ଓଡ଼ିଶାଲାଇଭ୍ ବ୍ୟୁରୋ

ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ବିହାରର ନୂଆ ଶିକ୍ଷାମନ୍ତ୍ରୀ ମେବାଲାଲ ଚୌଧୁରୀ। ତାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିବା ପରେ ସେ ରାଜ୍ୟପାଳ ଫଗୁ ଚୌହାନଙ୍କ ପାଖକୁ ନିଜ ଇସ୍ତଫା ପତ୍ର ପଠାଇଦେଇଛନ୍ତି।

ଗତ କିଛି ଦିନ ତଳେ ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଜେଡିୟୁ ନେତା ନୀତିଶ କୁମାର। ଏହି ସମୟରେ ମେବାଲାଲ ମଧ୍ୟ ମନ୍ତ୍ରୀ ପଦର ଶପଥ ନେଇଥିଲେ। ଏହାପରେ ତାଙ୍କୁ ବିହାର କ୍ୟାବିନେଟରେ ଶିକ୍ଷା ବିଭାଗ ମିଳିଥିଲା। ହେଲେ ତାଙ୍କ ବିରୋଧରେ ଦୁର୍ନୀତି ନେଇ ଲଗାତାର ସରକାରକୁ ଟାର୍ଗେଟ କରିଥିଲେ ଆରଜେଡି ନେତା ତେଜସ୍ୱୀ ଯାଦବ। ଯେଉଁ କାରଣରୁ ମେବାଲାଲ ଆଜି ନିଜେ ଇସ୍ତଫା ଦେବାକୁ ବାଧ୍ୟ ହୋଇଛନ୍ତି।କେଉଁ ଦୁର୍ନୀତି ଯୋଗୁ ଦେଲେ ଇସ୍ତଫା?

ବର୍ତ୍ତମାନ ବିବାଦ ଘେରରେ ଫସିଥିବା ମେବାଲାଲ ଚୌଧୁରୀ ରାଜନୀତିକୁ ଆସିବା ପୂର୍ବରୁ ବିହାର କୃଷି ବିଶ୍ୱବିଦ୍ୟାଳୟର କୁଳପତି ଥିଲେ। ଏହାପରେ ସେ ଚାକିରିରୁ ଅବସର ନେବା ପରେ ୨୦୧୫ ମସିହାରେ ଜେଡିୟୁ ଟିକେଟରୁ ନିର୍ବାଚନ ଲଢ଼ି ବିଧାୟକ ହୋଇଥିଲେ। ହେଲେ ୨୦୧୭ ମସିହାରେ ବିଶ୍ୱବିଦ୍ୟାଳୟରେ ନିଯୁକ୍ତିକୁ ନେଇ ସେ ଦୁର୍ନୀତି କରିଥିବା ଅଭିଯୋଗ ହୋଇଥିଲା।

ଏହାପରେ ଜେଡିୟୁ ମଧ୍ୟ କିଛି ଦିନ ପାଇଁ ତାଙ୍କୁ ଦଳରୁ ନିଲମ୍ବିତ କରିଥିଲା। ଏହାପରେ ୨୦୨୦ରେ ସେ ପୁଣିଥରେ ତାରାପୁର ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ଏହାପରେ ତାଙ୍କୁ ନୀତିଶ କୁମାର ଶିକ୍ଷାମନ୍ତ୍ରୀ ଭାବେ ଦାୟିତ୍ୱ ଦେଇଥିଲେ। ହେଲେ ତାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଏବେ ଆହୁରି ତୀବ୍ର ହେବାରୁ ସେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି।

ଟାର୍ଗେଟ କଲେ ତେଜସ୍ୱୀ

ମେବାଲାଲଙ୍କୁ ନେଇ ଆରଜେଡି ନେତା ତେଜସ୍ୱୀ ଯାଦବ ଲଗାତାର ସରକାର ଉପରେ ଟାର୍ଗେଟ ଜାରି ରିଖିଥିଲେ। ଆଜି ମଧ୍ୟ ସେ ଟୁଇଟ୍ କରି ନୀତିଶ କୁମାରଙ୍କୁ ଏଥିପାଇଁ ଦାୟୀ କରିଥିଲେ। ହତ୍ୟା ଓ ଦୁର୍ନୀତି ମାମଲା ଥିବା ମେବାଲାଲ ବିହାରର ଶିକ୍ଷାମନ୍ତ୍ରୀ ହେଲେ ବିହାରବାସୀ ତାଙ୍କଠୁ କ’ଣ ଶିଖିବେ ବୋଲି ତେଜସ୍ୱୀ ପ୍ରଶ୍ନ କରିଥିଲେ।ସ୍ତ୍ରୀଙ୍କ ମୃତ୍ୟୁ ଷଡ଼ଯନ୍ତ୍ର କରିଥିବା ମଧ୍ୟ ଅଭିଯୋଗ

ମେବାଲାଲ ଚୌଧୁରୀଙ୍କ ପତ୍ନୀ ନୀତା ଚୌଧୁରୀ ରାଜନୀତିରେ ବହୁତ ସକ୍ରିୟ ଥିଲେ। ସେ ୨୦୧୦ରୁ ୧୫ ତାରାପୁରରୁ ବିଧାୟକ ମଧ୍ୟ ରହିଥିଲେ। ଏହାପରେ ୨୦୧୯ ମସିହାରେ ଏକ ଗ୍ୟାସ ସିଲିଣ୍ଡର ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ମୃତ୍ୟୁ ପଛରେ ମେବାଲାଲଙ୍କ ହାତ ଥିବା ନେଇ ଜଣେ ପୂର୍ବ ଆଇପିଏସ୍ ଅଫିସର ଅଭିଯୋଗ କରିଥିଲେ।

Comment