ଓଡ଼ିଶାଲାଇଭ୍‌ ବ୍ୟୁରୋ

କିଟ୍‍ ବିଶ୍ୱବିଦ୍ୟାଳୟକୁ ସର୍ବଭାରତୀୟ ବୈଷୟିକ ଶିକ୍ଷା ପରିଷଦ (ଏଆଇସିଟିଇ) ପକ୍ଷରୁ ‘ଉତ୍କୃଷ୍ଟ ସଂସ୍ଥାନ ବିଶ୍ୱକର୍ମା ପୁରସ୍କାର ୨୦୨୦’ ପ୍ରଦାନ କରାଯାଇଛି। କୋଭିଡ୍‍ ସମୟରେ ଉଲ୍ଲେଖନୀୟ ସାମାଜିକ କାର୍ଯ୍ୟ ସକାଶେ କିଟ୍‍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ୧୩ଟି ବିଭିନ୍ନ କ୍ୟାଟେଗୋରୀରେ ଏହି ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ କୋଭିଡ଼ ପରବର୍ତ୍ତୀ ପୁନର୍ବିକାଶ ଓ ଥଇଥାନ ପାଇଁ କିଟ୍‍ ବିଶ୍ୱବିଦ୍ୟାଳୟକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି।

ଏହି ବିଭାଗରେ ଭାରତର ପ୍ରଥମ ଓ ଏକମାତ୍ର ଅନୁଷ୍ଠାନ ଭାବେ କିଟ୍‍ ବିଶ୍ୱବିଦ୍ୟାଳୟକୁ ପୁରସ୍କାର ପ୍ରଦାନ କରାଯାଇଛି। କୋଭିଡ଼ ସମୟରେ ଯେଉଁ ଅନୁଷ୍ଠାନମାନେ ଭଲ କାମ କରିଛନ୍ତି ସେହି ଅନୁଷ୍ଠାନଗୁଡ଼ିକର କାର୍ଯ୍ୟକୁ ଏଆଇସିଟିଇ ସ୍ୱୀକୃତି ପ୍ରଦାନ କରିଛି।

କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ସର୍ବଭାରତୀୟ ବୈଷୟିକ ଶିକ୍ଷା ପରିଷଦ (ଏଆଇସିଟିଇ) ବିଭିନ୍ନ ଅନୁଷ୍ଠାନ ମଧ୍ୟରେ ‘ଉତ୍କୃଷ୍ଟ ସଂସ୍ଥାନ ବିଶ୍ୱକର୍ମା ପୁରସ୍କାର-୨୦୨୦’ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଦେଶର ବୃଦ୍ଧି ଓ ବିକାଶ ପାଇଁ ଯୁବଗୋଷ୍ଠୀ ଓ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ଦିଗରେ ଏହି ପ୍ରତିଯୋଗିତା ଆୟୋଜନ କରାଯାଇଥିଲା।

ଏଥିରେ ବିଭିନ୍ନ ବିଭାଗରେ ଅନୁଷ୍ଠାନ ଓ ଛାତ୍ରଛାତ୍ରୀଙ୍କ ବିଶେଷ ସୃଜନଶୀଳ ଦକ୍ଷତା ଓ କାର୍ଯ୍ୟ ପାଇଁ ଗୁରୁବାର ଏକ ଭର୍ଚୁଆଲ୍‍ କାର୍ଯ୍ୟକ୍ରମରେ ପୁରସ୍କାର ଘୋଷଣା କରାଯାଇଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ୍‌, ଏଆଇସିଟିଇ ଅଧ୍ୟକ୍ଷ ପ୍ରଫେସର ଅନୀଲ୍‍ ଡି ସହସ୍ରବୁଦ୍ଧେଙ୍କ ସମେତ ବହୁ ବିଶିଷ୍ଟ ଶିକ୍ଷାବିତ୍‍ଙ୍କ ଉପସ୍ଥିତିରେ ପୁରସ୍କାର ପ୍ରଦାନ କରାଯାଇଥିଲା।

Comment