ଓଡ଼ିଶାଲାଇଭ୍‌ ବ୍ୟୁରୋ

ପରିବା ହୋମ୍‌ ଡେଲିଭରି କରି ଉଦାହରଣ ସୃଷ୍ଟି କରିଛନ୍ତି ବାଲେଶ୍ୱରର ରାଜେଶ ଜେନା।

ଆଉ ହାଟ ବଜାରକୁ ଯିବାକୁ ପଡୁନି। ଗୋଟିଏ ଅର୍ଡରରେ ଘରେ ଆସି ପହଞ୍ଚୁଛି ତଟକା ପନିପରିବା। ବାଲେଶ୍ୱର ସହରବାସୀଙ୍କ ପାଇଁ ଏଭଳି ସୁବିଧା କରିଛନ୍ତି ରେମୁଣା ଅଞ୍ଚଳର ଜଣେ ଇଞ୍ଜିନିୟରିଂ ଛାତ୍ର ରାଜେଶ ଜେନା। ପାଠ ପଢ଼ିବା ସହିତ ଅନଲାଇନ୍‌ ପରିବା ବିକ୍ରି କରି ନିଜ ଗୋଡ଼ରେ ଛିଡ଼ା ହେବାର ନୂଆ ରାସ୍ତା ବାହାର କରିଛନ୍ତି ରାଜେଶ।

ପାଠ ପଢ଼ିବା ସହିତ ଅନଲାଇନ୍‌ ପରିବା ବିକ୍ରି

ବାଲେଶ୍ୱର ଜିଲ୍ଲା ରେମୁଣା ଅନ୍ତର୍ଗତ ଦୋଳାଗୋହିରା ଅଞ୍ଚଳର ସାଧୁଚରଣ ଜେନାଙ୍କ ପୁଅ ହେଲେ ରାଜେଶ। ବୟସ ଏବେ ତାଙ୍କର ୨୩ ବର୍ଷ। ବାଲେଶ୍ୱର ସଦର ଥାନା ନିକଟସ୍ଥ ମଡର୍ଣ୍ଣ ଇଞ୍ଜିନିୟରିଂ କଲେଜରେ ପାଠ ସେ ପଢ଼ୁଛନ୍ତି। ବୟସ କମ ହେଲେ ବି ଆତ୍ମନିର୍ଭରଶୀଳ ହେବାକୁ ତାଙ୍କର ପ୍ରବଳ ଇଚ୍ଛା ଥିଲା। ଇଚ୍ଛା ଥିବାରୁ ତାଙ୍କ ପାଖରେ ଉପାୟ ବି ଆସି ପହଞ୍ଚିଲା। ଅନଲାଇନ ପରିବା ହୋମ୍‌ ଡେଲିଭରି କରିବାକୁ ଚିନ୍ତା କଲେ। ଏଥିପାଇଁ ତାଙ୍କୁ ବେଶୀ କିଛି ଖର୍ଚ୍ଚାନ୍ତ ବି ହେବାକୁ ପଡ଼ିନଥିଲା। ସେ ‘ଡେଲି ଗ୍ରିନ୍ସ’ ନାମକ ଏକ ସଂସ୍ଥା ଖୋଲିଛନ୍ତି।

‘‘ମୋର ପିଲାବେଳୁ ଚାଷ ପ୍ରତି ଆଗ୍ରହ ଥିଲା। କିନ୍ତୁ ଚାଷ ପାଇଁ ସୁବିଧା ନାହିଁ। ଏବେ ଯେଉଁ ଅନଲାଇନ ବ୍ୟବସ୍ଥା କରିଛି ତାଦ୍ୱାରା ମତେ ବାଡ଼ିକୁ ଯିବାକୁ ପଡ଼ୁଛି। ଚାଷୀଙ୍କୁ ଭେଟୁଛି। ସେମାନଙ୍କଠାରୁ ପରିବା କିଣୁଛି। ପ୍ରତ୍ୟକ୍ଷ ନହେଲେ ବି ପରୋକ୍ଷରେ ମୁଁ ଚାଷ ସହିତ ଯୋଡ଼ି ହୋଇ ରହୁଥିବାରୁ ଖୁସି ଲାଗୁଛି’’, କହିଛନ୍ତି ରାଜେଶ ଜେନା।

କେମିତି ହେଉଛି ଅର୍ଡର?

ଅନଲାଇନ୍‌ ପରିବା ଅର୍ଡର ପାଇଁ ରାଜେଶ ଗୋଟିଏ ହ୍ୱାଟସଆପ୍‌ ନମ୍ବର ରଖିଛନ୍ତି। ସକାଳ ସମୟରେ ଯେଉଁ ସବୁ ପରିବା ଉପଲବ୍ଧ ଥାଏ ତାକୁ ଷ୍ଟାଟସ ରଖନ୍ତି। ଯେଉଁ ଗ୍ରାହକଙ୍କର ପରିବା ଦରକାର ଥାଏ ସେମାନେ ହ୍ୱାଟସଆପ୍‌ ମାଧ୍ୟମରେ ଅର୍ଡର କରନ୍ତି। ଅର୍ଡର ଆସିବାର କିଛି ସମୟ ମଧ୍ୟରେ ରାଜେଶ ନେଇ ପରିବା ପହଞ୍ଚାଇ ଦିଅନ୍ତି। ପରିବା ହୋମ୍‌ ଡେଲିଭରି ପାଇଁ ରାଜେଶ ତାଙ୍କର କିଛି ସାଙ୍ଗଙ୍କଠାରୁ ମଧ୍ୟ ସାହାଯ୍ୟ ନେଉଛନ୍ତି। ବାଲେଶ୍ୱର ସହରର ୫ କିଲୋମିଟର ଭିତରେ ରାଜେଶ ଏହି ସେବା ଯୋଗାଉଛନ୍ତି। ଅର୍ଡର କରିବାର ସମୟ ମଧ୍ୟ ଧାର୍ଯ୍ୟ ରହିଛି। ଗ୍ରାହକ ରାତି ୯ଟା ସୁଦ୍ଧା ପରିବା ଅର୍ଡର କରିପାରିବେ। ତା’ପର ଦିନ ତାଙ୍କ ଘରେ ବଜାର ଦର ହିସାବରେ ପରିବା ପହଞ୍ଚିଯାଏ। ଗ୍ରାହକ କ୍ୟାସ୍‌ ଅନ୍‌ ଡେଲିଭରି କରିବା ସହିତ ଅନଲାଇନ ପେମେଣ୍ଟ୍‌ ମଧ୍ୟ କରିପାରୁଛନ୍ତି।

‘‘ଏଇ ତ ଆରମ୍ଭ। ମାସେ ହେଲା ଏହି କାମ ଆରମ୍ଭ ହୋଇଛି। ଏବେ ଟିକିଏ ସମସ୍ୟା ଉପୁଜୁଛି। ଏହି କାମକୁ ମୁଁ ଆହୁରି ଆଗକୁ ନେବାକୁ ଚେଷ୍ଟା କରୁଛି। ତଥାପି ଚାଷୀଙ୍କ ଠାରୁ ସିଧାସଳଖ ପରିବା କିଣି ସଠିକ ଗୁଣମାନର ପରିବା ଲୋକଙ୍କ ପାଖରେ ପହଞ୍ଚାଇବା ମୋର ଲକ୍ଷ୍ୟ। ବାଲେଶ୍ୱରରେ ଯଦି ଏହି ଉଦ୍ୟମ ସଫଳ ହେଲେ ପୂରା ଓଡ଼ିଶାରେ ମୁଁ ଏହି ସେବା ଯୋଗାଇବାକୁ ଚାହିଁବି। ଏହାଦ୍ୱାରା ଅନ୍ୟ ପିଲାଙ୍କୁ ବି ରୋଜଗାର ଯୋଗାଇ ପାରିବ। ବ୍ୟବସାୟ ବଢ଼ିଲେ ଆଗକୁ ଲାଭ ନିଶ୍ଚୟ ମିଳିବ। ଏଥିରେ ସଫଳ ହେଲେ ମୁଁ ଭବିଷ୍ୟତରେ ଜଣେ ଉଦ୍ୟୋଗୀ ହେବାକୁ ଲକ୍ଷ୍ୟ ରଖିଛି’’, କହିଛନ୍ତି ରାଜେଶ।

ସକାଳ ସମୟରେ ପରିବା ସମସ୍ତଙ୍କ ଘରେ ପହଞ୍ଚାଇବା ପରେ ରାଜେଶ ନିଜ ପାଠ ପଢ଼ାରେ ଲାଗି ଯାଆନ୍ତି। ପୁଣି ସନ୍ଧ୍ୟା ହେଲେ ନିଜ ଅଞ୍ଚଳର କିଛି ଚାଷୀଙ୍କ ଭେଟି ପରିବା କିଣିବା ସମ୍ପର୍କରେ ଆଲୋଚନା କରନ୍ତି। ଏତେ କମ୍‌ ବୟସରୁ ପାଠ ପଢ଼ିବା ସହିତ ବ୍ୟବସାୟ କରି ବେକାର ଯୁବକ ଯୁବତୀଙ୍କ ପାଇଁ ଉଦାହରଣ ପାଲଟିଛନ୍ତି।

Comment