ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଶ୍ୱ ଶୌଚାଳୟ ଦିବସରେ ଗୋଷ୍ଠୀ ଶୌଚାଳୟର ପରିଚାଳନା ନିମନ୍ତେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ସହ ରାଉରକେଲା ମହାନଗର ନିଗମର ଏମ୍.ଓ.ୟୁ ସ୍ୱାକ୍ଷର।

ରାଉରକେଲା ମହାନଗର ନିଗମ ପକ୍ଷରୁ ଗୁରୁବାର ବିଶ୍ୱ ଶୌଚାଳୟ ଦିବସ ପାଳିତ ହୋଇଛି। ଏହି ଅବସରରେ ନିଗମ କାର୍ଯ୍ୟାଳୟରେ ଆୟୋଜିତ ଏକ ନିରାଡାମ୍ବର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ କମିସନର ଦିବ୍ୟଜ୍ୟୋତି ପରିଡ଼ା। ସାଧାରଣ ଜୀବନରେ ଶୌଚାଳୟ ବ୍ୟବହାରର ଗୁରୁତ୍ୱ ଏବଂ ସ୍ୱାସ୍ଥ୍ୟ ତଥା ସୁପରିମଳ ବ୍ୟବସ୍ଥା ବଜାୟ ରଖିବା ଲାଗି ଶୌଚାଳୟର ଗୁରୁତ୍ୱପୂର୍ଣ୍ଣ ଭୂମିକା ସଂପର୍କରେ ସେ ଏହି କାର୍ଯ୍ୟକ୍ରମରେ ଆଲୋକପାତ କରିଥିଲେ।

‘‘ସାରା ବିଶ୍ୱରେ ପରିମଳ ବ୍ୟବସ୍ଥା ପରିଚାଳନା ଦିଗରେ ମହିଳା ବା ମା’ମାନଙ୍କ ଏକ ବିଶେଷ ଅବଦାନ ରହିଛି। ତେଣୁ ଓଡ଼ିଶା ସରକାର, ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନରେ ମହିଳା ସଶକ୍ତିକରଣ ସାଙ୍ଗକୁ ସେମାନଙ୍କୁ ପରିମଳ ବ୍ୟବସ୍ଥା ସଜାଡିବା ଏବଂ ତାହାର ପରିଚାଳନା ଦାୟିତ୍ୱ ହସ୍ତାନ୍ତର କରିବା ପାଇଁ ନେଇଥିବା ପଦକ୍ଷେପ ନିଶ୍ଚିତ ଭାବେ ଯୁଗାନ୍ତକାରୀ’’, କହିଥିଲେ ଦିବ୍ୟଜ୍ୟୋତି ପରିଡ଼ା।

ସେହିପରି ଡେପୁଟି କମିସନର ସୁଧାଂଶୁ କୁମାର ଭୋଇ କହିଥିଲେ ଯେ, ରାଉରକେଲା ମହାନଗର ନିଗମ ପକ୍ଷରୁ ସହରରେ ପର୍ଯ୍ୟାପ୍ତ ପରିମାଣର ଶୌଚାଳୟ ନିର୍ମାଣ କରାଯାଇଛି। ମହାନଗର ନିଗମ ପକ୍ଷରୁ ବିଭିନ୍ନ ଶୌଚାଳୟରେ ଫାଷ୍ଟ୍ ଏଡ୍ କିଟ୍, ହ୍ୟାଣ୍ଡ୍ ଡ୍ରାଏର୍ ଏବଂ ମହିଳା ମାନଙ୍କ ପାଇଁ ସାନିଟାରୀ ନାପକିନ୍ ଭେଣ୍ଡିଂ ମେସିନ ଲଗାଯାଇଛି। ଜନସାଧାରଣଙ୍କ ସୁବିଧା ଲାଗି ମହାନଗର ନିଗମ ପକ୍ଷରୁ ଏହିପରି ଅତ୍ୟାଧୁନିକ ସେବା ବିଭିନ୍ନ ଶୌଚଳୟମାନଙ୍କରେ କରାଯାଇଛି।

ମହାନଗର ନିଗମର ଅନ୍ୟ ଦୁଇ ଡେପୁଟି କମିସନର ଡକ୍ଟର ଗୌରବମୟ ପ୍ରଧାନ ଓ ସୀତାଦେବୀ ମାଝି ନିଜ ବକ୍ତବ୍ୟରେ କହିଥିଲେ ଯେ, ମହିଳାମାନେ ସ୍ୱଚ୍ଛତା ଦିଗରେ ବେଶ ଯତ୍ନବାନ। ଏହା ସେମାନଙ୍କ ଜନ୍ମଜାତ ଗୁଣ। ତେଣୁ ସେମାନଙ୍କୁ ଏବେ ରାଉରକେଲା ମହାନଗର ନିଗମ ପକ୍ଷରୁ ଗୋଷ୍ଠୀ ଶୌଚାଳୟ ପରିଚାଳନା ଦାୟିତ୍ୱ ଦିଆଯାଇଥିବାରୁ ନିଶ୍ଚିତ ଭାବେ ସ୍ୱଚ୍ଛତା ସାଙ୍ଗକୁ ଜନ ସଚେତନତା ଦିଗରେ ସଫଳତା ମିଳିବ।

ଏହାସହ ବାହାରେ ଶୌଚ କରିବା ଏକ ସାମାଜିକ ବ୍ୟାଧି ଏବଂ ପରିବେଶ ପାଇଁ ମଧ୍ୟ କ୍ଷତିକାରକ। ତେଣୁ ପରିମଳ ବ୍ୟବସ୍ଥା ପରିଚାଳନା ଦିଗରେ କାର୍ଯ୍ୟ କରୁଥିବା ସମସ୍ତ ବ୍ୟକ୍ତି ତଥା ଅନୁଷ୍ଠାନ ଲୋକଙ୍କୁ ଏ ଦିଗରେ ନିରନ୍ତର ଭାବେ ସଚେତନ କରାଇବାକୁ ସେ ଆହ୍ୱାନ ଦେଇଥିଲେ।

‘‘ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟମାନଙ୍କୁ ଶୌଚାଳୟ ପରିଚାଳନା ଦାୟିତ୍ୱ ଦିଆଯିବା ନିଷ୍ପତ୍ତି ନିଶ୍ଚିତ ଭାବେ ଯୁଗାନ୍ତକାରୀ। କିନ୍ତୁ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟା ମାନଙ୍କ ପାଇଁ ଏହା ଏକ ଚାଲେଞ୍ଜ ମଧ୍ୟ। ତେଣୁ ସେମାନେ ସଠିକ ଭାବେ ନିଜ କାର୍ଯ୍ୟ ସଂପାଦନ କଲେ ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ପୂରଣ ହୋଇପାରିବ’’, କହିଥିଲେ ନିଗମର ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସୁଶିଲ କୁମାର ପରିଡ଼ା।

ଏହି ଅବସରରେ ସହରର ୩୬ଟି ଗୋଷ୍ଠୀ ଶୌଚାଳୟର ପରିଚାଳନା ନିମନ୍ତେ ୩୬ଟି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ସହ ଏମ୍.ଓ.ୟୁ ସ୍ୱାକ୍ଷର କରାଯାଇଥିଲା। ଗତ ସ୍ୱାୟତ୍ତଶାସନ ଦିବସରେ ଏମାନଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିବା ବେଳେ ଏମ୍.ଓ.ୟୁ ସ୍ୱାକ୍ଷର କରାଯାଇଛି। ସେହିପରି ପ୍ରଥମ ପର୍ଯ୍ୟାୟରେ ୬ ଗୋଟି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ଶୌଚାଳୟ ସଫେଇ ନିମନ୍ତେ ଅତ୍ୟାଧୁନିକ ୱାଟର ଜେଟିଂ ମେସିନ ପ୍ରଦାନ କରାଯାଇଛି।

ପୂର୍ବରୁ ୬ ଗୋଟି ଗୋଷ୍ଠୀ ଶୌଚଳୟର ପରିଚାଳନା ଦାୟିତ୍ୱ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ପ୍ରଦାନ କରାଯାଇଥିଲା ଏବଂ ସେମାନେ ଗତ ୨ ବର୍ଷ ହେଲା ଶୌଚାଳୟ ଗୁଡ଼ିକର ସୁପରିଚାଳନା କରି ଆସୁଛନ୍ତି।

Comment