ଓଡ଼ିଶାଲାଇଭ୍ ବ୍ୟୁରୋ

ଜମ୍‌ତରା ଗ୍ୟାଙ୍ଗ କ’ଣ ଏବଂ କିପରି ଏକି ଠକମାନଙ୍କୁ ମୁକାବିଲା କରିବେ ଜାଣନ୍ତୁ।

“ହ୍ୟାଲୋ! ଆମେ ଅମକ ବ୍ୟାଙ୍କରୁ କହୁଥିଲୁ। ଆପଣଙ୍କ ଆକାଉଣ୍ଟକୁ ୫୦ ହଜାର ଟଙ୍କା ଆସିଛି। ଆପଣଙ୍କ ମୋବାଇଲ ନମ୍ଵରକୁ ଏକ ଓଟିପି ଯାଇଛି। ଆପଣ ସେହି ନମ୍ଵରଟି ଆମକୁ ଦେଲେ ଆମେ କନ୍‌ଫରମେସନ କରିଥାନ୍ତୁ।” ଆପଣଙ୍କ ପାଖକୁ ଏମିତି ଫୋନ ଆସୁଛି କି? ଯହି ହଁ ତେବେ ସତର୍କ ହୋଇ ଯାଆନ୍ତୁ। କାହିଁକି ନା ଦେଶରେ ଏବେ ମାତିଛନ୍ତି ଜମ୍‌ତରା ଗ୍ୟାଙ୍ଗ। ଆପଣଙ୍କଠୁ କିଛି ତଥ୍ୟ ନେଇ ଅଳ୍ପ ସମୟରେ ହିଁ ଏମାନେ ଖାଲି କରିଦେବେ ଆପଣଙ୍କ ଆକାଉଣ୍ଟ। ତେବେ ଆସନ୍ତୁ ଜାଣିବା କ’ଣ ଏହି ଜମ୍‌ତରା ଗ୍ୟାଙ୍ଗ। କିପିରି ଏହି ଠକମାନଙ୍କୁ ସାମ୍ନା କରାଯାଇପାରିବ।କ’ଣ ଏହି ଜମ୍‌ତରା ଗ୍ୟାଙ୍ଗ?

ଝାଡ଼ଖଣ୍ତର ଏକ ଜିଲ୍ଲାର ନାମ ହେଉଛି ଜମ୍‌ତରା। ଏହି ଅଞ୍ଚଳର କିଛି ଯୁବକମାନେ ସାଇବର ଅପରାଧରେ ଲିପ୍ତ ରହିଥିବାର ଖବର ରହିଛି। ସାଧାରଣତଃ ଇଞ୍ଜିନିୟରିଂ ଛାତ୍ର ଏବଂ ଭଲ କହିପାରୁଥିବା ପାଠପଢୁଆ ଛାତ୍ରମାନଙ୍କୁ ଏହି ଗ୍ୟାଙ୍ଗରେ ସାମିଲ କରାଯାଇଥାଏ। ଅଳ୍ପ ସମୟ ଏବଂ ଖୁବ ସହଜ ଉପାୟରେ ଟଙ୍କା ଆୟ କରିବାର ଲୋଭ ଦେଖାଇ କିଛି ବ୍ୟକ୍ତି ସେମାନଙ୍କୁ ଗ୍ୟାଙ୍ଗରେ ସାମିଲ କରିଥାନ୍ତି।

ଏହି ଗ୍ୟାଙ୍ଗର ମୁଖ୍ୟ କାମ ହେଉଛି ବିଭିନ୍ନ ଲୋକଙ୍କୁ ଫୋନ କରି ନିଜକୁ ବ୍ୟାଙ୍କ କର୍ମଚାରୀର ପରିଚୟ ଦେଇ ସେମାନମାନଙ୍କଠାରୁ ବ୍ୟାଙ୍କ ଏଟିଏମ କାର୍ଡ ନମ୍ଵର, କ୍ୟୁଆର୍ କୋଡ୍, ଓଟିପି ଆଦି ହାସଲ କରିବା। ଯେଉଁ ବ୍ୟକ୍ତି ସେମାନଙ୍କୁ ଏହି ଡାଟା ଦେଇଦିଏ, ତେବେ ଆଖି ପିଛୁଳାକେ ତାଙ୍କ ଆକାଉଣ୍ଟକୁ ଖାଲି କରିଦିଅନ୍ତି ଜମ୍‌ତରା ଗ୍ୟାଙ୍ଗର ଏହି ଯୁବକମାନେ।

ପ୍ରଥମେ ଝାଡ଼ଖଣ୍ଡର ଜମ୍‌ତରା ଜିଲ୍ଲାରୁ ଏହି ଗ୍ୟାଙ୍ଗ ସକ୍ରିୟ ରହିଥିଲା। ଏହାବାଦ୍ ଦେଶର ଅନ୍ୟ ସବୁ ରାଜ୍ୟ ଯେପରିକି ଉତ୍ତରପ୍ରଦେଶ, ବିହାର, ହରିୟାଣା, ରାଜସ୍ଥାନ, ପଶ୍ଚିମବଙ୍ଗ ଆଦି ରାଜ୍ୟରେ ମଧ୍ୟ ଏହି ପ୍ରକାର ନୂଆ ନୂଆ ଗ୍ୟାଙ୍ଗ ତିଆରି ହେବାର ଖବର ରହିଛି। ବର୍ତ୍ତମାନ ସମୟରେ ଝାଡ଼ଖଣ୍ତ ଏବଂ ବିହାରରେ ଏହି ଗ୍ୟାଙ୍ଗ ବେଶି ସକ୍ରିୟ ରହିଛି।କେମିତି ଠକନ୍ତି ଜମ୍‌ତରା ଗ୍ୟାଙ୍ଗ?

ଜମ୍‌ତରା ଗ୍ୟାଙ୍ଗର ବ୍ୟକ୍ତିମାନେ ବିଭିନ୍ନ ଲୋକଙ୍କୁ ଫୋନ କରି ନିଜକୁ ବ୍ୟାଙ୍କ କର୍ମଚାରୀର ପରିଚୟ ଦେଇଥାନ୍ତି। ଏହାପରେ କିଛି ମଧୁର କଥା କହି ସେମାନେ ଗ୍ରାହକଙ୍କ ବିଶ୍ଵାସ ଜିତିନିଅନ୍ତି। ଗ୍ରାହକଟିଏ ଯେତେବେଳେ ତାଙ୍କ କଥାକୁ ବିଶ୍ଵସ କରିନିଏ, ଏହାବାଦ୍ ଠକମାନେ ଗ୍ରାହକଙ୍କୁ ତାଙ୍କର ବ୍ୟାଙ୍କ ଆକାଉଣ୍ଟ ନମ୍ଵର, ଏଟିଏମ କାର୍ଡ ଉପରେ ଲେଖାଥିବା ୧୬ ଅଙ୍କର ନମ୍ଵର, ଓଟିପି, କ୍ୟୁଆର୍ କୋଡ୍ ଆଦି ମାଗିଥାନ୍ତି। ଯଦି ଗ୍ରାହକ ଏହିସବୁ ତଥ୍ୟ ସେମାନଙ୍କୁ ଦେଇଦିଅନ୍ତି। ତେବେ ଆଖି ପିଛୁଳାକେ ଗ୍ରାହକଟିର ଆକାଉଣ୍ଟରୁ ଗାୟବ ହୋଇଯାଏ ସବୁ ଟଙ୍କା।

ଜମ୍‌ତରା ଗ୍ୟାଙ୍ଗର ଠକମାନେ ଗ୍ରାହକଙ୍କୁ ଫୋନକରି ଓଟିପି ବଦଳରେ ଇଣ୍ଟରନାସନାଲ୍ ଟ୍ରାଭେଲ୍ କୋଡ୍ ମାଗିଥାନ୍ତି। ସାଧାରଣତଃ ଓ୍ଵାନ୍‌ ଟାଇମ୍‌ ପାସଓ୍ଵାଡ (ଓଟିପି) ବିଷୟରେ ଅନେକ ଲୋକ ଜାଣିଥିବାରୁ ଠକମାନେ ଓଟିପିର ବିକଳ୍ପ ହିସାବରେ ଇଣ୍ଟରନାସନାଲ୍ ଟ୍ରାଭେଲ୍ କୋଡ୍ ମାଗିଥାନ୍ତି। ହଠାତ୍ ଇଣ୍ଟରନାସନାଲ୍ ଟ୍ରାଭେଲ୍ କୋଡ୍ ଶୁଣିବାକୁ ଭିନ୍ନ ଲାଗୁଥିବାରୁ ଗ୍ରାହକମାନେ ଠକମାନଙ୍କୁ ଓଟିପି କହିଦିଅନ୍ତି। ଏହି ଓଟିପିକୁ ବ୍ୟବହାର କରି ଠକମାନେ ଗ୍ରାହକର ଆକାଉଣ୍ଟରୁ ସବୁ ଟଙ୍କା ଖାଲି କରିଦିଅନ୍ତି।ଜମ୍‌ତରା ଲିଙ୍କରେ ଓଡ଼ିଶା

ଆମ ରାଜ୍ୟରେ ଜମ୍‌ତରା ଗ୍ୟାଙ୍ଗ ଥିବାର କୌଣସି ପ୍ରମାଣ ମିଳିନଥିଲେ ସୁଦ୍ଧା ପରବର୍ତ୍ତୀ ସମୟରେ ଓଡ଼ିଶା ଏହାର ଲିଙ୍କରେ ଆସିପାରେ ବୋଲି ମଙ୍ଗଳବାର ପୋଲିସ କମିସନର ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ ଏକ ସାମ୍ଵାଦିକ ସମ୍ମିଳନୀରେ କହିଛନ୍ତି। ଏଥିପାଇଁ ଜନସାଧାରଣ ସଚେତନ ରହିବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି। ଜମ୍‌ତରା ଗ୍ୟାଙ୍ଗକୁ କେମିତି ମୁକାବିଲା କରିବେ?

ସାଇବର ଏକ୍ସପର୍ଟମାନଙ୍କ କହିବା ଅନୁସାରେ ଜମ୍‌ତରା ଗ୍ୟାଙ୍ଗର ଲୋକମାନଙ୍କୁ ଜାଣିବାକୁ ହେଲେ ଆପଣମାନଙ୍କୁ ନିମ୍ନୋକ୍ତ ପଏଣ୍ଟଗୁଡ଼ିକ ଆପଣାଇବାକୁ ହେବ।

  • ଯଦି ଆପଣଙ୍କୁ କେହି ବ୍ୟକ୍ତି ଫୋନ କରି ନିଜକୁ ବ୍ୟାଙ୍କ ଆକାଉଣ୍ଟ ବିଷୟରେ ପଚାରୁଛନ୍ତି ତେବେ ସେମାନଙ୍କୁ କିଛି ତଥ୍ୟ ଦିଅନ୍ତୁ ନାହିଁ।
  • ଫୋନ କରିଥିବା ବ୍ୟକ୍ତି ଯଦି ନିଜକୁ ବ୍ୟାଙ୍କ କର୍ମଚାରୀ କହୁଛନ୍ତି ତେବେ ତାଙ୍କୁ ଆପଣଙ୍କ ଆକାଉଣ୍ଟରେ କେତେଟଙ୍କା ଅଛି ବୋଲି ପଚାରନ୍ତୁ। ଏପରି ପଚାରିଲେ ସେମାନେ ସଠିକ୍‌ ତଥ୍ୟ କହିପାରିବେ ନାହିଁ।
  • ଯେତେବେଳେ ବି କିଛି ଅର୍ଥ କାରବାର କରୁଛନ୍ତି ସ୍ଥାନୀୟ ବ୍ୟାଙ୍କକୁ ଯାଇ କରନ୍ତୁ।
  • ଯଦି ଅନଲାଇନରେ ଟଙ୍କା କାରବାର କରୁଛନ୍ତି ତେବେ ବ୍ୟାଙ୍କ ଦ୍ଵାରା ପ୍ରଦତ୍ତ ଆପ୍‌ ମାଧ୍ୟମରେ ହିଁ କରନ୍ତୁ।
  • ଅନଲାଇନ ପେମେଣ୍ଟ ଆପ୍‌ ଫୋନ ପେ, ଗୁଗଲ ପେ, ପେ-ଟିଏମ ଆଦିର କ୍ୟୁଆର କୋଡ୍ କାହାସହ ସେଆର କରନ୍ତୁ ନାହିଁ।
  • ଏଟିଏମ୍ କାର୍ଡ ଉପରେ ଲେଖାଥିବା ୧୬ ଅଙ୍କ ନମ୍ଵର, କାର୍ଡ ପଛରେ ଲେଖାଥିବା ୩ ଅଙ୍କ ନମ୍ଵର, କାର୍ଡର ବୈଧତା ଆଦି କାହାସହ ସେଆର କରନ୍ତୁ ନାହିଁ।
  • ଆପଣଙ୍କ ମୋବାଇଲ କିମ୍ଵା ଇ-ମେଲକୁ ଆସୁଥିବା ଓଟିପି କାହାସହ ସେଆର କରନ୍ତୁ ନାହିଁ।

Comment