ଓଡ଼ିଶାଲାଇଭ୍‌ ବ୍ୟୁରୋ 

(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵର ସହରରେ ଭାରି ଯାନ ଚଳାଚଳ ଉପରେ ଲାଗିଲା କଟକଣା। ଏଣିକି ସକାଳ ୮ରୁ ରାତି ୧୦ ପର୍ଯ୍ୟନ୍ତ ସହରରେ ଭାରିଯାନ ପ୍ରବେଶ ଉପରେ ରୋକ୍ ଲଗାଯାଇଛି। ସହରରରେ ଦେଖାଦେଉଥିବା ଟ୍ରାଫିକ୍‌ ଜାମ ଏବଂ ଦୁର୍ଘଟଣାକୁ କମ୍‌ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି କଟକଣା ଲଗାଯାଇଛି।

ମୋଟରଯାନ ଅଧିନିୟମ ୧୯୮୮ର ଧାରା ୧୧୫ ଏବଂ ଓଡିଶା ମୋଟର ଯାନ ନିୟମ ୯୩ ଅନୁଯାୟୀ ବାଲେଶ୍ଵର ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତୀ ଏହି କଟକଣା ଜାରି କରିଛନ୍ତି। କଟକଣା ଅନୁଯାୟୀ, ସକାଳ ୮ ଘଟିକାରୁ ରାତି ୧୦ ଘଟିକା ପର୍ଯ୍ୟନ୍ତ ସହରର କିଛି ପ୍ରମୁଖ ରାସ୍ତାରେ କୌଣସି ପ୍ରକାର ଭାରିଯାନ(ଚାରିଚକିଆ ବା ତଦୁର୍ଦ୍ଧ)ଚଳାଚଳ ନିମନ୍ତେ ଅନୁମତି ଦିଆଯିବ ନାହିଁ।

ସହରର ଆଇଟିଆଇ ଛକ ଠାରୁ ସହଦେବଖୁଣ୍ଟା ସ୍ଥିତ ସୁରଜ୍ ହୋଟେଲ ଛକ ଭାୟା ବସଷ୍ଟାଣ୍ତ-ଫକୀରମୋହନ ଗୋଲେଇ, ପୁଲିସ୍ ଲାଇନ୍ ଛକ ଠାରୁ ହେମକାପଦା ଛକ ଭାୟା ଫକୀରମୋହନ କଲେଜ, ଫକୀରମୋହନ ଗୋଲେଇରୁ ଟାଉନ ଥାନା ଭାୟା ଫାଣ୍ତି ଛକରେ ଏହି କଟକଣା ଲାଗିଛି।

ସେହିପରି ଚିଡିଆପୋଲ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ସିନେମା ଛକ ଓ ମୋତିଗଞ୍ଜ ବଜାର, ଷ୍ଟେସନ ଛକରୁ ପାଣିଟାଙ୍କି ଛକ ଭାୟା ଏଡିଏମ୍ ଛକ-ଜିଲ୍ଲା ସ୍କୁଲ, ମିର୍ଜା ପୋଖରୀରୁ ଛୁଆଳିଆ ମହାଦେବ ଛକ ଭାୟା ମାଣିଖମ୍ବ-ବାରବାଟୀ, ମିର୍ଜାପୋଖରୀରୁ ବାବିଲୋନ ଛକ ଭାୟା ଟାଉନହଲ- ସିନେମା ଛକ, ଟେକ୍ନିକାଲ୍ ସ୍କୁଲ ଛକ ଠାରୁ ନାରୀସ˚ଘ ଭାୟା ଏଡିଏମ ଛକ- ରାଜାବଗିଚା, ଷ୍ଟେସନ ଛକ ଠାରୁ ପଢୁଆଁପଦା ଛକ ଭାୟା ନାରୀସ˚ଘ ରାସ୍ତାରେ ଏହି କଟକଣା ଲାଗିଛି।

ଆସନ୍ତା ଏକ ମାସ ପର୍ଯ୍ୟନ୍ତ ୧ ଅକ୍ଟୋବର ରୁ ୩୦ ଅକ୍ଟୋବର ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ।

ପରବର୍ତ୍ତୀ ପର୍ଯ୍ୟାୟରେ ଆବଶ୍ୟକତା ଅନୁଯାୟୀ ଏହି କଟକଣାକୁ ବୃଦ୍ଧି କରା ଯାଇପାରେ ବୋଲି ଆଞ୍ଚଳିକ ପରିବହନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଜାରି କରାଯାଇଥିବା କଟକଣାକୁ ସମସ୍ତେ ମାନିବା ସହିତ ଟ୍ରାଫିକ୍ ନିୟନ୍ତ୍ରଣରେ ସହଯୋଗ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।

Comment