ଓଡ଼ିଶାଲାଇଭ୍ ବ୍ୟୁରୋ

ନିର୍ବାଚନ ଫଳାଫଳ ପରେ ବି ବିହାର ମୁଖ୍ୟମନ୍ତ୍ରୀ ହେବାକୁ ପ୍ଲାନ୍ ପ୍ରସ୍ତୁତ କରୁଛନ୍ତି ତେଜସ୍ୱୀ ଯାଦବ।

ବିହାର ନିର୍ବାଚନ ଫଳାଫଳ ବାହାରିସାରିଛି, ଯେଉଁଥିରେ ଏନଡିଏକୁ ସ୍ପଷ୍ଟ ବହୁମତ ମିଳିଛି। ହେଲେ ରାଜ୍ୟରେ ଏବେ କ୍ଷମତା ରାଜନୀତିର ଯୁଦ୍ଧ ଦେଖିବାକୁ ମିଳିବ ବୋଲି ଅନୁମାନ କରାଯାଉଛି। ଗୁରୁବାର ଆରଜେଡି ନେତା ତେଜସ୍ୱୀ ଯାଦବ ନିଜ ବିଧାୟକମାନଙ୍କ ସହ ବୈଠକ କରିବା ସହ ବିହାରରେ ମହାମେଣ୍ଟର ହିଁ ସରକାର ହେବ ବୋଲି ବିଶ୍ୱାସ ଦେଇଛନ୍ତି।

ମିଳିଥିବା ସୂଚନା ମୁତାବକ, ତେଜସ୍ୱୀ ଯାଦବ ଏବେ ଏନଡିଏ ମେଣ୍ଟର ଦୁଇଟି ଛୋଟ ଦଳ ଯଥା, ବିକାଶଶୀଳ ଇନସାନ୍ ପାର୍ଟି ଓ ହିନ୍ଦୁସ୍ଥାନ ଆବାମ ମୋର୍ଚ୍ଚା ଉପରେ ନଜର ରଖିଛନ୍ତି। ଏହି ଦୁଇ ପାର୍ଟିର ୮ ଜଣ ବିଧାୟକ ଏଥର ନିର୍ବାଚନରେ ବିଜୟୀ ହୋଇଛନ୍ତି। ତେଣୁ ଯେନତେନ ପ୍ରକାରେ ଏହି ଦୁଇ ପାର୍ଟିକୁ ମହାମେଣ୍ଟରେ ସାମିଲ କରିବାକୁ ତେଜସ୍ୱୀ ରଣନୀତି ପ୍ରସ୍ତୁତ କରୁଛନ୍ତି। ଏପରି ହେଲେ ମହାମେଣ୍ଟର ବିଧାୟକଙ୍କ ସଂଖ୍ୟା ୧୧୦ରୁ ବୃଦ୍ଧି ପାଇ ୧୧୮ ହୋଇଯିବ। ଏହାପରେ ଅସଉଦ୍ଦିନ ଔବୈସୀଙ୍କ ଏଆଇଏମ୍ଆଇଏମ୍ ପାର୍ଟିର ୫ ବିଧାୟକଙ୍କୁ ନେଇ ଦଳ ବିହାରରେ ସରକାର ଗଢ଼ିବ ବୋଲି କୁହାଯାଉଛି।

ବିହାର ରାଜନୀତିର ସଂଖ୍ୟା ଗଣିତ

ବିହାର ବିଧାନସଭାର ମୋଟ ସିଟ୍ ସଂଖ୍ୟା ହେଉଛି ୨୪୩ । ଯେଉଁ ମେଣ୍ଟ କିମ୍ବା ଦଳ ୧୨୨ ବିଧାୟକଙ୍କ ସମର୍ଥନ ଯୋଗାଡ଼ କରିପାରିବ ସେହି ମେଣ୍ଟ ସେଠାରେ ସରକାର ଗଢ଼ିପାରିବ। ଏପରି ସ୍ଥିତିରେ ମହାମେଣ୍ଟରେ ଯଦି ହିନ୍ଦୁସ୍ଥାନ ଆବାମ୍ ମୋର୍ଚ୍ଚା ଓ ବିକାଶଶୀଳ ଇନସାନ୍ ପାର୍ଟି ମିଶିଯାଆନ୍ତି ତେବେ ମେଣ୍ଟର ବିଧାୟକ ସଂଖ୍ୟା ୧୧୮ ହୋଇଯିବ। ଏପରି ସ୍ଥିତିରେ ଏନଡିଏ ମଧ୍ୟ ବହୁମତ ସଂଗ୍ରହ କରିବାରୁ ପଛରେ ପଡ଼ିଯିବ।

ଏହାପରେ ମହାମେଣ୍ଟ ଏଆଇଏମ୍ଆଇଏମର ୫ ନୂଆ ବିଧାୟକଙ୍କୁ ମିଶାଇ ୧୨୩ ସିଟ୍ ସହ ରାଜ୍ୟରେ ସରକାର ଗଠନ କରିବା ସମ୍ଭବ ହେବ ବୋଲି ଅନୁମାନ କରାଯାଉଛି।ମୁକେଶ ସହନୀଙ୍କୁ ଉପ-ମୁଖ୍ୟମନ୍ତ୍ରୀ ପଦ ଅଫର୍!

ଆରଜେଡିର ଏକ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ତେଜସ୍ୱୀ ଯାଦବ ବିକାଶଶୀଳ ଇନସାନ ପାର୍ଟିର ମୁଖ୍ୟ ମୁକେଶ ସହନୀଙ୍କୁ ଉପ ମୁଖ୍ୟମନ୍ତ୍ରୀ ପଦ ଦେବାକୁ ଅଫର୍ ଦେଇଛନ୍ତି। ଏଥିସହ ହିନ୍ଦୁସ୍ଥାନ ଆବାମ୍ ମୋର୍ଚ୍ଚାର ନେତା ଜୀତନ ରାମ ମାଂଝୀଙ୍କ ପାର୍ଟିକୁ ମଧ୍ୟ କ୍ୟାବିନେଟ୍ ମନ୍ତ୍ରୀ ପଦ ଦେବାକୁ କୁହାଯାଇଛି। ଯଦି ଏହି ଦୁଇ ନେତା ମହାମେଣ୍ଟକୁ ପୁଣି ଫେରନ୍ତି ତେବେ ତେଜସ୍ୱୀଙ୍କୁ ସରକାର ଗଢ଼ିବା ସହଜ ହୋଇଯିବ। ତେବେ ଏବେ ସୁଦ୍ଧା ଏହି ଦୁଇ ନେତାଙ୍କ ପକ୍ଷରୁ କୌଣସି ସୂଚନା ମିଳିପାରିନାହିଁ।କିଏ ଗଢ଼ିବ ସରକାର?

ବିହାର ନିର୍ବାଚନ ରେଜଲ୍ଟରେ ଏନଡିଏକୁ ସ୍ପଷ୍ଟ ବହୁମତ ମିଳିଛି। ଜେଡିୟୁ ନେତା ନୀତିଶ କୁମାର ମଧ୍ୟ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ସଜବାଜ ହେଲେଣି। ହେଲେ ତେଜସ୍ୱୀଙ୍କ ଏହି ଚାଲ୍ ଯଦି କାମ କରିଯାଏ, ତେବେ ନୀତିଶ ସପ୍ତମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାରୁ ବଞ୍ଚିତ ହୋଇପାରନ୍ତି। ତାଙ୍କ ମେଣ୍ଟ ବହୁମତଠାରୁ ପଛରେ ପଡ଼ିବା ସହି ମହାମେଣ୍ଟକୁ ସଂଖ୍ୟାଗରିଷ୍ଠତା ମିଳିଯିବ।

ଅନ୍ୟପଟେ ତେଜସ୍ୱୀ ଯାଦବ ଯଦି ବିହାରର ମୁଖ୍ୟମନ୍ତ୍ରୀ ହେବାର ଗୌରବ ଅର୍ଜନ କରନ୍ତି, ତେବେ ସେ ବିହାରର ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀ ହେବେ। ଏପରି ସ୍ଥିତିରେ କ୍ଷମତା ରାଜନୀତିର ପଶାପାଲି ଖେଳରେ କିଏ ଜିତୁଛି ତାହା ହିଁ ଦେଖିବା ବାକି ରହିଲା।

Comment