ଓଡ଼ିଶାଲାଇଭ୍ ବ୍ୟୁରୋ

(ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର): ନବରଙ୍ଗପୁର ଜିଲ୍ଲା ମିଡିଆ ୟୁନିୟନ ପକ୍ଷରୁ ସୋମବାର ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ ହୋଇଛି। ସ୍ଥାନୀୟ ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ୟୁନିୟନ ସଭାପତି ସୁଶାନ୍ତ କୁମାର ବେହେରାଙ୍କ ସଭାପତିତ୍ଵରେ ଏହି ଦିବସକୁ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

“ସାମ୍ପ୍ରତିକ ପରିସ୍ଥିତିରେ ସାମ୍ବାଦିକମାନଙ୍କ ଭୂମିକା ପ୍ରଶଂସନୀୟ। କରୋନା ମହାମାରୀ ସମୟରେ ସାମ୍ବାଦିକଟିଏ ନିଜର ଜୀବନ ଓ ପରିବାରକୁ ବିପଦରେ ପକାଇ କରୋନା ଭଳି ଏକ ପ୍ରତିକୂଳ ପରିସ୍ଥିତିରେ ଲୋକଙ୍କ ସୁବିଧା ଓ ଅସୁବିଧାଗୁଡିକ ବିଷୟରେ ସରକାଙ୍କ ଦୃଷ୍ଟି ଆକର୍ଷଣ କରୁଛି”, କହିଛନ୍ତି ମୁଖ୍ୟ ଅତିଥି ହଳଧର ନିଆଲ।ସରକାରଙ୍କ ଗାଇଡଲାଇନ ଆଳରେ ଚଳିତ ବର୍ଷ ଜିଲ୍ଲା ପ୍ରଶାସନ ତରଫରୁ ପ୍ରେସ ଦିବସକୁ ୱେବିନର ଜରିଆରେ ପାଳନ କରିଥିବା ଯୋଗୁଁ ନବରଙ୍ଗପୁର ଜିଲ୍ଲା ମିଡିଆ ୟୁନିୟନ ତରଫରୁ ଏହାକୁ ନିନ୍ଦା କରିବା ସହ ଏହି କାର୍ଯ୍ୟକ୍ରମକୁ ବର୍ଜନ କରଯାଇଛି। ସାମ୍ବାଦିକଙ୍କ ପ୍ରତି ଜିଲ୍ଲା ପ୍ରଶାସନ ଏବଂ ଲୋକ ପ୍ରତିନିଧିଙ୍କ ବୈମାତୃକ ମନୋଭାବକୁ ସଂଘ ଦୃଢ ନିନ୍ଦା କରିଛି।

ଏହି କାର୍ଯ୍ୟକ୍ରମରେ ରିପବ୍ଲିକ ଟିଭି ପ୍ରସଙ୍ଗରେ ସର୍ବୋଚ୍ଚ ଅଦାଲତ ବ୍ୟକ୍ତି ସ୍ୱାଧୀନତା ସମ୍ପର୍କରେ ଦେଇଥିବା ମନ୍ତବ୍ୟକୁ ଓୟୁଜେ ସ୍ୱାଗତ କରିଛି।ଏଥିସହିତ ଏହାର ଯଥାର୍ଥ ପ୍ରତିପାଳନ ରାଜ୍ୟମାନଙ୍କ ପାଇଁ ଲାଗୁ କରାଯିବା ଲାଗି ଓୟୁଜେ ଦାବି କରିଛି।  ସେହିପରି ସାମ୍ବାଦିକମାନଙ୍କ ଲାଗି ରାଜ୍ୟରେ ଘୋଷିତ ସବୁ ସୁବିଧା ସୁଯୋଗକୁ ସଠିକ ଭାବେ କାର୍ଯ୍ୟକାରୀ କରିବା, ସାମ୍ବାଦିକ ଉତ୍ପୀଡନ ପରିବର୍ତ୍ତେ ସାମ୍ବାଦିକ ସୁରକ୍ଷା ଲାଗି ତୁରନ୍ତ ଆଇନ ପ୍ରଣୟନ କରିବା, ଅବସରପରେ ଦୟନୀୟ ଜୀବନ କାଟୁଥିବା ସାମ୍ବାଦିକଙ୍କ ସାମାଜିକ ନିରାପତ୍ତା ପ୍ରତି ଦୃଷ୍ଟି ଦେଇ ପେନସନ ଯୋଜନା ତୁରନ୍ତ ଲାଗୁକରିବା ନେଇ ଓୟୁଜେ ଦାବି କରିବା ସହ ଏହି ପରିପ୍ରେକ୍ଷୀରେ ନବରଙ୍ଗପୁର ଉପଜିଲ୍ଲାପାଳ ଭାସ୍କର ରଇତଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି।ଏହି ବୈଠକରେ ପୂର୍ବତନ ସାମ୍ବାଦିକ ସ୍ଵର୍ଗତ ବସନ୍ତ ରଥଙ୍କ ସ୍ମୃତିଚାରଣରେ ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ଏହି ଅବସରରେ ମୁଖ୍ୟ ଅତିଥି ହଳଧର ନିଆଲଙ୍କୁ ପୁଷ୍ପମାଲ୍ୟ ଏବଂ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା। ଏହି ବୈଠକରେ ସଂଘର ସଭାପତି ସୁଶାନ୍ତ କୁମାର ବେହେରାଙ୍କ ସମେତ ଉପସଭାପତି କିଶୋର ପଟ୍ଟନାୟକ, ସମ୍ପାଦକ ପି ପ୍ରକାଶ, ଗୌରାଙ୍ଗ ପାତ୍ର, ଏ ସତୀଶ, ଶ୍ରୀଧର ପାତ୍ର, ଲକ୍ଷ୍ମୀକାନ୍ତ ପଣ୍ଡା, ନବ ବିଶୋଇ, ରାମ ଦଳାଇ, ରବି ପଟ୍ଟନାୟକ, ସିଏଚ ଈଶ୍ୱର, ବାବୁଲି ଗଣ୍ଡ, ଏସ ଏନ ପଟ୍ଟନାୟକ, ସୁମିତ ଘଣ୍ଟ, ଗୌତମ ଅଗ୍ରଵାଲା, ସ୍ଵପ୍ଣଜିତ ପଟ୍ଟନାୟକ, ଜନାର୍ଦ୍ଦନ ରାଓ, ନନ୍ଦ ବିଶୋଇ, ମଧୁ ସାହୁ, ସ୍ୱାଧୀନ ପଣ୍ଡା, ପ୍ରମୁଖ ଉପସ୍ଥିତ ଥିଲେ।

Comment