ଓଡ଼ିଶାଲାଇଭ୍ ବ୍ୟୁରୋ

ଦୀର୍ଘ ଦିନ ଧରି ଲାଗି ରହିଥିବା ହଲିଉଡ ଷ୍ଟାରଙ୍କ ମାନହାନି ଏବଂ ଘରୋଇ ହିଂସା ମାମଲାର ଶୁଣାଣି ହୋଇଛି। ହଲିଉଡ ଷ୍ଟାର ଜନି ଡେପ ଏବଂ ଆମ୍ବର ହର୍ଡଙ୍କ ମଧ୍ୟରେ ଲାଗିଥିବା ଆଇନଗତ ଲଢ଼େଇରେ ବିଜୟୀ ହୋଇଛନ୍ତି ଜନି। ଭିର୍ଜିନିଆର ଫେୟାରଫାକ୍ସ କୋର୍ଟ ଆମ୍ବର ହର୍ଡଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହା ସହ ଜନି ଡେପଙ୍କୁ ୧ ବିଲିୟନ ୧୬ କୋଟି ଟଙ୍କା କ୍ଷତିପୂରଣ ଦେବା ଲାଗି ଆମ୍ବରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଦୀର୍ଘ ଦିନ ହେଲା ଭିର୍ଜିନିଆର ଫେୟାରଫାକ୍ସ କୋର୍ଟରେ ଜନି ଡେପ ଏବଂ ଆମ୍ବର ହର୍ଡଙ୍କ ମଧ୍ୟରେ ମାନହାନି ଓ ଘରୋଇ ହିଂସା ମାମଲା ଚାଲିଥିଲା। ଏହି ମାମଲାରେ କୋର୍ଟ ଆମ୍ବରଙ୍କ ସହ ଜନିଙ୍କୁ ମଧ୍ୟ ମାନହାନିର କେତେକ ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ଜନି ଡେପଙ୍କୁ ୨ ମିଲିୟନ ଡଲାର କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାର ଅନ୍ତିମ ଫଇସଲା ଶୁଣାଇବା ପୂର୍ବରୁ ୭ ଜଣିଆ ଖଣ୍ଡପୀଠ ତିନି ଦିନ ଧରି ବିଚାରବିମର୍ଶ କରିଥିଲେ।

ପ୍ରାୟ ୬ ସପ୍ତାହ ଧରି ଭିର୍ଜିନିଆର ଫେୟାରଫାକ୍ସ କୋର୍ଟର ୭ ଜଣିଆ ଖଣ୍ଡପୀଠ ଦୁଇ ବଲିଉଡ ସେଲିବ୍ରିଟିଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦର ଶୁଣାଣି କରି ଆସୁଥିଲେ। ଗୁରୁବାର ରାୟ ଜନିଙ୍କ ସମକ୍ଷରେ ଯାଇଥିବାରୁ ସେ ଏହି ରାୟରେ ଅତ୍ୟନ୍ତ ଖୁସି ଥିବା କହିଛନ୍ତି।

ଘରୋଇ ହିଂସାକୁ ନେଇ ସ୍ଵାମୀ ଜନି ଡେପଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ପୂର୍ବତନ ପତ୍ନୀ ଆମ୍ବର। ଆମ୍ବର ମିଥ୍ୟା ଅଭିଯୋଗ କରିଥିବା ଦର୍ଶାଇ ଜନି କୋର୍ଟରେ ୫୦ ନିୟୁତ ଡଲାରର ଏକ ମାନହାନି ମାମଲା ରୁଜୁ କରିଥିଲେ। ଏହା ପ୍ରତିବାଦରେ ନିଜକୁ ନ୍ୟାୟ ଦେବା ଲାଗି ଆମ୍ବର ମଧ୍ୟ ୧୦୦ ନିୟୁତ ଡଲାରର କ୍ଷତିପୂରଣ ନେଇ ମାମଲା ରୁଜୁ କରିଥିଲେ।

କେମିତି ହୋଇଥିଲା ବିବାଦର ଆରମ୍ଭ

ଜନି ଡେପ ଏବଂ ଆମ୍ବର ହର୍ଡଙ୍କ ମଧ୍ୟରେ ଚାଲିଥିବା ବିବାଦ ସମ୍ପର୍କରେ ୨୦୧୮ ମସିହାରେ ଜଣାପଡ଼ିଥିଲା। ଆମ୍ବରଙ୍କର ଏକ ବିବାଦୀୟ ଲେଖା ପ୍ରକାଶିତ ହେବା ପରେ ଏହି ହାଇପ୍ରୋଫାଇଲ ଆଇନଗତ ଲଢ଼େଇ ସମ୍ପର୍କରେ ଦୁନିଆ ଜଣିଥିଲା। ଜନି ଡେପଙ୍କ ପୂର୍ବତନ ପତ୍ନୀ ଆମ୍ବର ୨୦୧୮ ମସିହାରେ ନିଜେ ଘରୋଇ ହିଂସାର ଶିକାର ହୋଇଥିବା ନେଇ ଏକ ଲେଖା ଖବରକାଗଜରେ ପ୍ରକାଶ କରିଥିଲେ। ଏହି ଲେଖା ପ୍ରକାଶିକ ହେବା ପରେ ଜନି ଡେପ ଆମ୍ବରଙ୍କ ବିରୋଧରେ ମାନହାନି ମାମଲା ରୁଜୁ କରିଥିଲେ।

୨୦୧୭ରେ ଅଲଗା ହୋଇଥିଲେ ଜନି-ଆମ୍ବର

ସେଲିବ୍ରିଟି କପଲ ଜନି ଡେପ ଏବଂ ଆମ୍ବର ହର୍ଡଙ୍କ ମଧ୍ୟରେ ଚାଲିଥିବା ଆଇନଗତ ଲଢ଼େଇ ସମୟରେ ସେମାନଙ୍କ ଜୀବନରେ ଅନେକ ଅଜଣା କଥା ସାମ୍ନାକୁ ଆସିଥିଲା। ଜନି ଡେପ ଏବଂ ଆମ୍ବର ହର୍ଡ ୨୦୧୫ ମସିହାରେ ବିବାହ କରିଥିଲେ। ଏହି ଦୁଇ ହଲିଉଡ ଷ୍ଟାରଙ୍କ ବିବାହ ଦୀର୍ଘ ଦିନ ପର୍ଯ୍ୟନ୍ତ ଚାଲିଲା ନାହିଁ। ବିବାହର ମାତ୍ର ଦୁଇ ବର୍ଷ ମଧ୍ୟରେ ୨୦୧୭ ମସିହାରେ ପରସ୍ପରଠାରୁ ଅଲଗା ହୋଇଯାଇଥିଲେ ଏହି ଷ୍ଟାର କପୁଲ। ଦୁଇ ବର୍ଷ ଅଲଗା ହୋଇରହିବା ପରେ ଖବର କାଗଜରେ ବିବାଦୀୟ ଲେଖା ପ୍ରକାଶ କରିବା ପରେ ଉଭୟଙ୍କ ମଧ୍ୟରେ ତିକ୍ତତା ଆହୁରି ବଢ଼ିଥିଲା।

Tags: #HollywoodCouple #StarCouple #JohnnyDep #AmberHard #Case

Comment