ଓଡ଼ିଶାଲାଇଭ୍ ବ୍ୟୁରୋ

କିଟ୍‍ ବିଶ୍ୱବିଦ୍ୟାଳୟର ୧୬ତମ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ।

କିଟ୍‍ ବିଶ୍ଵଦ୍ୟାଳୟର ୧୬ତମ ସମାବର୍ତ୍ତନ ଉତ୍ସବ ଶନିବାର ଅନୁଷ୍ଠିତ ହୋଇଛି। କରୋନା ମହାମାରୀ ଦୃଷ୍ଟିରୁ ଚଳିତ ବର୍ଷ ସମାବର୍ତ୍ତନ ଉତ୍ସବକୁ ଭର୍ଚୁଆଲ୍‍ ମାଧ୍ୟମରେ କରାଯାଇଛି। ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ନୋବେଲ୍‍ ଶାନ୍ତି ପୁରସ୍କାର ବିଜେତା ତଥା ବାଂଲାଦେଶ ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠାତା ପ୍ରଫେସର ମହମ୍ମଦ ୟୁନୁସ୍‍ ଦୀକ୍ଷାନ୍ତ ଯୋଗଦେଇ ନିଜର ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ଇରକନ୍‍ ଇଣ୍ଟରନାସନାଲ୍‍ ଲିମିଟେଡ୍‍ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଏସ୍‍ କେ ଚୌଧୁରୀ ଏବଂ କେନ୍ଦ୍ରୀୟ ପାଣିପାଗ ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ସମ୍ମାନ ସୂଚକ ଡକ୍ଟୋରେଟ୍‍ ଡିଗ୍ରୀ ପ୍ରଦାନ କରାଯାଇଥିଲା।“ଛାତ୍ରଛାତ୍ରୀମାନେ ଜୀବନର ଏକ ନୂତନ ପର୍ଯ୍ୟାୟକୁ ପ୍ରବେଶ କରୁଛନ୍ତି। ଶିକ୍ଷା ହେଉଛି ଏକ ଦୀର୍ଘ ଏବଂ କଠିନ ଯାତ୍ରା। କିନ୍ତୁ ଏହା ବିଶ୍ୱରେ ପରିବର୍ତ୍ତନ ଆଣିବାରେ ସକ୍ଷମ କରାଇଥାଏ। କରୋନା ମହାମାରୀ ଯୋଗୁଁ ସମଗ୍ର ବିଶ୍ୱରେ ଲକ୍ଷ ଲକ୍ଷ ଲୋକ ଜୀବନ ଜୀବିକା ହରାଇଛନ୍ତି। ବିଶ୍ୱର ୫୦ ପ୍ରତିଶତ ଲୋକ ବଞ୍ଚିବା ପାଇଁ ସଂଗ୍ରାମ କରୁଛନ୍ତି। ଏହା ଆମ ବ୍ୟବସ୍ଥାରେ ଥିବା ଦୁର୍ବଳତାକୁ ଦର୍ଶାଉଛି। ବିଶ୍ୱର ପୁନଃନିର୍ମାଣରେ ଛାତ୍ରଛାତ୍ରୀମାନଙ୍କ ପାଇଁ ମହାମାରୀ ହେଉଛି ଏକ ସୁଯୋଗ। ତେଣୁ ସେମାନେ ଏପରି ଏକ ବିଶ୍ୱ ନିର୍ମାଣ କରନ୍ତୁ ଯାହା ଅଧିକ ସ୍ଥିତିସ୍ଥାପକ ହେବା ସହ ସବୁକ୍ଷେତ୍ରରେ ସମାନତା ରହିଥିବ। ବର୍ତ୍ତମାନ ଆମ ବ୍ୟବସ୍ଥା ଏପରି ହୋଇଛି ଯେ ବିଶ୍ୱର ମାତ୍ର ୧ ପ୍ରତିଶତ ଲୋକଙ୍କ ହାତରେ ୯୯ ପ୍ରତିଶତ ସମ୍ପତ୍ତି ଠୁଳ ହୋଇ ରହିଛି। ବିଶ୍ୱ ତାପମାନ (ଗ୍ଲୋବାଲ ଓ୍ଵାର୍ମିଂ) ଆମର ଅସ୍ଥିତ୍ତ୍ୱ ନେଇ ବିପଦ ସୃଷ୍ଟି କରିଛି। ତେଣୁ ଛାତ୍ରଛାତ୍ରୀମାନଙ୍କର ଶିକ୍ଷା ଓ ଚିନ୍ତାଶକ୍ତି ହିଁ ଏକ ନୂତନ ବିଶ୍ୱ ଗଠନ କରିପାରିବ”, କହିଛନ୍ତି ପ୍ରଫେସର ମହମ୍ମଦ ୟୁନୁସ୍‍।ଏହି ଉତ୍ସବରେ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ବିଶିଷ୍ଟ ଆଧ୍ୟାତ୍ମିକ ଗୁରୁ ତଥା ଆର୍ଟ ଅଫ୍‍ ଲିଭିଂର ପ୍ରତିଷ୍ଠାତା ଶ୍ରୀ ଶ୍ରୀ ରବି ଶଙ୍କର କହିଛନ୍ତି ଯେ, ଶିକ୍ଷାର ଉଦ୍ଦେଶ୍ୟ ହେଉଛି ଏକ ସୁଦୃଢ ବ୍ୟକ୍ତିତ୍ୱ ଗଠନ ଯାହାକି, ନୂତନ ଚାଲେଞ୍ଜକୁ ସୁଯୋଗରେ ପରିଣତ କରିବାରେ ସହାୟକ ହୋଇଥାଏ। ଏହା ମଧ୍ୟ ଉଦାର ମନୋଭାବ ଏବଂ ନମ୍ରତାର ସହ ଜ୍ଞାନ ଆହରଣ ଜାରି ରଖିବାରେ ସାହାଯ୍ୟ କରିଥାଏ। ତେଣୁ ଜୀବନରେ ସଫଳତା ହାସଲ କରିବାକୁ ହେଲେ ଆତ୍ମବଳ, ଦୃଢ଼ତା, ଧୈର୍ଯ୍ୟ, ସୃଜନଶୀଳ ଉପରେ ଗୁରୁତ୍ୱ ଦେବାକୁ ହେବ।ଡକ୍ଟୋରେଟ ଗ୍ରହଣ କରି ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ, ସମାଜ ପାଇଁ ବିଜ୍ଞାନର ଅବଦାନକୁ ଏହା ହେଉଛି ଏକ ସ୍ୱୀକୃତି। ଏହି ସମ୍ମାନ ପାଣିପାଗ ବିଜ୍ଞାନ ଛାତ୍ରଛାତ୍ରୀ, ଗବେଷକ ଓ ବୈଜ୍ଞାନିକଙ୍କୁ ଉତ୍ସାହିତ କରିବ। ସେହିପରି ଇରକନ୍‍ ଇଣ୍ଟରନାସନାଲ୍‍ ଲିମିଟେଡ୍‍ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଏସ୍‍ କେ ଚୌଧୁରୀ ଦୁଇ ଦଶନ୍ଧି ଧରି ଶିକ୍ଷା କ୍ଷେତ୍ରରେ କିଟ୍‍ ଏବଂ କିସ୍‍ର ଅତୁଳନୀୟ ଅବଦାନ ବିଷୟରେ କହି କିଟ୍‍ ଓ କିସ୍‍ର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ।ଏହି ଉତ୍ସବରେ ଡକ୍ଟର ଅଚ୍ୟୁତ ସାମନ୍ତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କିଟ୍‍ ବିଶ୍ୱବିଦ୍ୟାଳୟର କୁଳାଧିପତି ପ୍ରଫେସର ବେଦ ପ୍ରକାଶ, ଉପକୁଳାଧିପତି ଡକ୍ଟର ସୁବ୍ରତ ଆଚାର୍ଯ୍ୟ, କୁଳପତି ପ୍ରଫେସର ହୃଷୀକେଶ ମହାନ୍ତି, ଉପକୁଳପତି ପ୍ରଫେସର ସସ୍ମିତାରାଣୀ ସାମନ୍ତ ଏବଂ କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି ପ୍ରମୁଖ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିବା ସହ ଅଭିନନ୍ଦନ ଜଣାଇଥିଲେ। ଏହି ଅବସରରେ ୨୦୧୯-୨୦ ଶିକ୍ଷା ବର୍ଷର ୭୧୩୫ଜଣ ଛାତ୍ରଛାତ୍ରୀଙ୍କୁ ଡ଼ିଗ୍ରୀ ପ୍ରଦାନ କରାଯାଇଥିଲା। ବିଟେକ୍‍ ଛାତ୍ର ପ୍ରଖର ପ୍ରିୟେସ୍‍, ରୋଶନ ଓଝା ଏବଂ ଏମଟେକ୍‍ ଛାତ୍ର ଶ୍ରୀଷ୍ଠି ରାଜ୍‍ଙ୍କୁ ପ୍ରତିଷ୍ଠାତା ସ୍ୱର୍ଣ୍ଣପଦକ ପ୍ରଦାନ କରାଯାଇଥିବାବେଳେ ୨୩ଜଣ ଛାତ୍ରଛାତ୍ରୀଙ୍କୁ କୁଳାଧିପତି ସ୍ୱର୍ଣ୍ଣପଦକ, ୨୮ଜଣ ଛାତ୍ରଛାତ୍ରୀଙ୍କୁ କୁଳପତି ରୌପ୍ୟପଦକ, ପି କେ ବଳ ସ୍ମାରକୀ ସ୍ୱର୍ଣ୍ଣପଦକ, ପିପିଏଲ୍‍ ସ୍ୱର୍ଣ୍ଣପଦକ, ନନୀବାଳା ସ୍ମାରକୀ ସ୍ୱର୍ଣ୍ଣପଦକ ଏବଂ କୃଷ୍ଣ ଚନ୍ଦ୍ର ପଣ୍ଡା ସ୍ମାରକୀ ସ୍ୱର୍ଣ୍ଣପଦକ ପ୍ରଦାନ କରାଯାଇଥିଲା। ୯୫ଜଣ ଗବେଷଣାରତ ଛାତ୍ରଛାତ୍ରୀଙ୍କୁ ପିଏଚ୍‍ଡି ଡିଗ୍ରୀ ପ୍ରଦାନ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here