ଓଡ଼ିଶାଲାଇଭ୍ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ା ବିଜୁ ଯୁବ ଜନତା ଦଳର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ କୈଳାଶ ହୋଟେଲ ପରିସରରେ ରବିବାର ଅନୁଷ୍ଠିତ ହୋଇଛି। ଏହି ବୈଠକରେ ରାୟଗଡ଼ା ଜିଲ୍ଲା ବିଜୁ ଯୁବ ଜନତା ଦଳର ସଭାପତି ଦେବାଶିଷ ଖାଡ଼ଙ୍ଗା ସଭାପତିତ୍ଵ କରିଥିଲେ। ଦଳର ସଂଗଠନକୁ ତୃଣମୂଳ ସ୍ତରରେ କିପରି ସୁଦୃଢ଼ କରାଯାଇପାରିବ ସେନେଇ ବୈଠକରେ ଆଲୋଚନା ହୋଇଥିଲା।

ଏହି ଅବସରରେ ଡିସେମ୍ବର ୨୫ ତାରିଖ ସୁଦ୍ଧା ଜିଲ୍ଲାର ୱାର୍ଡ ସ୍ତରରେ ସାଂଗଠନିକ ସଦସ୍ୟଙ୍କ ନାମ ଚୟନ କରି ପଠାଇବା ପାଇଁ ଅବିଭକ୍ତ କୋରାପୁଟ ଜିଲ୍ଲା ବିଜୁ ଯୁବ ଜନତା ଦଳର ସଭାପତି ତାପସ ତ୍ରିପାଠୀ କହିଥିଲେ। ସେହିପରି ରାୟଗଡ଼ା ଜିଲ୍ଲାରେ ବିଜୁ ଯୁବ ଜନତା ଦଳର ସଂଗଠନକୁ ସୁଦୃଢ଼ କରି ଯୁବଶକ୍ତିକୁ ମଜଭୁତ କରିବା ପାଇଁ ରାୟଗଡ଼ା ବିଜୁ ଯୁବ ଜନତା ଦଳର ପର୍ଯ୍ୟବେକ୍ଷକ ଦେବୀ ପ୍ରସାଦ ଦାଶ ଦଳୀୟ କର୍ମକର୍ତ୍ତାଙ୍କୁ ପରାମର୍ଶ ଦେଇଥିଲେ। ସେପଟେ ରାୟଗଡ଼ା ବିଜୁ ଜନତା ଦଳର ସଭାପତି ସୁଧୀର ଦାଶ ଯୁବ ସଂଗଠନକୁ ସମସ୍ତ ପ୍ରକାର ସହାୟତା ଓ ସହଯୋଗ କରିବେ ଏବଂ ରାୟଗଡ଼ା ଜିଲ୍ଲାର ସଂଗଠନ ଅନ୍ୟମାନଙ୍କ ପାଇଁ ପ୍ରେରଣା ହେବ ବୋଲି କହିଥିଲେ।ବୈଠକରେ ଅବିଭିକ୍ତ କୋରାପୁଟ ଜିଲ୍ଲାର ବିଜୁ ଯୁବ ଜନତା ଦଳର ସଭାପତି ତାପସ ତ୍ରିପାଠୀ ଓ ରାୟଗଡ଼ା ବିଜୁ ଯୁବ ଜନତା ଦଳର ପର୍ଯ୍ୟବେକ୍ଷକ ଦେବୀ ପ୍ରସାଦ ଦାଶ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ରାୟଗଡ଼ା ବିଜୁ ଯୁବ ଜନତା ଦଳର ନୂତନ ଭାବେ ମନୋନୀତ ହୋଇଥିବା କର୍ମକର୍ତ୍ତାମାନଙ୍କୁ ଏହି ବୈଠକରେ ସମ୍ବର୍ଦ୍ଧିତ କରାଯାଇଥିଲା।

ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ଲାଲ ବିହାରୀ ହିମିରିକା, ରାଜ୍ୟ ସମ୍ପାଦକ ଜଗଦୀଶ ପାତ୍ର, ଜିଲ୍ଲା ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ଅନୂସୟା ମାଝି, ରାଜ୍ୟ ସମ୍ପାଦିକା ସୁଜାତା ପାଳ, ରାଜ୍ୟ କୃଷକ ଜନତା ଦଳର ସମ୍ପାଦକ ବି. ତ୍ରିପତି, ଜିଲ୍ଲା ଛାତ୍ର ନେତା ବିଷ୍ଣୁ ପଣ୍ଡା (ପିଙ୍କୁ), ଗଗନ ଆଚାର୍ଯ୍ୟ ପ୍ରମୁଖ ଏହି ବୈଠକରେ ଉପସ୍ଥିତ ଥିଲେ।

Comment