ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାତି ପାହିଲେ ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ। ଏଥିପାଇଁ  ସମସ୍ତ ପ୍ରସ୍ତୁତି ପ୍ରାୟ ଶେଷ ହୋଇଛି। କିନ୍ତୁ କରୋନା ପାଇଁ ମହାପ୍ରଭୁଙ୍କ ଏହି ବେଶ ଭକ୍ତ ଦେଖିପାରିବେନି। ଏପଟେ ପୁରୀକୁ ବାହାର ଲୋକ ନଆସିବା ପାଇଁ ଜିଲ୍ଲା ପ୍ରଶାସନ ନିବେଦନ କରିଥିଲା ବେଳେ କେବଳ ପତିତପାବନଙ୍କ ଦର୍ଶନ ଲାଗି ପୁରୀ ବାସୀନ୍ଦାଙ୍କ ପାଇଁ ସ୍ୱତନ୍ତ୍ର ଗାଇଡଲାଇନ ପ୍ରସ୍ତୁତ କରାଯାଇଛି। ପୁରୀବାସୀ କେବଳ ଧାଡ଼ିରେ ଆସି ପତିତପାବନଙ୍କ ଦର୍ଶନ କରିପାରିବେ।

ସେହିପରି ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ପାଇଁ ମନ୍ଦିର ପରସରକୁ ସଫା କରାଯାଇଛି। ବାଇଶି ପାହାଚକୁ ମଧ୍ୟ ଚିକ୍କଣ କରାଯାଇଛି। ଆଜି ରାତି ୧୨ଟାରୁ ପ୍ରକ୍ରିୟା ଆରମ୍ଭ ହେବ। ମହାପ୍ରଭୁଙ୍କ ଏହି ବେଶ ପାଇଁ ରାତି ୨ଟା ପରେ ପାଟ ପଟୁଆରରେ ଶ୍ରୀମନ୍ଦିରକୁ ପ୍ରବେଶ କରିବ ଚକ୍ରକୋଟ ବଳରାମ ଖୁଣ୍ଟିଆଙ୍କ ଘରେ ପ୍ରସ୍ତୁତ ବିଭିନ୍ନ ପ୍ରକାର ବେଶ ସରଞ୍ଜାମ। ରାତି ୨ଟା ପରେ ଦ୍ୱାର ଫିଟା ନୀତି ପରେ ଭୋର ୪ଟାରୁ ସକାଳ ୭ଟା ମଧ୍ୟରେ ମହାପ୍ରଭୁଙ୍କୁ ଲାଗି ହେବ ନାଗା ବେଶର ପୋଷାକ।

‘‘ମହାପ୍ରଭୁ ସବୁ ବେଶରେ ହାତରେ ଶଙ୍ଖ, ଚକ୍ର, ଗଦା, ପଦ୍ମ ଧାରଣ କରିଥାନ୍ତି। କିନ୍ତୁ ଏହି ବେଶ ମହାପ୍ରଭୁଙ୍କର ସ୍ୱତନ୍ତ୍ର। ଏଥିରେ ମହାପ୍ରଭୁଙ୍କୁ କିନ୍ତୁ ସ୍ୱତନ୍ତ୍ର ବେଶ ଧରିଥାନ୍ତି। ନିଶ, ଧାଡ଼ି ସହିତ ପ୍ରଭୁ ନାଗା ବା ଯୋଦ୍ଧା ବେଶରେ ଦର୍ଶନ ଦେଇଥାନ୍ତି’’, କହିଛନ୍ତି ଶ୍ରୀ ଜଗନ୍ନାଥ ସଂସ୍କୃତି ଗବେଷକ ସୂର୍ଯ୍ୟ ନାରାୟଣ ରଥଶର୍ମା।

ପରମ୍ପରା ଅନୁଯାୟୀ ପର୍ଶୁରାମଙ୍କ ଦ୍ୱାରା ସହସ୍ରାର୍ଜୁନ ବଧକୁ ସ୍ମରଣ କରିବା ପାଇଁ ଶ୍ରୀ ଜଗନ୍ନାଥଙ୍କ ନାଗାର୍ଜୁନ ବେଶ ହୋଇଥାଏ। ଏହି ଅବସରରେ ଶ୍ରୀଜୀଉମାନଙ୍କୁ ନାଗା ଯୋଦ୍ଧାଙ୍କ ରୂପରେ ସଜାଇ ଦିଆଯାଏ। ହାତରେ ସୁବର୍ଣ୍ଣ ଅସ୍ତ୍ର ଓ ଅନ୍ୟାନ୍ୟ ଉପକରଣ ମଧ୍ୟ ସଜା ଯାଇଥାଏ। ଶ୍ରୀ ଜଗନ୍ନାଥଙ୍କ ନାଗାର୍ଜୁନ ବେଶ ପବିତ୍ର କାର୍ତ୍ତିକ ମାସରେ ପଡ଼େ। ବିଶେଷକରି ପଞ୍ଚୁକ ସମୟରେ ଛଅ ଦିନ ପାଇଁ ଏହା ପାଳିତ ହୋଇଥାଏ।

Comment