ଓଡ଼ିଶାଲାଇଭ୍ ବ୍ୟୁରୋ

  • ପ୍ଲାଷ୍ଟିକ ମୁକ୍ତ ହେବ ରାଉରକେଲା ସହର
  • ବର୍ଜ୍ୟବସ୍ତୁ ପରିଚାଳନା ନିମନ୍ତେ ଦୁଇଟି ସଂସ୍ଥା ସହ ଏମଓୟୁ ସ୍ୱାକ୍ଷରିତ
  • ଶୁଖିଲା ବର୍ଜ୍ୟବସ୍ତୁ ପରିଚାଳନା ନିମନ୍ତେ ରାଗ୍ ପିକରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ: କମିସନର

ରାଉରକେଲା ସହରକୁ ପ୍ଲାଷ୍ଟିକ ମୁକ୍ତ କରିବା ଲାଗି ମହାନଗର ନିଗମ ପକ୍ଷରୁ ବର୍ଜ୍ୟବସ୍ତୁ ପରିଚାଳନା ନିମନ୍ତେ ଦୁଇଟି ସଂସ୍ଥା ସହ ଏମଓୟୁ ସ୍ୱାକ୍ଷରିତ ହୋଇଛି। ଶନିବାର ସ୍ଥାନୀୟ ଲେବର ଟେନାମେଣ୍ଟ ସ୍ଥିତ କଲ୍ୟାଣ ମଣ୍ଡପଠାରେ ସହରର ରାଗ୍ ପିକରଙ୍କ ନିମନ୍ତେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ରାଉରକେଲା ମହାନଗର ନିଗମର କମିସନର ଦିବ୍ୟଜ୍ୟୋତି ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସହରକୁ ପ୍ଲାଷ୍ଟିକମୁକ୍ତ କରିବା ପାଇଁ ଦୁଇଟି ସଂସ୍ଥା ସହ ଏହି ଏମଓୟୁ ସ୍ୱାକ୍ଷରିତ କରିଛନ୍ତି।

“ଶୁଖିଲା ବର୍ଜ୍ୟବସ୍ତୁ ପରିଚାଳନା ନିମନ୍ତେ ରାଗ୍ ପିକରଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେଣୁ ସହରକୁ ପ୍ଲାଷ୍ଟିକ୍ ମୁକ୍ତ କରିବା ଦିଗରେ ମହାନଗର ନିଗମର ଏହି ପ୍ରଚେଷ୍ଟା ଫଳପ୍ରଦ ସାବ୍ୟସ୍ତ ହେବ”, କହିଛନ୍ତି ରାଉରକେଲା ମହାନଗର ନିଗମର କମିସନର ଦିବ୍ୟଜ୍ୟୋତି ପରିଡ଼ା।ସହରର ଶୁଖିଲା ବର୍ଜ୍ୟବସ୍ତୁ ପରିଚାଳନା ନିମନ୍ତେ କ୍ଲିଅର କ୍ଲାଉଡ ଏନଭାଇରୋ ସଂସ୍ଥା ସହ ଏକ ଏମଓୟୁ ସ୍ୱାକ୍ଷରିତ ହୋଇଛି। ଏହି ଏମଓୟୁ ଫଳରେ ଉକ୍ତ ସଂସ୍ଥା ସହରର ଜରି ଗୋଟାଳୀ ଏବଂ ଅନ୍ୟ ରାଗ୍ ପିକରଙ୍କ ସହ ଯୋଗାଯୋଗ ରକ୍ଷା କରି ସେମାନଙ୍କ କାର୍ଯ୍ୟକୁ ବ୍ୟବସ୍ଥିତ କରିବ। ଏଥିସହ ସେମାନଙ୍କୁ ଆବଶ୍ୟକ ସୁରକ୍ଷା ଉପକରଣ ପ୍ରଦାନ କରି ଶୁଖିଲା ବର୍ଜ୍ୟବସ୍ତୁ ସଂଗ୍ରହ ସଂପର୍କିତ ତାଲିମ ମଧ୍ୟ ପ୍ରଦାନ କରିବ। ପରେ ସେମାନଙ୍କ ଠାରୁ ଉଚିତ ବଜାର ମୂଲ୍ୟରେ ପ୍ଲାଷ୍ଟିକ ଓ ଅନ୍ୟାନ୍ୟ ଶୁଖିଲା ବର୍ଜ୍ୟବସ୍ତୁ ସଂଗ୍ରହ କରି ତାହାର ପୁନଃପ୍ରକ୍ରିୟାକରଣ ନିମନ୍ତେ ପଦକ୍ଷେପ ନିଆଯିବା ନେଇ କାର୍ଯ୍ୟକ୍ରମରେ ଆଲୋଚନା ହୋଇଛି।

ସେହିପରି ରାଉରକେଲା ମହାନଗର ନିଗମ ପକ୍ଷରୁ ସ୍ଥାପିତ ମାଇକ୍ରୋ କମ୍ପୋଷ୍ଟିଂ କେନ୍ଦ୍ରରେ ମଧ୍ୟ ଉକ୍ତ ସଂସ୍ଥା କିଛି ରାଗ୍ ପିକରଙ୍କୁ ନିଯୁକ୍ତି ଦେଇ ସେଠାକୁ ଆସୁଥିବା ଶୁଖିଲା ବର୍ଜ୍ୟବସ୍ତୁକୁ ଉତ୍ତମ ଭାବେ ପ୍ୟାକେଜିଂ କରି ପର୍ଯ୍ୟାବରଣ ନିୟମ ପ୍ରକାରେ ପୁନଃପ୍ରକ୍ରିୟାକରଣ ପାଇଁ ପଦକ୍ଷେପ ନେବ। ଏଥିଲାଗି ରାଉରକେଲା ମହାନଗର ନିଗମକୁ କୌଣସି ଖର୍ଚ୍ଚ କରିବାକୁ ପଡିବ ନାହିଁ। ବରଂ ଶୁଖିଲା ବର୍ଜ୍ୟବସ୍ତୁର ପୁନଃପ୍ରକ୍ରିୟାକରଣ ଓ ବ୍ୟବହାର ଦିଗରେ ମହାନଗର ନିଗମର ପ୍ରୟାସ ଫଳପ୍ରଦ ହୋଇପାରିବ ଏବଂ ରାଗ୍ ପିକରଙ୍କ ଜୀବନଧାରଣର ମାନରେ ମଧ୍ୟ ଉନ୍ନତି ଆସିପାରିବ।ଅନ୍ୟପଟେ ନିଗମ ପକ୍ଷରୁ ସହରର ଓଦା ବର୍ଜ୍ୟବସ୍ତୁର ପରିଚାଳନା ନିମନ୍ତେ କୋଏଲ୍ ଫ୍ରେସ୍ ସଂସ୍ଥା ସହ ଏକ ଏମଓୟୁ ସ୍ୱାକ୍ଷରିତ ହୋଇଛି। ମହାନଗର ନିଗମ ପକ୍ଷରୁ ସ୍ଥାପିତ ମାଇକ୍ରୋ କମ୍ପୋଷ୍ଟିଂ କେନ୍ଦ୍ରଗୁଡିକରେ ପ୍ରକ୍ରିୟାକରଣ ପାଇଁ ଆସୁଥିବା ଓଦା ବର୍ଜ୍ୟବସ୍ତୁ ପରିମାଣରୁ ଅତିରିକ୍ତ ବର୍ଜ୍ୟବସ୍ତୁକୁ ଏହି ସଂସ୍ଥା ମାଧ୍ୟମରେ ପ୍ରକ୍ରିୟାକରଣ କରାଯିବ। ଦୈନିକ ଅତିରିକ୍ତ ୧୦ ଟନ୍ ଓଦା ବର୍ଜ୍ୟବସ୍ତୁକୁ ଏହି ସଂସ୍ଥା ସଂଗ୍ରହ କରି ନିଜସ୍ୱ ଉଦ୍ୟମରେ କମ୍ପୋଷ୍ଟିଂ କରି ଖତ ପ୍ରସ୍ତୁତ କରି ବ୍ୟବହାର କରିବ। ଏହା ଫଳରେ ମହାନଗର ନିଗମ ବିନା କୌଣସି ବ୍ୟୟରେ ନିଜର ଅତିରିକ୍ତ ଓଦା ବର୍ଜ୍ୟବସ୍ତୁର ପ୍ରକ୍ରିୟାକରଣ ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ସହ ବର୍ଜ୍ୟବସ୍ତୁରୁ ପ୍ରକ୍ରିୟାକରଣ ପରେ ବାହାରୁଥିବା ଖତର ମଧ୍ୟ ସୁବିନିଯୋଗ ହୋଇପାରିବ।ଏହି କାର୍ଯ୍ୟକ୍ରମରେ ମହାନଗର ନିଗମର ଡେପୁଟି କମିସନର ସୁଧାଂଶୁ କୁମାର ଭୋଇ ଏବଂ ଡକ୍ଟର ଗୌରବମୟ ପ୍ରଧାନ ଯୋଗ ଦେଇ ଉପସ୍ଥିତ ରାଗ୍ ପିକର ମାନଙ୍କୁ ସମ୍ବୋଧିତ କରିଥିଲେ। ସହରକୁ ସ୍ୱଚ୍ଛ ରଖିବା ଦିଗରେ ରାଗ୍ ପିକର ମାନଙ୍କ ପ୍ରଚେଷ୍ଟା ଏକ ପରିବର୍ତ୍ତନ ଆଣିପାରିବ ବୋଲି ସେମାନେ ମତବ୍ୟକ୍ତ କରିଥିଲେ।  ସେହିପରି କ୍ଲିଅର କ୍ଲାଉଡ ଏନଭାଇରୋ ସଂସ୍ଥାର ନବୀନ ଅଗ୍ରୱାଲ ଏବଂ କୋଏଲ ଫ୍ରେଶ ସଂସ୍ଥାର ଅଂଶୁମାନ ନାୟକ ଓ ସଂଧ୍ୟା ନାୟକ ଯୋଗଦେଇ ରାଉରକେଲା ମହାନଗର ନିଗମ ସେମାନଙ୍କ ସହିତ ବର୍ଜ୍ୟବସ୍ତୁ ପରିଚାଳନା ନିମନ୍ତେ ଏମଓୟୁ ସ୍ୱାକ୍ଷର କରିଥିବାରୁ ଧନ୍ୟବାଦ ଜଣାଇବା ସହ ଆଗକୁ ସେମାନେ ମହାନଗର ନିଗମକୁ ବର୍ଜ୍ୟବସ୍ତୁ ପରିଚାଳନାରେ ଆବଶ୍ୟକ ସହଯୋଗ ଯୋଗାଇଦେବେ ବୋଲି ମତବ୍ୟକ୍ତ କରିଥିଲେ।

Comment