ଓଡ଼ିଶାଲାଇଭ୍‌ ବ୍ୟୁରୋ

ବହୁଚର୍ଚ୍ଚିତ ନୟାଗଡ଼ା ପରୀ ହତ୍ୟା ମାମଲାର ଏସ୍‌ଆଇଟି ତଦନ୍ତ ଆରମ୍ଭ ହୋଇଛି। ମଙ୍ଗଳବାର ଦିନ ନୟାଗଡ଼ ଯଦୁପୁର ଗାଁରେ ଏସ୍ଆଇଟି ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏସ୍ଆଇଟି ମୁଖ୍ୟ ବରିଷ୍ଠ ଆଇପିଏସ୍ ଅଧିକାରୀ ଅରୁଣ ବୋଥ୍ରା ଯଦୁପୁର ଗାଁରେ ପହଞ୍ଚି ପରୀ ମୃତ୍ୟୁ ଘଟଣାର ତଦନ୍ତ କରିଛନ୍ତି।

ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ଏସ୍‌ଆଇଟି ଟିମ୍ ଯଦୁପର ଗାଁରେ ପହଞ୍ଚି  ପରୀ ବାପା ମାଆଙ୍କୁ ଭେଟିଥିଲେ। ପ୍ରାଥମିକ ସ୍ତରରେ ନବାଳିକା ପରୀ ନିଖୋଜ ଓ ଏକ ବସ୍ତା ମଧ୍ୟରୁ ନରକଙ୍କାଳ  ମିଳିବା ଘଟଣା ସଂପର୍କରେ ପଚାରି ବୁଝିଥିଲେ। ତେବେ ପ୍ରଥମ ଦିନରେ ଏସ୍ଆଇଟି ମୁଖ୍ୟ ବୋଥ୍ରା ପରୀ ମୃତ୍ୟୁ ରହସ୍ୟ ସଂପର୍କରେ ନିଶ୍ଚୟ କିଛି ତଥ୍ୟ ହାସଲ କରିଥିବା ଅନୁମାନ କରାଯାଉଛି।

ସେହିପରି ଅରୁଣ ବୋଥ୍ରା ସର୍କିଟ ହାଉସ୍‌ଠାରେ ସ୍ଥାନୀୟ ପୋଲିସ୍ ଅଧିକାରୀଙ୍କ ସହ ପରୀ ମାମଲାରେ ଆଲୋଚନା କରିଥିଲେ। ତଦନ୍ତ ଆଗକୁ ଚାଲିବା ପରେ ଘଟଣା ଆଧାରରେ ଗଣମାଧ୍ୟମକୁ ଆବଶ୍ୟକ ସୂଚନା ପ୍ରଦାନ କରାଯିବ ଏସ୍ଆଇଟି ମୁଖ୍ୟ ବୋଥ୍ରା ସାମ୍ବାଦିକଙ୍କୁ କହିଥିଲେ।

ଅନ୍ୟପଟେ ବିଧାନସଭାରେ ‘ପରୀ’ ମୃତ୍ୟୁ ମାମଲା ହଟଚମଟ ପରେ ନୟାଗଡ଼ ଯଦୁପୁର ଗାଁରେ ଏବେ ବିଭିନ୍ନ ରାଜନୈତିକ ଦଳର ଉପସ୍ଥିତି ଦେଖିବାକୁ ମିଳୁଛି । ବିଜେପିର ଏକ ପ୍ରତିନିଧି ଦଳ ସୋମବାର ଦିନ ଯଦୁପୁର ଗାଁକୁ ଯାଇ ‘ପରୀ’ ବାପା ଓ ମାଆଙ୍କୁ ଭେଟିଥିଲେ।

ମଙ୍ଗଳବାର ଦିନ କଂଗ୍ରେସ ରାଜ୍ୟସ୍ତରୀୟ ପ୍ରତିନିଧି ଦଳ ଯଦୁପୁର ଗସ୍ତ କରିଛି। ଏହି ଦଳରେ ନେତା ଭକ୍ତଚରଣ ଦାସ୍‌, ପଞ୍ଚାନନ କାନୁନ୍‌ଗୋ, ସୁଦର୍ଶନ ଦାଶ, ନିଶିକାନ୍ତ ମିଶ୍ର ଓ ଜିଲ୍ଲାସ୍ତରରୁ ରଣଜିତ ଦାଶ, ମନୋଜ କୁମାର ସାହୁ, ହୁସେନ ଖାଁ ଏବଂ କମଳ ଚରଣ ସାହୁ ଆଦି ‘ପରୀ’ ବାପ ଓ ମାଆଙ୍କୁ ଭେଟି ଘଟଣା ସଂପର୍କରେ ଆଲୋଚନା କରିଥିବା ସୂଚନା ମିଳିଛି।

Comment