ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓୟୁଜେ ଅନୁବନ୍ଧିତ ନବରଙ୍ଗପୁର ଜିଲ୍ଲା ମିଡିଆ ୟୁନିୟନ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି। ସଂଘର ସଭାପତି ସୁଶାନ୍ତ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ର ଯୋଗ ଦେଇଥିଲେ। ସେହିପରି ବିଶିଷ୍ଟ ଅତିଥି ଭାବେ ନବରଙ୍ଗପୁର ଏସପି ନିତୀନ କୁଶଲକର ଓ  ସମ୍ମାନୀତ ଅତିଥି ଭାବେ ଜିଲ୍ଲା ସୂଚନା ଓ ଲୋକ ସଂମ୍ପର୍କ ଅଧିକାରୀ ହଳଧର ନିଆଲ ଯୋଗ ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ସମାଜସେବୀ ଜଗନ୍ନାଥ ମହାପାତ୍ର ଓ ବକ୍ତା ଭାବେ ପ୍ରଶାନ୍ତ ସାହୁ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ଅତିଥିମାନଙ୍କ ଦ୍ୱାରା ପ୍ରଦ୍ୱୀପ ପ୍ରଜ୍ୱଳନ ହୋଇଥିଲା। ପରେ କାର୍ଯ୍ୟକାରୀ ସଂପାଦକ ପି ପ୍ରକାଶ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଏହି ଅବସରରେ ବିଶିଷ୍ଟ ସମାଜସେବୀ ଜଗନ୍ନାଥ ମହାପାତ୍ରଙ୍କୁ ତାଙ୍କର ସମାଜସେବା କ୍ଷେତ୍ରରେ ରହିଥିବା ଅବଦାନ ପାଇଁ ଜାତୀୟ ସ୍ତରରେ ପୁରଷ୍କୃତ ହୋଇଥିବାରୁ ତାଙ୍କୁ ସଂଘ ପକ୍ଷରୁ ମାନପତ୍ର ଓ ଉତ୍ତରିୟ ପ୍ରଦାନ କରାଯାଇଥିଲା।

ସେହିଭଳି ଖବର କାଗଜ ବିକ୍ରେତା ଏସ ରମେଶଙ୍କୁ ସଂଘ ପକ୍ଷରୁ ସମ୍ବର୍ଦ୍ଧନା କରାଯାଇଥିଲା। ତାଙ୍କୁ ଜିଲ୍ଲାପାଳ ଏବଂ ଏସ ପି ମାନପତ୍ର ଓ ଉତରୀୟ ପ୍ରଦାନ କରିଥିଲେ। ମାନପତ୍ରକୁ ଜୟଶ୍ରୀ ଦାସ ପାଠ କରିଥିଲେ। ରମେଶ ଜିଲ୍ଲାରେ ଦୀର୍ଘ ୩୭ ବର୍ଷ ଧରି ବିଭିନ୍ନ ଭାଷାର ଖବର କାଗଜ ବିକ୍ରି କରି ଲୋକଙ୍କ ପାଖରେ ଖବର ପହଞ୍ଚାଇବାର ମାଧ୍ୟମ ସାଜି ପାରିଛନ୍ତି। ସେ ଦୈନିକ ୫୦ ଖଣ୍ଡ ଖବରକାଗଜରୁ ବିକ୍ରି ଆରମ୍ଭ କରି ବର୍ତ୍ତମାନ ୫୦୦୦ ପର୍ଯ୍ୟନ୍ତ ଖବର କାଗଜ ବିକ୍ରି କରୁଛନ୍ତି।

ଏହି ଅବସରରେ ବିଶିଷ୍ଟ ଅତିଥି ନବରଙ୍ଗପୁର ଏସପି ନିତୀନ କୁଶଲକର କହିଛନ୍ତି, “ସାମ୍ବାଦିକଙ୍କ ସୁରକ୍ଷା ପାଇଁ ପୋଲିସ ପ୍ରଶାସନ ସେବା ସଦା ସର୍ବଦା ରହିଛି। ଆଗାମି ଦିନରେ ପୋଲିସ ପ୍ରଶାସନ ଜିଲ୍ଲା ପ୍ରଶାସନ ଏବଂ ସାମ୍ବାଦିକ ସଂଘକୁ ନେଇ ଏକ କମିଟି ଗଠନ କରାଯାଇ ସାମ୍ବାଦିକ ଚିହ୍ନଟ ପ୍ରକ୍ରିୟା ଆରମ୍ଭ କରାଗଲେ ନକଲି ସାମ୍ବାଦିକଙ୍କ ଅଞ୍ଚଳରେ ଦୌରାତ୍ମ୍ୟ କମିଯିବ।“

ସଂଘ ସଭାପତି ତାଙ୍କ ବକ୍ତବ୍ୟରେ ସାମ୍ବଦିକମାନେ ନିର୍ଭିକ ଏବଂ ନିରପେକ୍ଷ ସମ୍ବାଦ ପରିବେଷଣ କରିବା ପାଇଁ ପରାମର୍ଶ ଦେବାସହ ସାମ୍ବାଦିକମାନଙ୍କ ସମସ୍ୟା ସମ୍ପର୍କରେ ଜିଲ୍ଲା ପ୍ରଶାସନ ତରଫରୁ ସରକାରଙ୍କୁ ଅବଗତ କରାଇବା ପାଇଁ ଅନୁରୋଧ କରିଥିଲେ।

ମୁଖ୍ୟ ଅତିଥି ଡକ୍ଟର ଅଜିତ ମିଶ୍ର ଗଣମାଧ୍ୟମ ତା’ର ଉତ୍ତର ଦାୟିତ୍ୱ ନିର୍ବାହ କରିଲେ ଏକ ସୁସ୍ଥ ସମାଜ ଏବଂ ରାଷ୍ଟ୍ର ଗଠନ କରିବାରେ ସହାୟକ ହେବ ବୋଲି କହିଥିଲେ। ଏହାସହ ସାମ୍ବାଦିକ ଓ ପ୍ରଶାସନ ମଧ୍ୟରେ ସବୁବେଳେ ସମନ୍ୱୟ ରହିପାରିବ। ସାମ୍ବାଦିକଙ୍କ ଦାବି ଅନୁଯାୟୀ ଆଗାମୀ ଦିନରେ ସାମ୍ବାଦିକ ଚିହ୍ନଟ ପ୍ରକ୍ରୀୟାକୁ ତ୍ୱରାନିତ କରାଯିବ ଏବଂ ଜିଲ୍ଲାରେ ଏକ ସାମ୍ବାଦିକ ଭବନ ନିର୍ମାଣ ପାଇଁ ଯଥା ସମ୍ଭବ ସାହାଯ୍ୟ କରିବା ପାଇଁ ସେ ପ୍ରତିଶ୍ରୁତି ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସଂଘର ଉପସଭାପତି କିଶୋର ପଟ୍ଟନାୟକ, ସଂପାଦକ ଶିବଶଙ୍କର ପାଢି, କୋଷାଧ୍ୟକ୍ଷ ଚିଦାନନ୍ଦ ସାହୁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବାରିଜ ପଟ୍ଟନାୟକ ଓ ରବି ନାରାୟଣ ପଟ୍ଟନାୟକ, ସଂଗଠନ ସଂପାଦକ ଲକ୍ଷ୍ନୀକାନ୍ତ ପଣ୍ଡା, ଫାଲୁଗୁନି ପାତ୍ର, ରାମ ଚନ୍ଦ୍ର ଦଳାଇ, ଏ ସତିଶ, ସୁକାନ୍ତ ରଥ, ଶ୍ରୀଧର ପାତ୍ର, ସ୍ୱାଧିନ ପଣ୍ଡା, ଗୌରାଙ୍ଗ ପାତ୍ର, ଅଜିତ ନାୟକ, ଇଶ୍ୱର ରାଓ ପ୍ରମୁଖ ସଭ୍ୟଙ୍କ ସମେତ ଜିଲ୍ଲାର ୧୦ ଟି ବ୍ଲକର କର୍ମକର୍ତ୍ତାମାନେ ଯୋଗଦେଇଥିଲେ।

Comment