ଓଡ଼ିଶାଲାଇଭ୍ ବ୍ୟୁରୋ

ନୟାଗଡ ଜିଲ୍ଲାରେ ଏକ ଶ୍ମଶାନରେ ଶବଦାହ କରିବାକୁ ନେଇ ଗୋଷ୍ଠୀବିବାଦ ଦେଖିବାକୁ ମିଳିଛି। ଶରଣକୁଳ ଥାନା ଭାଲିଆଡିହି ଗ୍ରାମର ପାଞ୍ଚ ପୁରୁଷାନୁକ୍ରମର ଏକ ଶ୍ମଶାନକୁ ଉଚ୍ଛେଦ କରିବାକୁ କେନ୍ଦ୍ର କରି ଗ୍ରାମର ଦୁଇ ଗୋଷ୍ଠୀ ମଧ୍ୟରେ ତୀବ୍ର ବିବାଦ ଲାଗି ରହିଥିଲାବେଳେ ଗତ ଶୁକ୍ରବାର ମଧ୍ୟାହ୍ନରେ ଉକ୍ତ ଶ୍ମଶାନକୁ ୭୧ ବର୍ଷୀୟ ଜଣେ ବୃଦ୍ଧଙ୍କର ଶବକୁ ଦାହ କରିବାକୁ ନିଆଯାଇଥିଲା। କିନ୍ତୁ ଏହି ଘଟଣାକୁ ଅପର ଗୋଷ୍ଠୀ ବିରୋଧ କରିଥିଲା। ଫଳରେ ଅନ୍ୟ ଗୋଷ୍ଠୀଟି ମୃତକଙ୍କର ଶବକୁ ରାଜରାସ୍ତାରେ ଦୀର୍ଘ ୨୫ ଘଣ୍ଟା ରଖି ପ୍ରତିବାଦ କରିଥିଲେ। ଏହାପରେ ଜିଲ୍ଲା ପ୍ରଶାସନ ଓ ପୋଲିସ ଅଧିକାରୀମାନଙ୍କ ହସ୍ତକ୍ଷେପ ପରେ ଶବଦାହ କରାଯାଇଥିଲା।

ଓଡଗାଁ ବ୍ଲକର ଭାଲିଆଡିହି ଗ୍ରାମର ସାତଗୋଟି ସାହି ମଧ୍ୟରୁ ଉପରସାହି ଓ ତଳ ସାହିରେ ମିଶି ୧୨୦ରୁ ଉର୍ଦ୍ଧ୍ଵ ପରିବାର ରହନ୍ତି। ସେହିପରି କଜଳ ସାହି, ଜଗନ୍ନାଥ ସାହି, ନୂଆ ସାହି, ପାଇକ ସାହି ଓ ବଡ଼ସାହିରେ ପ୍ରାୟ ୯୦୦ରୁ ଉର୍ଦ୍ଧ୍ଵ ପରିବାର ବସବାସ କରନ୍ତି। ଗ୍ରାମର ଏକ ପାର୍ଶ୍ଵ ତିନି କୋଣିଆ ଛକ ତଥା ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ବହୁ ପୁରୁଣା ଅମଳରୁ ରାଜସ୍ୱ ରେକର୍ଡରେ ଏକ ଶ୍ମଶାନ ରହିଛି। କିନ୍ତୁ ପୂର୍ବରୁ କୌଣସି ରାଜନୈତିକ କାରଣରୁ ସେହି ପାଞ୍ଚଟି ସାହି ଓ ଦୁଇଟି ସାହି ମଧ୍ୟରେ ଗୋଷ୍ଠୀ କନ୍ଦଳ ଲାଗି ରହିଥିଲା।

ବୃହତ ଗୋଷ୍ଠୀ ଉକ୍ତ ଶ୍ମଶାନଟିକୁ ନିଜ ଅକ୍ତିଆରକୁ ନେଇ ଏଠାରେ ଶବ ଦାହ କରିବାକୁ କ୍ଷୁଦ୍ର ଗୋଷ୍ଠୀକୁ ଦୁଇ ବର୍ଷ ହେଲା ବାରଣ କରି ଆସୁଥିଲା। ବୃହତ ଗୋଷ୍ଠୀ ଏଠାରେ ଶବଦାହ ନକରି ମୃତକମାନଙ୍କ ପାଇଁ ନିଜ ସାହିର ସୀମାରେ ଭିନ୍ନ ଭିନ୍ନ ଯାଗାରେ ନୂଆ ଶ୍ମଶାନ ସ୍ଥାପନା କରିଥିବା ବେଳେ କ୍ଷୁଦ୍ର ଗୋଷ୍ଠୀଙ୍କର କୌଣସି ନୂତନ ଶ୍ମଶାନର ନିର୍ମାଣ ନିମନ୍ତେ ସ୍ଥାନ ନିରୁପଣ ହୋଇପାରିନଥିଲା। ବିକଳ୍ପ ସ୍ୱରୁପ ଏଠାରେ ହିଁ ସେମାନେ ଶବ ସତ୍କାର କରି ଆସୁଥିଲେ।

କିନ୍ତୁ ବୃହତ ଗୋଷ୍ଠୀ କୌଣସି କଥାକୁ ଗ୍ରହଣ ନକରି ନିଜ ଜିଦ୍‌ରେ ଅଟଳ ରହିଥିଲେ। ତେଣୁ ସେମାନେ ବୃଦ୍ଧଙ୍କୁ ଶବକୁ ସେହି ଶ୍ମଶାନରେ ସତ୍କାର କରିବାକୁ ଦେଇନଥିଲେ। ଏହି ଘଟଣାକୁ ବିରୋଧ କରି କ୍ଷୁଦ୍ରଗୋଷ୍ଠୀର ଲୋକମାନେ ଶବକୁ ରାସ୍ତା ଉପରେ ରଖି ଧାରଣା ଦେଇଥିଲେ। ପ୍ରାୟ ୨୫ ବର୍ଷ ଏହି ଧାରଣା ହେବାପରେ ଜିଲ୍ଲା ପ୍ରଶାସନ ଏବଂ ପୋଲିସର ହସ୍ତକ୍ଷେପ ପରେ ଶବକୁ ଦାହ କରାଯାଇଥିଲା।

Comment