ଓଡ଼ିଶାଲାଇଭ୍ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ା ସହରରେ ଦାଦାବଟି ଆଦାୟ କରୁଥିବା ଡକାୟତ ଗ୍ୟାଙ୍ଗର ୪ ଜଣ ସଦସ୍ୟଙ୍କୁ ପୋଲିସ ଗିରଫ କରିଛି। ଅଭିଯୁକ୍ତମାନଙ୍କୁ ଶୁକ୍ରବାର କୋର୍ଟ ଚାଲାଣ କରାଯାଇଥିବା ଜିଲ୍ଳା ଆରକ୍ଷୀ ଅଧିକ୍ଷକ ଡକ୍ଟର ଶର୍ବଣା ବିବେକ ଏମ୍ ସୂଚନା ଦେଇଛନ୍ତି।

ଗିରଫ ଅଭିଯୁକ୍ତମାନେ ହେଲେ ରାୟଗଡ଼ା ସହରର ରାଣୀଗୁଡ଼ା ଫାର୍ମ ଅଞ୍ଚଳର ତ୍ରିନାଥ ମାଝି(୨୯), ଗୈାତମ ବିଡ଼ିକା (୨୭), ଅଜୟ କୁମାର ମହାପାତ୍ର (୨୮) ଓ ଶିକୁ ଦାସ(୨୪) ବୋଲି ଏସ୍‌ପି ସୂଚନା ଦେଇଛନ୍ତି।

ଗତ ୨୩ ତାରିଖ ରାତି ସାଢ଼େ ୧୦ଟା ସମୟରେ ରାଣିଗୁଡ଼ା ଫାର୍ମ ଅଞ୍ଚଳର ୧୨ତମ ଲାଇନରେ ରହୁଥିବା ଟ୍ରକ ଡ୍ରାଇଭର ଦୟାଦନ ପପ୍ସୁରେଡ୍ଡି ରିଙ୍ଗରୋଡ୍ ଦେଇ ଘରକୁ ଫେରୁଥିଲେ। ତେବେ ବଂଶୀକ୍ରିଷ୍ଟା ଫଙ୍କସନ୍ ହଲ୍ ନିକଟରେ ହଠାତ ଏକ ବୁଲା କୁକୁର ତାଙ୍କ ଟ୍ରକ ତଳେ ଚାପି ହୋଇ ମରିଯାଇଥିଲା। ଦୟାଦନ ଗାଡ଼ି ଅଟକାଇ ତଳକୁ ଓହ୍ଳେଇ ଦେଖିବାକୁ ଯିବା ସମୟରେ ଉକ୍ତ ଛକରେ ଥିବା ତ୍ରିନାଥ, ଅଜୟ, ଶିକୁ ଓ ଗୈାତମ ବିଡ଼ିକାଙ୍କ ସହ ଅନ୍ୟ ଜଣେ ଅଭିଯୁକ୍ତ କୁକୁରକୁ ମାରିଦେଲୁ କହି ଜୋର ଜବରଦସ୍ତ ଦୟାଦନଙ୍କୁ ଟଙ୍କା ମାଗିଥିଲେ।

ଏ ନେଇ ଉଭୟଙ୍କ ମଧ୍ୟରେ ବଚସା ହେବା ପରେ ଉତ୍ତ୍ୟକ୍ତ ହୋଇ ଅଭିଯୁକ୍ତମାନେ ଦୟାଦନଙ୍କୁ ମାଡ଼ମାରି ତାଙ୍କ ପକେଟରେ ଥିବା ୧୭ ଶହ ଟଙ୍କା ଲୁଟି ନେଇଥିଲେ। ଏ ସମ୍ପର୍କରେ ଖବର ପାଇ ଗୁରୁତର ଅବସ୍ଥାରେ ଦୟାଦନଙ୍କୁ ତାଙ୍କ ପରିବାର ଲୋକେ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିବା ସହ ରାୟଗଡ଼ା ଥାନାରେ ଏତଲା ଦେଇଥିଲେ। ଅଭିଯୋଗ ପାଇବା ପରେ ରାୟଗଡ଼ା ଥାନା ପୋଲିସ ପକ୍ଷରୁ ତଦନ୍ତ କରାଯାଇ ଉକ୍ତ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା।ସେହିପରି ରାୟଗଡ଼ାର ସହକାରୀ ଉଦ୍ୟାନ କୃଷି ଉପ ନିର୍ଦ୍ଦେଶକ(ଏଡିଡିଏଚ) ଜଗନ୍ନାଥ ବିନ୍ଧାଣୀଙ୍କୁ ଧମକ ଦେଇ ଏହି ଡକାୟତ ଗ୍ୟାଙ୍ଗର ସଦସ୍ୟମାନେ ତିନି ଥର କରି ମୋଟ ୧ ଲକ୍ଷ ୩୦ ହଜାର ଟଙ୍କା ଲୁଟି ନେଇଥିଲେ। ଗତ ସେପ୍ଟେମ୍ବର ମାସରେ ୫୦ ହଜାର, ଅକ୍ଟୋବର ମାସରେ ୨୦ ହଜାର ଏବଂ ଚଳିତ ନଭେମ୍ବର ମାସ ୨୪ ତାରିଖ ରାତିରେ ଶ୍ରୀ ବିନ୍ଧାଣୀଙ୍କ ଘରୁ ନଗଦ ୨୦ହଜାର ଟଙ୍କା ନେବା ସହ ତାଙ୍କ ଏଟିଏମରୁ ୪୦ହଜାର ଟଙ୍କା ଉଠାଣ କରି ମୋଟ ୧ଲକ୍ଷ ୩୦ ହଜାର ଟଙ୍କା ଲୁଟ୍ କରିଥିଲେ।

ତେବେ ତୃତୀୟ ଥର ଦାଦାବଟି ଆଦାୟ ବେଳେ ଏକ କଲମ ଦ୍ୱାରା ଶ୍ରୀ ବିନ୍ଧାଣିଙ୍କୁ ଆକ୍ରମଣ କରିବା ସହ ମାଡ଼ ମାରିଥିଲେ ଅଭିଯୁକ୍ତ। ଏନେଇ ଶ୍ରୀ ବିନ୍ଧାଣୀ ଡକ୍ଟର ଶର୍ବଣା ବିବେକ ଏମ୍‌ଙ୍କୁ ସାକ୍ଷାତ କରି ଅଭିଯୋଗ କରିଥିଲେ। ଘଟଣାକୁ ଗୁରୁତର ସହ ନେଇ ଅଭିଯୁକ୍ତମାନଙ୍କୁ ଯଥାଶୀଘ୍ର ଗିରଫ କରିବାକୁ ଏସ୍‌ପି ନିର୍ଦ୍ଦେଶ ଦେଇଥିଲେ। ଏହି ଘଟଣାରେ ସମ୍ପୃକ୍ତ ଥିବା ତ୍ରିନାଥ ମାଝି ଓ ଅଜୟ ମହାପାତ୍ରଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନଙ୍କଠାରୁ ୧୦ ହଜାର ଟଙ୍କା ସହ ଆକ୍ରମଣରେ ବ୍ୟବହୃତ କଲମ ଜବତ କରାଯାଇଥିବା ଜଣାପଡ଼ିଛି।

ଟ୍ରକ ଡ୍ରାଇଭର ଦୟାଦନଙ୍କ ଅଭିଯୋଗ କ୍ରମେ ରାୟଗଡ଼ା ଥାନାରେ କେସ୍ ନମ୍ବର ୩୭୨/୨୦ରେ ମାମଲା ରୁଜୁ କରାଯାଇଥିବା ବେଳେ ଏଡିଡିଏଚ ଶ୍ରୀ ବିନ୍ଧାଣୀଙ୍କ ଅଭିଯୋଗ କ୍ରମେ କେସ୍ ନମ୍ବର ୩୭୩/୩୭୪/୩୭୫/୨୦ରେ ୩ଟି ମାମଲା ରୁଜୁ କରାଯାଇଛି। ଏନେଇ ଅଧିକ ତଦନ୍ତ ଜାରି ରହିଥିବା ଏସ୍‌ପି ସୂଚନା ଦେଇଛନ୍ତି।

Comment