ଓଡ଼ିଶାଲାଇଭ୍ ବ୍ୟୁରୋ

(ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର): ନବରଙ୍ଗପୁର ଜିଲ୍ଲାରେ ବାଲ୍ୟବିବାହ ନିରାକରଣ ସଚେତନତା ଅଭିଯାନର ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସଚେତନତା ରଥର  ଶୁଭାରମ୍ଭ  ହୋଇଛି। ବାଲ୍ୟବିବାହ, ଶିଶୁ ଅପରାଧ, ଘରୋଇ ହିଂସା ଓ ଲିଙ୍ଗଗତ ହିଂସା ସମ୍ପର୍କରେ ଲୋକଙ୍କୁ ସଚେତନ ଉଦ୍ଦେଶ୍ୟରେ ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ଗ୍ରାମରେ ଏହି ରଥ ପରିକ୍ରମା କରିବ। ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର ସବୁଜ ପତାକା ଦେଖାଇ ଏହି ସଚେତନତା ରଥର ପରିକ୍ରମା କାର୍ଯ୍ୟକୁ ଶୁଭାରମ୍ଭ କରିଥିଲେ।

ସଚେତନତା ଅଭାବରୁ  ବାଲ୍ୟ ବିବାହ ଭଳି ପ୍ରଥା ସମାଜରେ ରହିଛି। ଏହା ଦ୍ଵାରା ଶିଶୁ ମାନେ ନିଜ ମୌଳିକତା ହରାଉଛନ୍ତି। ପିତାମାତାମାନେ ପରମ୍ପରା  ନାମରେ ନାବାଳିକା ମାନଙ୍କୁ କମ୍ ବୟସରେ ବିବାହ କରାଇଦେଉଛନ୍ତି । ଫଳରେ ପାଠ ପଢିବା ବୟସରେ ନିଜ ଅଧିକାରରୁ ବଞ୍ଚିତ ହେବା  ସହିତ  ବିବାହ ଯୋଗ୍ୟ ବୟସ ପୂର୍ବରୁ ମାତୃତ୍ଵ ଲାଭ କରୁଛନ୍ତି।

ସମାଜରେ ମହିଳା ହିଂସାକୁ  ରୋକିବା ଓ ଶିଶୁଙ୍କ ସୁରକ୍ଷା, ଅଧିକାର  ଏବଂ ଶିକ୍ଷା  ଦିଗରେ ବ୍ୟାପକ ସଚେତନତା ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବୋଲି ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର କହିଛନ୍ତି।

ସମଗ୍ର  ନବରଙ୍ଗପୁର ଜିଲ୍ଲାକୁ ୨୦୩୦ ମସିହା ସୁଦ୍ଧା ବାଲ୍ୟବିବାହ ମୁକ୍ତ ଜିଲ୍ଲା ଭାବରେ ପରିଗଣିତ କରିବା ପାଇଁ ଅନ୍ଵେଷା ଅଭିଯାନ ମାଧ୍ୟମରେ ଜିଲ୍ଲା ସମାଜ କଲ୍ଯାଣ ବିଭାଗ, ଶିଶୁ ସୁରକ୍ଷା ୟୁନିଟ, ୟୁନିସେଫ ଓ ଆକ୍ସନଏଡ ସଂସ୍ଥାର ମିଳିତ ଆନୁକୂଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମ ପ୍ରସ୍ତୁତି କରାଯାଇ  ବାଲ୍ୟବିବାହ କୁ ବନ୍ଦ କରାଯାଇବା ନିମନ୍ତେ ପ୍ରୟାସ ଜାରି ରହିଛି।

ଯେଉଁ ସବୁ ଗ୍ରାମ ଗୁଡିକରେ ସଚେତନ  ରଥ  ପହଞ୍ଚିବ  ସେଠାରେ  ଆଶା କର୍ମୀ, ସ୍ଵୟଂସହାୟକ ଦଳର ସଭ୍ୟା, ନିର୍ବାଚିତ ପଞ୍ଚାୟତ ପ୍ରତିନିଧି, ସମସ୍ତ ଜାତିସମାଜ ମୁଖ୍ୟ, କିଶୋରୀ ବାଳିକା  ଓ ଗ୍ରାମର ଅନ୍ୟ ବ୍ୟକ୍ତି ମାନଙ୍କୁ ନେଇ ଅଙ୍ଗନବାଡି କର୍ମୀ ମାନେ ଏକ ସାଧାରଣ ସଚେତନ ବୈଠକ କରାଇବା ସହିତ “ବାଲ୍ୟ ବିବାହକୁ ନା କହିବା,ସ୍କୁଲ ଯିବାକୁ ହଁ କହିବା” ଶୀର୍ଷକ ଶପଥ କରାଇବେ। ପ୍ରଶାସନ ପକ୍ଷରୁ ସମସ୍ତ ଅଙ୍ଗନବାଡି କର୍ମୀଙ୍କୁ ଏନେଇ ନିର୍ଦ୍ଦେଶ ଦିଆଯାଇଥିବା ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ସ୍ଵର୍ଣ୍ଣଲତା ବିଶ୍ୱାସ ସୂଚନା ପ୍ରଦାନ କରିଥିଲେ।

ଜିଲ୍ଲା କାର୍ଯ୍ୟ।ଳୟ ପରିସର ମଧ୍ୟରେ ହୋଇ ଥିବା ଏହି ସଚେତନତା ରଥର ଉଦଘାଟନୀ ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ରତ୍ନାକର ସାହୁ, ଅଧୀକ୍ଷକ ଯନ୍ତ୍ରୀ  ଗ୍ରାମ୍ୟ ନିର୍ମାଣ ନବରଙ୍ଗପୁର ରାଜେନ୍ଦ୍ର ପ୍ରସାଦ ଆଚାର୍ଯ୍ୟ ଓ ଅନ୍ୟଅଧିକାର ମାନେ ଉପସ୍ଥିତ ଥିଲେ।

Tags: #Nabarangapur #childmarriage #domesticviolence #ChildRight

Comment