ଓଡ଼ିଶାଲାଇଭ୍ ବ୍ୟୁରୋ
- କାଲିଠୁ କୋଣାର୍କ ଉତ୍ସବ
- କୋଣାର୍କ ମୁକ୍ତାକାଶ ମଞ୍ଚରେ ୫ ଦିନ ଧରି ଚାଲିବ ଏହି ଉତ୍ସବ
- ଓଡ଼ିଶୀ, ଭାରତନାଟ୍ୟମ୍, କୁଚିପୁଡ଼ି ଓ ମଣିପୁରୀ ନୃତ୍ୟରେ ଦୁଲୁକିବ ମଞ୍ଚ
- ଦର୍ଶକଙ୍କୁ ଆକର୍ଷିତ କରିବ ଅନ୍ତର୍ଜାତୀୟ ବାଲୁକାକଳା ମହୋତ୍ସବ
ରାତି ପାହିଲେ ବିଶ୍ୱପ୍ରସିଦ୍ଧ କୋଣାର୍କ ଉତ୍ସବ। ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଡିସେମ୍ବର ୧ ତାରିଖରୁ କୋଣାର୍କ ଉତ୍ସବ ଆୟୋଜିତ ହେଉଛି। ରାଜ୍ୟ, ରାଜ୍ୟ ବାହାରରୁ ବହୁ ଜଣାଶୁଣା ଓଡ଼ିଶୀ, କଥକ, କୁଚିପୁଡ଼ି, ମଣିପୁରୀ, ଭାରତନାଟ୍ୟମ୍ ନୃତ୍ୟ ପରିବେଷଣ କରି ଉପସ୍ଥିତ ଦର୍ଶକ ଓ ପର୍ଯ୍ୟଟକମାନଙ୍କ ମନ ମୋହିବେ। କିନ୍ତୁ କୋଭିଡ ମହାମାରୀ ଯୋଗୁଁ ଏଥର ଉତ୍ସବରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି।
ପ୍ରତିବର୍ଷ କୋଣାର୍କ ଉତ୍ସବକୁ ଗୋଟିଏ ହିଁ ପ୍ରବେଶ ପଥ ଓ ପ୍ରସ୍ଥାନ ରହିଥାଏ। ଏଥର କିନ୍ତୁ କରୋନା ମହାମାରୀକୁ ଦୃଷ୍ଟିରେ ପ୍ରବେଶ ପଥ ଓ ପ୍ରସ୍ଥାନ ପଥ ଦୁଇଟି କରାଯିବ।
ଏହାସହିତ ସାମାଜିକ ଦୂରତା ରଖିବା ସହିତ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି। ଏହସହ ମଞ୍ଚ ଓ ଏହାର ଆଖପାଖ ସ୍ଥାନକୁ ମେସିନ ସାହାଯ୍ୟରେ ସାନିଟାଇଜ କରାଯିବ। ଲୋକେ ବେଳାଭୂମିରେ ବସି କିଭଳି ନୃତ୍ୟର ମଜା ନେଇପାରିବେ ସେଥିପାଇଁ ଚନ୍ଦ୍ରଭାଗା ବେଳାଭୂମି, ଗୋଲଡେନ୍ ବେଳାଭୂମି, ନୀଳାଦ୍ରି ବେଳାଭୂମିରେ ବଡ଼ ବଡ଼ ଏଲଇଡି ଲଗାଯିବ। ସନ୍ଧ୍ୟା ୬ଟାରୁ ୮ଟା ୩୦ ଯାଏଁ ଉତ୍ସବ ଚାଲିବ।
‘‘କୋଣାର୍କ ଉତ୍ସବ ଆମର ବର୍ଷ ବର୍ଷର ପରମ୍ପରା। କରୋନା ମହାମାରୀ ପାଇଁ ଏତେ ବର୍ଷର ପରମ୍ପରା ଭାଙ୍ଗିବା ନଯାଉ ସେଥିପାଇଁ ସମସ୍ତ ନିୟମ ଓ କଟକଣା ମାନ ଏହି ଉତ୍ସବ ଅନୁଷ୍ଠିତ କରାଯାଉଛି। ଲୋକେ କିଭଳି ସୁରକ୍ଷିତ ଭାବେ ଏହି ଉତ୍ସବର ମଜା ନେବେ ସେଥିପାଇଁ ସବୁ ବ୍ୟବସ୍ଥା କରାଯାଉଛି। ତେଣୁ ଯେଉଁମାନେ ଆସି ନପାରିବେ ସେମାନେ ବେଳାଭୂମିରେ ବସି ଏଲଇଡିରେ ଉତ୍ସବ ଦେଖିପାରିବେ। ଏହାସହ ଡିଡି ଭାରତୀ ଓ ପର୍ଯ୍ୟଟନ ବିଭାଗର ବିଭିନ୍ନ ସୋସିଆଲ ମିଡିଆରେ ସିଧାପ୍ରସାରଣ ହେବ। ଫଳରେ ଘରେ ଥାଇ ଏହି ଉତ୍ସବର ମଜା ନେଇପାରିବେ’’, କହିଛନ୍ତି ପର୍ଯ୍ୟଟନ ସଚିବ ବିଶାଳ ଦେବ।
କେଉଁଦିନ କ’ଣ କାର୍ଯ୍ୟକ୍ରମ?
ଡିସେମ୍ଵର ୧
କୋଣାର୍କ ଉତ୍ସବର ପ୍ରଥମ ଦିନରେ ପ୍ରଥମ ପର୍ଯ୍ୟାୟରେ ଓଡ଼ିଶା ଡ୍ୟାନ୍ସ ଏକାଡେମୀର ଅରୁଣା ମହାନ୍ତି ଓ ତାଙ୍କ ଗ୍ରୁପ୍ ଓଡ଼ିଶୀ ନୃତ୍ୟ ପରିବେଷଣ କରିବେ। ଦ୍ୱିତୀୟ ପର୍ଯ୍ୟାୟରେ ଚେନ୍ନାଇର ଶ୍ରୀଦେବୀ ନୃତ୍ୟାଳୟ ଦ୍ୱାରା ଶୀଲା ଉନ୍ନିକ୍ରିଷ୍ଣା ଓ ତାଙ୍କ ଗ୍ରୁପ ଦ୍ଵାରା ଭାରତନାଟ୍ୟମ୍ ପରିବେଷଣ କରାଯିବ।
ଡିସେମ୍ଵର ୨
ଦ୍ୱିତୀୟ ସନ୍ଧ୍ୟାରେ ପ୍ରଥମ ପର୍ଯ୍ୟାୟରେ କୋଲକାତାର ସ୍ପର୍ଶ ସୁମନ ସରୌଗୀ ଓ ତାଙ୍କ ଗ୍ରୁପ ଦ୍ଵାରା ମଣିପୁରୀ ନୃତ୍ୟ ପରିବେଷଣ ହେବ। ଦ୍ୱିତୀୟ ପର୍ଯ୍ୟାୟରେ ବେଙ୍ଗାଳୁରୁର ସଞ୍ଜଳୀ ଏନ୍ସେମ୍ଵଲରର ଶର୍ମିଳା ମୁଖାର୍ଜୀ ଓ ତାଙ୍କ ଗ୍ରୁପ ଦ୍ଵାରା ଓଡ଼ିଶୀ ନୃତ୍ୟ ପରିବେଷଣ ହେବ।
ଡିସେମ୍ଵର ୩
ତୃତୀୟ ଦିନ ସନ୍ଧ୍ୟାରେ ବେଙ୍ଗାଳୁରୁର ନୃତ୍ୟନ୍ତରର ମଧୁଲିତା ମହାପାତ୍ର ଓ ତାଙ୍କ ଗ୍ରୁପ ଦ୍ଵାରା ଓଡ଼ିଶୀ ନୃତ୍ୟ ପରିବେଷଣ କରାଯିବ। ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ତାମିଲନାଡୁର କଳାସମର୍ପଣ ଫାଉଣ୍ଡେସନ ବସନ୍ତଳାଲକ୍ଷ୍ମୀ ନରସିଂହାଚରୀ ଓ ତାଙ୍କ ଗ୍ରୁପ ଦ୍ଵାରା କୁଚିପୁଡ଼ି ନୃତ୍ୟ ପରିବେଷଣ କରାଯିବ।
ଡିସେମ୍ଵର ୪
ଚତୁର୍ଥ ସନ୍ଧ୍ୟାରେ କୋଲକାତାର ରନନ ପକ୍ଷରୁ ବିକ୍ରମ ଲେଙ୍ଗାର ଓ ତାଙ୍କ ଗ୍ରୁପ ଦ୍ଵାରା କଥକ ନୃତ୍ୟ ପରିବେଷଣ ହେବ। ଦ୍ୱିତୀୟ ପର୍ଯ୍ୟାୟରେ ଭୁବନେଶ୍ଵରର ରୁଦ୍ରାକ୍ଷ ଫାଉଣ୍ଡେସନରୁ ବିଚିନ୍ଦ୍ରାନନ୍ଦ ସ୍ଵାଇଁ ଓ ତାଙ୍କ ଗ୍ରୁପ ଓଡ଼ିଶୀ ନୃତ୍ୟ ପରିବେଷଣ କରାଯିବ।
ଡିସେମ୍ଵର ୫
ପଞ୍ଚମ ତଥା ଶେଷ ସନ୍ଧ୍ୟାରେ ଭୁବନେଶ୍ଵରର ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ପକ୍ଷରୁ ଓଡ଼ିଶୀ ନୃତ୍ୟ ପରିବେଷଣ ହେବ। ଦ୍ୱିତୀୟ ପର୍ଯ୍ୟାୟରେ ନୂଆ ଦିଲ୍ଲୀର ଦୃଷ୍ଟିକୋଣ ଡ୍ୟାନ୍ସ ଫାଉଣ୍ଡେସନ ପକ୍ଷରୁ ଅଦିତି ମଙ୍ଗଳଦାସ ଓ ତାଙ୍କ ଗ୍ରୁପ୍ ଦ୍ଵରା କଥକ ନୃତ୍ୟ ପରିବେଷଣ କରାଯିବ।
ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବ
କୋଣାର୍କ ଉତ୍ସବ ଅବସରରେ ଚନ୍ଦ୍ରଭାଗା ସମୁଦ୍ର କୂଳରେ ଏବର୍ଷ ମଧ୍ୟ ଆୟୋଜିତ ହେବ ଅନ୍ତର୍ଜାତୀୟ ବାଲୁକାକଳା ଉତ୍ସବ। ପର୍ଯ୍ୟଟନ ବିଭାଗର ବ୍ରାଣ୍ଡ ଆମ୍ବାସଡର ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚନ୍ଦ୍ରଭାଗା ବେଳାଭୂମିରେ ଡିସେମ୍ବର ୧ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ବାଲୁକା କଳାକୃତି ପ୍ରଦର୍ଶିତ ହେବ। ଏହି ଉତ୍ସବ ସକାଳ ୧୦ଟାରୁ ସନ୍ଧ୍ୟା ୭ଯାଏଁ ଚାଲିବ। ଚଳିତ ବର୍ଷ ଦେଶ ଭିତରରୁ ଯଥା ରାଜସ୍ଥାନ, ତାମିଲନାଡ଼ୁ, ବିହାର ଓ ପଶ୍ଚିମବଙ୍ଗ ସହିତ ଓଡ଼ିଶାରୁ ଖ୍ୟାତିନାମା ୭୦ ଜଣ ବାଲୁକାକଳା ଶିଳ୍ପିମାନେ ଅଂଶଗ୍ରହଣ କରିବେ। ଚଳିତ ଥର ଏହି ଉତ୍ସବରେ ୨୫ଟି ଷ୍ଟଲ ରହିବ। ସବୁ ବର୍ଷ କିନ୍ତୁ ୪୧ଟି ଷ୍ଟଲ ରହିଥାଏ। ଏଥର କରୋନା ଯୋଗୁଁ ଷ୍ଟଲ ସଂଖ୍ୟା ହ୍ରାସ କରାଯାଇଛି।
୧୯୮୯ ମସିହାରୁ ଲଗାତାର ଭାବେ କୋଣାର୍କ ଉତ୍ସବ ଆୟୋଜିତ ହେଉଛି। ଏହା ଏପରି ଏକ ମୁକ୍ତାକାଶ ମଞ୍ଚ, ଯାହା ଓଡ଼ିଶାର କଳା, ନୃତ୍ୟ ଓ ସଂଗୀତକୁ ବିଶ୍ୱ ଦରବାରରେ ପରିଚିତ କରାଇପାରିଛି। ସୂର୍ଯ୍ୟ ମନ୍ଦିର କୋଳରେ ମୁକ୍ତାକାଶ ତଳେ ଶୀତୁଆ ରାତିରେ କୋଣାର୍କ ରଙ୍ଗମଞ୍ଚରେ ଶାସ୍ତ୍ରୀୟ ନୃତ୍ୟର ସ୍ପର୍ଶ ପାଇବା ପାଇଁ ଦର୍ଶକ ଓ ପର୍ଯ୍ୟଟକ ଉତ୍ସାହର ସହ ଅପେକ୍ଷା କରିଥା’ନ୍ତି।