ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୀ ବାସେଳୀ ସାହି ଥାନା ହାଜତ ମୃତ୍ୟୁ ମାମଲାର ତଦନ୍ତ ତିନୋଟି ସ୍ୱାଧୀନ ଏବଂ ନିରପେକ୍ଷ ସଂସ୍ଥା ଦ୍ଵାରା କରାଯାଉଛି। ଜାତୀୟ ମାନବାଧିକାର କମିସନ ଘଟଣାର ତଦନ୍ତ ଲାଗି ଜଣେ ଅବସରପ୍ରାପ୍ତ ଆଇଏଏସ୍ ଅଫିସର ବିନୋଦ ଅଗ୍ରୱାଲଙ୍କୁ ନିଯୁକ୍ତି ଦେଇଛନ୍ତି। ଉକ୍ତ ଅଫିସର ଏହି ଘଟଣାର ତଦନ୍ତ କରି ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବା ଲାଗି କୁହାଯାଇଛି।

ସେହିପରି ଏନ୍ଏଚ୍‌ଆର୍‌ସି ଗାଇଡ୍‌ଲାଇନ୍ ଅଧୀରରେ ପୁରୀ ଏସ୍‌ପି ଏହି ଘଟଣାର ବିଚାର ବିଭାଗୀୟ ତଦନ୍ତ (ଜୁଡିସିଆଲ୍ ଇନ୍‌କ୍ଵାରୀ) ପାଇଁ ପୁରୀ ଜିଲ୍ଲା ଜଜ୍‌ଙ୍କୁ ଅନୁରୋଧ କରିଛନ୍ତି। ଜିଲ୍ଲା ଦୌରା ଜଜ୍ ଘଟଣାର ତଦନ୍ତ ଲାଗି ପୁରୀ ଜେଏମ୍ଏଫ୍‌ସିଙ୍କୁ ନିର୍ଦ୍ଦେଶ ଦେବା ସହ ଏହାର ଏକ ରିପୋର୍ଟ ଦାଖଲ ଲାଗି କହିଛନ୍ତି। ମାନବାଧିକାର ସୁରକ୍ଷା ସେଲ୍‌ର ଡିଏସ୍‌ପିଙ୍କୁ ମଧ୍ୟ ଘଟଣାର ତଦନ୍ତ ଲାଗି ନିଯୁକ୍ତି ଦିଆଯାଇଛି। ସୋମବାର ପୁରୀ ଏସ୍‌ପି ବାସେଳୀ ସାହି ହାଜତ ମୃତ୍ୟୁ ଘଟଣାରେ ତଦନ୍ତର ଅଗ୍ରଗତି ସଂକ୍ରାନ୍ତରେ ସତ୍ୟପାଠ ଦାଖଲ କରି ଏଭଳି ସୂଚନା ଦେଇଛନ୍ତି।

ରିପୋର୍ଟ ଦାଖଲ ପରେ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ମହମ୍ମଦ ରଫିକ୍ ଏବଂ ବିଚାରପତି ଜଷ୍ଟିସ୍ ବିଶ୍ୱନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି ଆସନ୍ତା ୨୨ ତାରିଖକୁ ଧାର୍ଯ୍ୟ କରିଛନ୍ତି। ଅପରପକ୍ଷରେ ମୃତକ କେ. ରମେଶଙ୍କ ବାପା, ମା’ଙ୍କୁ ପୋଲିସ ହାଜତରେ ରଖାଯାଇଥିବା ନେଇ ଯେଉଁ ଅଭିଯୋଗ ହୋଇଛି ତାହାକୁ ଏହି ସତ୍ୟପାଠରେ ଅସ୍ୱୀକାର କରାଯାଇଛି।ପୁରୀ ଏସ୍‌ପି ଡ. କନ୍ୱର୍ ବିଶାଲ ସିଂ ଏହି ସତ୍ୟପାଠ ଦାଖଲ କରିଛନ୍ତି। ଗତ ଶୁଣାଣି ସମୟରେ ଆବେଦନକାରୀ ପୁରୀର ଆଇନଜୀବୀ ଶରତ କୁମାର ରାୟଗୁରୁଙ୍କ ପକ୍ଷରୁ ଏକ ସତ୍ୟପାଠ ଦାଖଲ କରାଯାଇଥିଲା। ପୂର୍ବରୁ ପୁରୀ ଏସ୍‌ପି ଯେଉଁ ରିପୋର୍ଟ ଦାଖଲ କରିଥିଲେ ସେଥିରେ ବିରୋଧାଭାସ ରହିଥିବା ନେଇ ସେ ଅଦାଲତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହି  ଜବାବ ପରେ ପୁରୀ ଏସ୍‌ପିଙ୍କୁ ତଦନ୍ତର ଅଗ୍ରଗତି ସଂକ୍ରାନ୍ତରେ ରିପୋର୍ଟ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ।

ସୋମବାର ପୁରୀ ଏସ୍‌ପି ଘଟଣାର ତିନୋଟି ସଂସ୍ଥା ଦ୍ଵାରା ନିରପେକ୍ଷ ତଦନ୍ତ କରାଯାଉଛି ବୋଲି ଦର୍ଶାଇଛନ୍ତି। ତେଣୁ ଆବେଦନକାରୀ ଏହି ଘଟଣାରେ ନିରପେକ୍ଷ ତଦନ୍ତ ସମ୍ଭବ ନୁହେଁ ବୋଲି ଯେଉଁ ଅଭିଯୋଗ କରାଯାଇଛି ତାହାକୁ ଏସ୍‌ପି ଖଣ୍ଡନ କରିଛନ୍ତି। ଏଥିସହ କେ. ରମେଶଙ୍କ ପରିବାରର ଦୁଃଖକୁ ଦୃଷ୍ଟିରେ ରଖି ମୁଖମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଅନ୍ତରୀଣ ସହାୟତା ହିସାବରେ ୫ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଥିବା ଦର୍ଶାଯାଇଛି। ମୃତକଙ୍କ ପିତାମାତାଙ୍କ ପ୍ରତି ଖରାପ ବ୍ୟବହାର ପ୍ରଦର୍ଶନ କରାଯାଇ ନାହିଁ କିମ୍ବା ସେମାନଙ୍କୁ କୌଣସି ପ୍ରକାର ଭୟଭୀତ କରାଯାଇ ନାହିଁ ବୋଲି ଏସ୍‌ପି ସତ୍ୟପାଠରେ ଉଲ୍ଲେଖ କରିଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଏହି ମାମଲାକୁ ଆଇନଜୀବୀ ଦୀପକ ମହାପାତ୍ର, କବିରାଜ ପ୍ରଧାନ ଏବଂ ପଦ୍ମାଳୟା ମହାପାତ୍ର ପରିଚାଳନା କରୁଛନ୍ତି।

Comment