ଓଡ଼ିଶାଲାଇଭ୍ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ନିର୍ମାଣର ୧୨ ବର୍ଷ ପରେ ବି କାର୍ଯ୍ୟକ୍ଷମ ହୋଇପାରୁନି ରାୟଗଡ଼ା ଜିଲ୍ଲାର ପଦ୍ମପୁର ବ୍ଲକ ମାର୍କେଟ କମ୍ପ୍ଲେକ୍ସ। ଆବଶ୍ୟକ ନଥିବା ସ୍ଥାନରେ ଏହାକୁ ନିର୍ମାଣ କରାଯାଇଥିବାରୁ ଏହା କାର୍ଯ୍ୟକ୍ଷମ ହେଉନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ତେଣୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଲୋକମାନେ ଦାବି କରିଛନ୍ତି।

ରାୟଗଡ଼ା ଜିଲ୍ଲାର ଆଦିବାସୀ ଜନଜାତିମାନଙ୍କୁ ସ୍ଵାବଲମ୍ଵୀ କରିବା ଉଦ୍ଦେଶ୍ୟରେ ୨୦୦୭-୦୮ ଆର୍ଥିକ ବର୍ଷରେ ଏହି ମାର୍କେଟ କମ୍ପ୍ଲେକ୍ସଟିକୁ ନିର୍ମାଣ କରାଯାଇଥିଲା। ମୋଟ୍ ୨୦ଟି ଦୋକାନ ଗୃହକୁ ନେଇ ଏହି କମ୍ପ୍ଲେକ୍ସ ତିଆରି ହୋଇଥିବା ବେଳେ ନିର୍ମାଣକୁ ୧୨ ବର୍ଷ ପୂରି ଯାଇଥିଲେ ମଧ୍ୟ ଏଯାଏଁ ଏହା କାର୍ଯ୍ୟକ୍ଷମ ହୋଇପାରିଲା ନାହିଁ।

ଆବଶ୍ୟକତା ନଥିବା ସ୍ଥାନରେ ଏହି କମ୍ପ୍ଲେକ୍ସଟିକୁ ନିର୍ମାଣ କରାଯାଇଛି। ତେଣୁ ଦୀର୍ଘଦିନ ଧରି ଖାଲିପଡ଼ିବା କାରଣରୁ କ୍ରମେ ଏହି ସ୍ଥାନ ମଦ୍ୟପମାନଙ୍କ ଆଡ୍ଡା ପାଲଟି ଯାଇଛି। ପଞ୍ଚାୟତରେ ଆହୁରି ଅନେକ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ପାଇଁ ଅନୁଦାନର ଆବଶ୍ୟକତା ରହିଥିବା ବେଳେ ସରକାରୀ ଅନୁଦାନର ଏପରି ବ୍ୟୟ କରାଯିବାକୁ ସ୍ଥାନୀୟ ଲୋକେ ନାପସନ୍ଦ କରିଛନ୍ତି।

ଅନ୍ୟ କେଉଁ ସ୍ଥାନରେ ଏହି କମ୍ପ୍ଲେକ୍ସଟିକୁ ନିର୍ମାଣ କରାଯାଇଥିଲେ ବ୍ୟବସାୟିକ ଦୃଷ୍ଟିକୋଣରୁ ଏହା ଲୋକଙ୍କ ହିତରେ ଲାଗିପାରିଥାନ୍ତା। ତେଣୁ ଏହି କମ୍ପ୍ଲେକ୍ସଟି କିପରି କାର୍ଯ୍ୟକ୍ଷମ ହେବ ବ୍ଲକ ପ୍ରଶାସନ ସେଥିପ୍ରତି ଦୃଷ୍ଟି ଦେବା ଜରୁରୀ ବୋଲି ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରିଛନ୍ତି।

Comment