀ। ପ୍ରଥମ ନିର୍ବାଚନରେ ଜିତି ବିଧାନସଭାରେ ପହଞ୍ଚିବାରେ ସଫଳ ହୋଇଥିବା ତେଜସ୍ୱୀ ଯାଦବ ନୀତିଶ କୁମାରଙ୍କ ନେତୃତ୍ୱାଧୀନ ସରକାରରେ ମଧ୍ୟ ଉପମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଥିଲେ।
କ୍ରିକେଟରେ ବି ରହିଛି ଦକ୍ଷତା
ତେଜସ୍ୱୀ ଯାଦବ ଜଣେ ରାଜନେତା ସହିତ ଜଣେ କ୍ରିକେଟର ମଧ୍ୟ। ତେଜସ୍ୱୀ ଯାଦବ ଝାଡ଼ଖଣ୍ଡ ଟିମ୍ ସହ ଘରୋଇ କ୍ରିକେଟ୍ ଖେଳିଛନ୍ତି। ଏହା ବ୍ୟତୀତ ସେ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ର ଏକ ଅଂଶ ମଧ୍ୟ ରହିଛନ୍ତି। ୨୦୦୮, ୨୦୦୯, ୨୦୧୧ ଏବଂ ୨୦୧୨ ମସିହାରେ ତେଜସ୍ୱୀ ଦିଲ୍ଲୀ ଡେୟାରଡେଭିଲ୍ସ ସହିତ ଜଡିତ ଥିଲେ।


















