ଓଡ଼ିଶାଲାଇଭ୍ ବ୍ୟୁରୋ

ଉପନ୍ୟାସ ‘ଶଗି ବେନ୍’ ପାଇଁ ସ୍କଟିଶ୍ ଲେଖକ ଡଗଲସ୍ ଷ୍ଟୁଆର୍ଟଙ୍କୁ ବୁକର୍ ପୁରସ୍କାର ବିଜେତା ଘୋଷଣା କରାଯାଇଛି।

ଚଳିତବର୍ଷ ପାଇଁ ସ୍କଟିଶ୍ ଲେଖକ ଡଗଲସ୍ ଷ୍ଟୁଆର୍ଟ ସମ୍ମାନଜନକ ବୁକର୍ ପୁରସ୍କାର ବିଜୟୀ ହୋଇଛନ୍ତି। ଡଗଲସ୍‌ଙ୍କ ପ୍ରଥମ ଉପନ୍ୟାସ ‘ଶଗି ବେନ୍’ ପାଇଁ ତାଙ୍କୁ ଏହି ପୁରସ୍କାର ମିଳିବ। ଜଣେ ପୁଅ କିପରି ତା’ ନିଶାଖୋର ମା’ଙ୍କୁ ସମ୍ଭାଳିବା ପାଇଁ ଚେଷ୍ଟା କରୁଛି ତାହାରି ଉପରେ ଏହି ଉପନ୍ୟାସର କଥାବସ୍ତୁ ଆଧାରିତ।

ବୁକର୍ ପୁରସ୍କାର ପାଇଁ ୧୬୨ରୁ ୬ଟି ଉପନ୍ୟାସକୁ ସର୍ଟଲିଷ୍ଟ କରାଯାଇଥିଲା। ସେଥିମଧ୍ୟରୁ ଡଗଲସ୍‌ଙ୍କ ‘ଶଗି ବେନ୍’ ଉପନ୍ୟାସ ଶ୍ରେଷ୍ଠ ବିବେଚିତ ହୋଇଛି। କରୋନା ମହାମାରୀ ଯୋଗୁ ଭର୍ଚୁଆଲ ମାଧ୍ୟମରେ ବୁକର୍ ପୁରସ୍କାର ଘୋଷଣା କରାଯାଇଛି। ପୁରସ୍କାର ବାବଦକୁ ଡଗଲସ୍‌ଙ୍କୁ ୫୦,୦୦୦ ପାଉଣ୍ଡ ମିଳିବ। ବୁକର୍ ପୁରସ୍କାର ଇତିହାସରେ ଦ୍ଵିତୀୟ ଥର ପାଇଁ ଜଣେ ସ୍କଟିଶ୍ ଲେଖକଙ୍କୁ ବିଜୟୀ ଘୋଷଣା କରାଯାଇଛି। ଡଗଲସ୍‌ଙ୍କ ପୂର୍ବରୁ ଜେମ୍ସ କେଲମନ୍‌ଙ୍କୁ ୧୯୯୪ରେ ବୁକର୍ ପୁରସ୍କାର ମିଳିଥିଲା।ବୁକର ପୁରସ୍କାର ପାଇଁ ଗଠିତ ଜୁରି କମିଟିର ମୁଖ୍ୟ ମାର୍ଗାରେଟ୍ ବସବୀ କହିଛନ୍ତି, “ସର୍ବସମ୍ମତି କ୍ରମେ ଡଗଲସ୍‌ଙ୍କୁ ପୁରସ୍କାର ବିଜେତା ଭାବେ ମନୋନୀତ କରାଯାଇଛି। ଏହି ନିର୍ଣ୍ଣୟ ନେବା ପାଇଁ ଆମକୁ ମାତ୍ର ଏକ ଘଣ୍ଟା ସମୟ ଲାଗିଥିଲା। ଡଗଲସ୍‌ଙ୍କ ଏହି ଉପନ୍ୟାସ ପାଠକଙ୍କୁ ବାନ୍ଧି ରଖିବାରେ ସକ୍ଷମ ଏବଂ ବେଶ୍ ହୃଦୟସ୍ପର୍ଶୀ।”

ଅନ୍ୟପଟେ ପୁରସ୍କାର ବିଜେତା ହେବା ଖବର ଶୁଣି ୪୪ ବର୍ଷୀୟ ଡଗଲସ୍ ଖୁସି ବ୍ୟକ୍ତ କରିଛନ୍ତି। ସେ ତାଙ୍କର ଏହି ଉପନ୍ୟାସକୁ ତାଙ୍କ ମା’ଙ୍କୁ ସମର୍ପିତ କରିଛନ୍ତି। ଅତ୍ୟଧିକ ମଦ୍ୟପାନ ହେତୁ ୨୮ ବର୍ଷ ପୂର୍ବରୁ ତାଙ୍କ ମା’ଙ୍କ ଦେହାନ୍ତ ହୋଇସାରିଛି।‘ଶଗି ବେନ୍‌’ର କାହାଣୀ ଏଗ୍ନେସ୍ ବେନ୍‌ ନାମକ ଜଣେ ମହିଳାଙ୍କଠାରୁ ଆରମ୍ଭ ହେଉଛି। ଏଗ୍ନେସ୍‌ଙ୍କ ବିବାହ ବିଚ୍ଛେଦ ହେବା ପରେ ତାଙ୍କୁ ମାନସିକ ଆଘାତ ଲାଗୁଛି। ଘୋର ହତାଶାଭାବକୁ ଦୂରେଇବା ପାଇଁ ସେ ମଦ୍ୟପାନ କରୁଛନ୍ତି। ଫଳରେ ତାଙ୍କ ପୁଅ ଶଗିକୁ ଛାଡ଼ିଦେଲେ ଅନ୍ୟ ସନ୍ତାନମାନେ ତାଙ୍କଠୁ ଦୂରେଇ ଯାଉଛନ୍ତି। ଶଗି ନିଜର ଯାବତୀୟ ସମସ୍ୟା ସତ୍ତ୍ଵେ ମା’ ଏଗ୍ନେସ୍‌ଙ୍କ ସହ ସବୁ ସମୟରେ ଛିଡ଼ା ହେଉଛି। ଏହିଭଳି ଏକ ମର୍ମସ୍ପର୍ଶୀ କାହାଣୀକୁ ନେଇ ଡଗଲସ୍ ଷ୍ଟୁଆର୍ଟଙ୍କ ଉପନ୍ୟାସ ‘ଶଗି ବେନ୍‌’ର କାହାଣୀ ଗତିଶୀଳ ହେଉଛି। ଏହି ଉପନ୍ୟାସର କଥାବସ୍ତୁ ଡଗଲସ୍‌ଙ୍କ ବ୍ୟକ୍ତିଗତ ଜୀବନ ଦ୍ଵାରା କିଛି ମାତ୍ରାରେ ପ୍ରଭାବିତ ହୋଇଛି।

Comment