ଓଡ଼ିଶାଲାଇଭ୍ ବ୍ୟୁରୋ

ରାଉରକେଲା ମହାନଗର ନିଗମ ପକ୍ଷରୁ ସ୍ୱଚ୍ଛ ସର୍ବେକ୍ଷଣ ୨୦୨୧ ନିମନ୍ତେ ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଛି। ଗୁରୁବାର ନିଗମର କାଉନସିଲ ହଲରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୋଟ ୨୬ ଜଣ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଛି। ରାଉରକେଲା ମହାନଗର ନିଗମ ପକ୍ଷରୁ ଗତ ଅକ୍ଟୋବର ୨୮ ତାରିଖରେ ସ୍ୱଚ୍ଛତା କିମ୍ବା କୋଭିଡ-୧୯ ଲାଗି ଜନ ସଚେତନତା ସୃଷ୍ଟି ବିଷୟକୁ ନେଇ ଅନଲାଇନ ଜରିଆରେ ଏହି ପ୍ରତିଯୋଗିତା ଆରମ୍ଭ ହୋଇଥିଲା।ଶ୍ରେଷ୍ଠ ଜିଙ୍ଗଲ୍ ପ୍ରସ୍ତୁତି ନିମନ୍ତେ ଶୁଭଶ୍ରୀ ଦାସଙ୍କୁ ପ୍ରଥମ ପୁରସ୍କାର ଦିଆଯାଇଥିବା ବେଳେ, ଏହି ବର୍ଗରେ ଦ୍ୱିତୀୟ ପୁରସ୍କାର ପାଇଛନ୍ତି ପଲ୍ଲବ ଚାଟାର୍ଜୀ ଏବଂ ତୃତୀୟ ସ୍ଥାନ ହାସଲ କରି ପୁରସ୍କୃତ ହୋଇଛନ୍ତି ଆଶୁତୋଷ ରାୟ। ସେହିପରି କ୍ଷୁଦ୍ର ଚଳଚ୍ଚିତ୍ର ପ୍ରସ୍ତୁତି ବର୍ଗରେ ସୌମ୍ୟ ରଞ୍ଜନ ଗୋଚ୍ଛାୟତ ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି ଅଭୟ କୁମାର ନାୟକ। ଜୀବନ ଜ୍ୟୋତି ବେହେରା ଓ ଲୋହିତ୍ୟା ପଟ୍ଟନାୟକ ଉଭୟେ ଏହି ବର୍ଗରେ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛନ୍ତି।ଶ୍ରେଷ୍ଠ ପେଣ୍ଟିଂ ଲାଗି ବନ୍ଦିତା ସାହୁ ପ୍ରଥମ ପୁରସ୍କାର ପାଇଥିବା ବେଳେ ତନୁଜ ସମ୍ମାଦର ଏବଂ ଉପାସନା ନାୟକ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ଏହି ବର୍ଗରେ ତୃତୀୟ ସ୍ଥାନ ଅଧିକାର କରି ରିତିକା ଜେନା ଓ ବୈଷ୍ନବୀ କିଶାନ ପୁରସ୍କାର ହାସଲ କରିଛନ୍ତି। ଶ୍ରେଷ୍ଠ ପୋଷ୍ଟର ପ୍ରସ୍ତୁତି ପ୍ରତିଯୋଗିତାରେ ପ୍ରିମାଂଶୁ ପ୍ରିତମ ବେହେରା ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ, ଇଶାନ ମିଶ୍ର ଦ୍ୱିତୀୟ ସ୍ଥାନ ଏବଂ ରବିନା ରାଜେନ୍ଦ୍ର ଯାଦବ ତୃତୀୟ ସ୍ଥାନ ହାସଲ କରି ପୁରସ୍କୃତ ହୋଇଛନ୍ତି।ସେହିପରି ହିରୋସ୍ ଅଫ୍ ରାଉରକେଲା ପ୍ରତିଯୋଗିତା ବର୍ଗରେ ଆରତୀ ଚୌଧୁରୀ, ଅନିତା ନାୟକ, ଶୈଳବାଳା ଷଡ଼ଙ୍ଗୀ, ସୁନିଲ କୁମାର ମହାନ୍ତି, ଅଭିଜିତ ସାହୁ, ଆଲୋକ ଜେନା, ଅମିୟ ଦାସ, ଜୋୟା ତ୍ରିପାଠୀ, ପ୍ରମୋଦ କୁମାର ଦଳାଇ, ସ୍ୱାଗତିକା ମହାନ୍ତି ଓ ଶୁଭେନ୍ଦୁ ପଣ୍ଡାଙ୍କୁ ପୁରସ୍କୃତ କରାଯାଇଛି। “ହିରୋସ୍ ଅଫ୍ ରାଉରକେଲା” ପ୍ରତିଯୋଗିତାରେ ସ୍ୱଚ୍ଛତା କିମ୍ବା କୋଭିଡ ସଂକ୍ରମଣକୁ ପ୍ରତିହତ କରିବା ଦିଗରେ କାମ କରିଥିବା ବ୍ୟକ୍ତି କିମ୍ବା ଅନୁଷ୍ଠାନ ଯେପରିକି ଷ୍ଟାର୍ଟ ଅପ୍ ବ୍ୟବସାୟ ଆରମ୍ଭ କରିଥିବା ବା ସେଥିରେ ଜଡ଼ିତ ଥିବା ବ୍ୟକ୍ତି, ଯେକୌଣସି ପ୍ରକାରର ଉଦ୍ୟୋଗ ସ୍ଥାପନ କରିଥିବା ବ୍ୟକ୍ତି, ଧାର୍ମିକ ଅନୁଷ୍ଠାନ, ସ୍ୱେଚ୍ଛାସେବୀ ସଂସ୍ଥା ଇତ୍ୟାଦି ଅଂଶଗ୍ରହଣ କରିପାରିବେ ବୋଲି ସର୍ତ୍ତ ରଖାଯାଇଥିଲା।

ସର୍ତ୍ତ ଅନୁସାରେ ବିଭିନ୍ନ ବ୍ୟକ୍ତି ତଥା ଅନୁଷ୍ଠାନ ଅନଲାଇନ ମାଧ୍ୟମରେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଏଥି ନିମନ୍ତେ ଉକ୍ତ ସଂସ୍ଥା ବା ବ୍ୟକ୍ତି ସ୍ୱଚ୍ଛତା କିମ୍ବା କୋଭିଡ ସଂକ୍ରମଣ ପ୍ରତିହତ କରିବା ଦିଗରେ ସେମାନଙ୍କ କାର୍ଯ୍ୟ ସମ୍ବନ୍ଧୀୟରେ ବିବରଣୀ ଏବଂ ସେହି ସମ୍ପର୍କିତ ଫଟୋଗ୍ରାଫ୍‌କୁ ସଂଲଗ୍ନ କରି ପୁରସ୍କାର ନିମନ୍ତେ ଆବେଦନ କରିଥିଲେ। ସେଥିମଧ୍ୟରୁ ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଛି।ପୁରସ୍କାର ପ୍ରଦାନ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଉରକେଲା ବିଧାୟକ ତଥା ସୁନ୍ଦରଗଡ଼ ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରିବା ସହ ସ୍ୱଚ୍ଛତା କ୍ଷେତ୍ରରେ ରାଉରକେଲାର ଗୌରବମୟ ଇତିହାସ ସଂପର୍କରେ ଆଲୋକପାତ କରିଥିଲେ।

“ନାଗରିକମାନେ ସଚେତନ ନହେଲେ, ପ୍ରଶାସନ ପକ୍ଷରେ ସହରରେ ସ୍ୱଚ୍ଛତା ବଜାୟ ରଖିବା କଷ୍ଟକର ହେବ। ଏଥି ନିମନ୍ତେ ରାଉରକେଲାବାସୀ ଆଗେଇ ଆସି ନିଜ ପରିବେଶକୁ ସଫା ରଖିବା ସହ ସହରକୁ ଏକ ସ୍ୱଚ୍ଛ ଓ ସୁନ୍ଦର ସହରରେ ପରିଣତ କରିବା ଆବଶ୍ୟକ”, କହିଛନ୍ତି ବିଧାୟକ ସାରଦା ପ୍ରସାଦ ନାୟକ।

ଏହି ଅବସରରେ ରାଉରକେଲା ମହାନଗର ନିଗମର କମିସନର ଦିବ୍ୟଜ୍ୟୋତି ପରିଡ଼ା ମଧ୍ୟ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିବା ସହ ସହରର ପ୍ରତିଟି ବର୍ଗର ବ୍ୟକ୍ତିଙ୍କୁ ସ୍ୱଚ୍ଛତା ଓ ସ୍ୱଚ୍ଛ ସର୍ବେକ୍ଷଣ ସଂପର୍କରେ ଅବଗତ କରାଇବା ଲକ୍ଷ୍ୟରେ ମହାନଗର ନିଗମ ପକ୍ଷରୁ ଏହି ପ୍ରତିଯୋଗିତାର ଆୟୋଜନ କରାଯାଇଥିବା କହିଥିଲେ।“ଲୋକେ ସଚେତନ ହେଲେ ରାଉରକେଲା ଏକ ସ୍ୱଚ୍ଛ ସହରରେ ପରିଣତ ହୋଇପାରିବ ଏବଂ ସ୍ୱଚ୍ଛ ସର୍ବେକ୍ଷଣରେ ମଧ୍ୟ ଭଲ ପ୍ରଦର୍ଶନ କରିପାରିବ। ଏପରି ପ୍ରତିଯୋଗିତା ଦ୍ୱାରା ସ୍ୱଚ୍ଛତା ପ୍ରତି ଜନସାଧାରଣ ଅଧିକ ଆକୃଷ୍ଟ ହେବେ ଏବଂ ସ୍ୱଚ୍ଛତାର ମହାମନ୍ତ୍ରକୁ ଅକ୍ଷରେ ଅକ୍ଷରେ ପାଳନ କରିବେ କୋଭିଡ ମହାମାରୀ ସମୟରେ ଅନେକ ସ୍ୱେଚ୍ଛାସେବୀ ସଂସ୍ଥା ଏବଂ ବ୍ୟକ୍ତି ବିଶେଷ ପ୍ରଶାସନକୁ ସହଯୋଗ କରିଛନ୍ତି। ସେ ସମସ୍ତ ଅନୁଷ୍ଠାନ ତଥା ବ୍ୟକ୍ତିଙ୍କୁ ପରବର୍ତ୍ତୀ ପର୍ଯ୍ୟାୟରେ ମହାନଗର ନିଗମ ପକ୍ଷରୁ ସ୍ୱତନ୍ତ୍ର ଭାବେ ସମ୍ମାନିତ କରାଯିବ” କହିଛନ୍ତି ରାଉରକେଲା ମହାନଗର ନିଗମର କମିସନର ଦିବ୍ୟଜ୍ୟୋତି ପରିଡ଼ା।

ଏହି ପୁରସ୍କାର ପ୍ରଦାନ ସମାରୋହରେ ମହାନଗର ନିଗମର ଉପାୟୁକ୍ତ ଡକ୍ଟର ଗୌରବମୟ ପ୍ରଧାନ ମଞ୍ଚ ପରିଚାଳନା କରିଥିବା ବେଳେ ଉପାୟୁକ୍ତା ସୀତାଦେବୀ ମାଝି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ମହାନଗର ନିଗମର ସ୍ୱାସ୍ଥ୍ୟ ଅଧିକାରୀ ସୁଶିଲ କୁମାର ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ।

Comment