ଓଡ଼ିଶାଲାଇଭ୍ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ାରୁ ମଙ୍ଗଳବାର କୋଟିଏରୁ ଊର୍ଦ୍ଧ୍ଵ ଟଙ୍କାର ରତ୍ନ ପଥର ଜବତ ହୋଇଛି। କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ୩ ଜଣିଆ ଟିମ୍ ରାୟଗଡ଼ା ସହର ସ୍ଥିତ ଜଗନ୍ନାଥ କମ୍ପ୍ଲେକ୍ସ ନିକଟରେ ଚଢ଼ାଉ କରି ଏହି ରତ୍ନ ପଥର ଜବତ କରିଛି। ଏହି ଘଟଣାରେ ଅଭିଯୁକ୍ତ ଜିତେନ୍ଦ୍ର ବେହେରା (୪୮)ଙ୍କୁ  ଗିରଫ କରାଯାଇଥିବା ସୂଚନା ମିଳିଛି।

ଜିତେନ୍ଦ୍ର ଦୀର୍ଘଦିନ ଧରି ବହୁ ମୂଲ୍ୟବାନ ରତ୍ନ ପଥର ଚୋରା ଚାଲାଣ କରୁଥିଲେ। ଏ ନେଇ କ୍ରାଇମବ୍ରାଞ୍ଚକୁ ଖବର ମିଳିବା ପରେ ସମ୍ପୃକ୍ତ ଅଭିଯୁକ୍ତ ଉପରେ କଡ଼ା ନଜର ରଖାଯାଇଥିଲା। ଜିତେନ୍ଦ୍ରଙ୍କୁ ଧରିବା ସକାଶେ କ୍ରାଇମବ୍ରାଞ୍ଚ ଏକ ସ୍ୱତନ୍ତ୍ର ୩ ଜଣିଆ ଟିମ୍ ଗଠନ କରି ଜାଲ ବିଛାଇଥିଲା। ତେବେ ଗତକାଲି ଅପରାହ୍ଣ ପ୍ରାୟ ୧ଟା ସମୟରେ ଜିତେନ୍ଦ୍ର ଏକ କାରରେ ବିଭିନ୍ନ ପ୍ରକାରର ରତ୍ନ ପଥର ଚାଲାଣ କରୁଥିବା ନେଇ ଖବର ମିଳିଥିଲା। ଏହାପରେ ଏସଟିଏଫ୍ ଟିମ୍ ଓ ରାୟଗଡ଼ା ପୋଲିସ ମିଳିତ ଭାବେ ଚଢ଼ାଉ କରିଥିଲେ।ଚଢ଼ାଉ ବେଳେ ଉକ୍ତ କାରରୁ ୨ ବସ୍ତା ରତ୍ନ ପଥର ମିଳିଥିଲା। ଜବତ ରତ୍ନ ପଥରର ପରିମାଣ ୧୫୧ କିଲୋଗ୍ରାମ ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୧ କୋଟିରୁ ଊର୍ଦ୍ଧ୍ଵ ଟଙ୍କା ହେବ ବୋଲି ପୋଲିସ କହିଛି। ଏହାପରେ ଅଭିଯୁକ୍ତକୁ କାବୁ କରି ଏସଟିଏଫ୍ ଟିମ୍ ସ୍ଥାନୀୟ ଟାଉନ ଥାନାକୁ ଆଣି ଘଟଣା ସମ୍ପର୍କରେ ଅଧିକ ପଚରାଉଚରା ଜାରି ରଖିଥିବା ରାୟଗଡ଼ା ଏସପି ଶର୍ବଣା ବିବେକ ଏମ୍ ସୂଚନା ଦେଇଛନ୍ତି।

Comment