ଓଡ଼ିଶାଲାଇଭ୍ ବ୍ୟୁରୋ

ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଆସିଥିବା ଦୁର୍ନୀତି ଅଭିଯୋଗର ତଦନ୍ତ କରିବେ ଭିଜିଲାନ୍ସ। ଏନେଇ ଶୁକ୍ରବାର ଭିଜିଲାନ୍ସ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ଲୋକାୟୁକ୍ତ। ତା’ସହିତ ଫେବ୍ରୁଆରି ୧୨ ତାରିଖ ସୁଦ୍ଧା ଏହି ମାମଲାର ତଦନ୍ତ କରି ରିପୋର୍ଟ ଦାଖଲ କରିବାକୁ ଭିଜିଲାନ୍ସ ବିଭାଗକୁ କୁହାଯାଇଛି।

ଗତ ଡିସେମ୍ବର ୭ ତାରିଖରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଦୁର୍ନୀତି ମାମଲାର ତଦନ୍ତ ପାଇଁ ଲୋକାୟୁକ୍ତଙ୍କୁ ସୁପାରିସ୍ କରିଥିଲେ ମୁଖ୍ୟମନ୍ତ୍ରୀ। ରାଜ୍ୟ ସରକାରଙ୍କ ତରଫରୁ ଲୋକାୟୁକ୍ତଙ୍କ ପାଇଁ ଏହା ପ୍ରଥମ ମାମଲା ହୋଇଥିଲା। ତା’ସହିତ ଏହାର ସ୍ୱଚ୍ଛ ତଦନ୍ତ ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଶୁକ୍ରବାର ଲୋକାୟୁକ୍ତ ଏହି ମାମଲାର ଭିଜିଲାନ୍ସ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାର ଆଗାମୀ ଶୁଣାଣି ଫେବ୍ରୁଆରି ୧୨ ତାରିଖରେ ହେବ।ଆଇଏଫ୍ଏସ୍ ଅଫିସର ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କ ସହ ମିଶି ଗୋପାଳପୁର ବିଧାୟକ ଅନେକ ଟଙ୍କା ଜାଲିଆତି କରିଥିବା ଖବର ମିଳିଥିଲା। ଏହାପରେ ତାଙ୍କୁ ଗତ ୨୯ ତାରିଖରେ ଦଳରୁ ଜନବିରୋଧୀ କାମ ପାଇଁ ଦଳରୁ ବହିଷ୍କାର କରାଯାଇଥିଲା।

ଏହାପରେ ଆକାଶ ପାଠକଙ୍କ ସହ ସେ ଲକ୍ଷାଧିକ ଟଙ୍କା କାରବାର କରିଥିବା ନେଇ କ୍ରାଇମବ୍ରାଞ୍ଚକୁ ଖବର ମିଳିଥିଲା। ତେଣୁ ଡିସେମ୍ବର ୩ ତାରିଖରେ ରାତିରେ କ୍ରାଇମବ୍ରାଞ୍ଚ ତାଙ୍କୁ ତାଙ୍କ ବାସଭବନରୁ ଉଠାଇନେଇ ପଚରାଉଚୁରା କରିବା ସହ ଏହାର କିଛି ଘଣ୍ଟା ପରେ ଗିରଫ କରିଥିଲା।

Comment