ଓଡ଼ିଶାଲାଇଭ୍‌ ବ୍ୟୁରୋ

ନେତାଏ କଟକଣା ଭୁଲିଗଲେଣି ନା କରୋନାକୁ ଆଉ ଡର ନାହିଁ?

କରୋନା ମହାମାରୀକୁ ନେଇ ସାରାବିଶ୍ୱରେ ଭୟ ରହିଛି। ପ୍ରାୟ ୯ ମାସ ହେଲାଣି କରୋନା ପ୍ରଭାବରେ ହନ୍ତସନ୍ତ ହେଉଛନ୍ତି ଲୋକେ। ସଂକ୍ରମଣ ଭୟରେ ସବୁଠି ମାସ୍କ ପିନ୍ଧିବା, ସାମାଜିକ ଦୂରତା ରଖିବାକୁ ବାଧ୍ୟତାମୂଳକ କରାଯାଇଛି। ଏପରିସ୍ଥଳରେ ରାଜନୈତିକ ଦଳମାନଙ୍କର ଘନ ଘନ ସଭା, ରାଲି ଆଦିକୁ ଦେଖି ଏବେ ନେତାମାନେ କରୋନା ଭୟାବହତାକୁ ଭୁଲି ଗଲେଣି ବୋଲି ଚର୍ଚ୍ଚା ହେଉଛି। ଦିନେ କରୋନା ପାଇଁ ମାସ୍କ ପିନ୍ଧିବା ଓ ୨ ମିଟର ଦୂର ରଖିବା ଜରୁରୀ ସମସ୍ତେ କହୁଥିଲେ। କିନ୍ତୁ ଏବେ ନେତା, ମନ୍ତ୍ରୀଙ୍କୁ ଶହ ଶହ ଲୋକଙ୍କ ଗହଣରେ ଦେଖିବାକୁ ମିଳିଛି।

ନିର୍ବାଚନ ହେଲା, ପ୍ରଚାର ହେଲା

କରୋନା ମହାମାରୀ ଭିତରେ ବିଭିନ୍ନ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ, ଓ ଉପନିର୍ବାଚନ କେମିତି ହେବ ସେନେଇ ପ୍ରଶ୍ନ ଉଠିଥିଲା। ତେବେ ବିନା ସଭା, ପ୍ରଚାରରେ କିଭଳି ନିର୍ବାଚନ ହେଇପାରିବ ସେନେଇ ଉଠୁଥିବା ପ୍ରଶ୍ନରେ ପୂର୍ଣ୍ଣଛେଦ ପକାଇଥିଲେ ଭାରତୀୟ ନିର୍ବାଚନ ଆୟୋଗ। ନିର୍ବାଚନ ପାଇଁ ସ୍ୱତନ୍ତ୍ର ଗାଇଡଲାଇନ ଆଣି ମତଦାନ ଆୟୋଜନ କରିବାକୁ ନିର୍ବାଚନ ଆୟୋଗ ଘୋଷଣା କରିଥିଲେ। ନିର୍ଦ୍ଦେଶନାମା ଅନୁସାରେ ନିର୍ବାଚନ ହେଲା। କିନ୍ତୁ ଯଦି ବିହାର ବିଧାନସଭା ନିର୍ବାଚନ ଓ ଓଡ଼ିଶା ଉପନିର୍ବାଚନକୁ ଦୃଷ୍ଟିକୁ ନିଆଯାଏ ତେବେ ପ୍ରଚାର ସମୟରେ କୌଣସି ଦଳ ନିୟମ ମନେ ରଖିଥିବା ମନେ ହୁଏନି।

କାରଣ ସବୁ ଦଳର ଛାମୁଆ ନେତାଙ୍କ ଭିଡ଼। କର୍ମୀଙ୍କ ଗହଳି। ସଭାସମିତିରେ ଜନସାଧାରଣଙ୍କ ସମାବେଶ। ଏସବୁ ଭିତରେ କରୋନା କଟକଣା ଅଛି ବୋଲି ପ୍ରାୟ ସମସ୍ତେ ଭୁଲିଯାଇଥିବା ମନେ ହେଉଥିଲା। ବିଭିନ୍ନ ପ୍ରଚାର ସଭାରେ କିଛି ଲୋକଙ୍କ ମୁହଁରେ ମାସ୍କ ରହୁନଥିବା ବି ଦେଖାଯାଇଥିଲା। କରୋନା ହେବା ପୂର୍ବରୁ ଲୋକେ ଯେପରି ସଭାସମିତିରେ ଭିଡ଼କରି ଏକତ୍ର ବସୁଥିଲେ, ନିର୍ବାଚନୀ ସମାବେଶରେ ସେହିପରି ଦେଖିବାକୁ ମିଳିଥିଲା।

ସଂସଦରେ ବାତିଲ ହେଲା ଶୀତ ଅଧିବେଶନ

ଦେଶରେ ଯେତେବେଳେ କରୋନା ସଂକ୍ରମଣ ସଂଖ୍ୟା ଢେର ଅଧିକ ଥିଲା ସେତେବେଳେ ଦେଶରେ ନିର୍ବାଚନ ହେଲା। ସଂସଦରେ ମୌସୁମୀ ଅଧିବେଶନ ବସିଥିଲା। କିନ୍ତୁ ଏବେ ଯେତେବେଳେ ସଂକ୍ରମଣ ସଂଖ୍ୟା କମିତି, ମୃତ୍ୟୁହାର ବି ହ୍ରାସ ଘଟିଛି। ସେତେବେଳେ ସଂକ୍ରମଣ ଭୟରେ ଶୀତ ଅଧିବେଶନକୁ ବାତିଲ କରିଦିଆ ଯାଇଛି।

ନୂଆ କୃଷି ଆଇନକୁ ନେଇ ଚାଷୀମାନେ ଦିଲ୍ଲୀ ସୀମାରେ ଆନ୍ଦୋଳନରେ ବସିଛନ୍ତି। ବିରୋଧୀମାନେ ଏହାକୁ ନେଇ ସଂସଦର ସ୍ୱତନ୍ତ୍ର ଅଧିବେଶନ ପାଇଁ ଦାବି କରୁଥିଲେ ମଧ୍ୟ ବର୍ତ୍ତମାନ ସମୟରେ ଶୀତ ଅଧିବେଶନ ଡାକିବା ସମ୍ଭବ ନୁହେଁ ବୋଲି କହିଥିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ। ହେଲେ ଏହି କରୋନା ସମୟରେ ଜନ ସମାବେଶ କରିବା କେତେ ଦୂର ଠିକ୍‌? ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି।

ପଶ୍ଚିମବଙ୍ଗରେ ପ୍ରବଳ ଗହଳି

ଗୋଟିଏ ପଟେ କରୋନା ପାଇଁ ଶୀତ ଅଧିବେଶନ ବନ୍ଦ ରହିଥିଲା ବେଳେ ଅନ୍ୟପଟେ ରାଜନେତିକ ଦଳମାନେ ବିଭିନ୍ନ ପ୍ରସଙ୍ଗରେ ସଭା ସମିତି, ରାଲି, ପଦଯାତ୍ରା କରିବାକୁ ଭୁଲି ନାହାନ୍ତି।

ଶନିବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପଶ୍ଚିମବଙ୍ଗ ଗସ୍ତ କରିଥିଲେ। ଏହି ଅବସରରେ ବିଶାଳ ରାଲି କରିବା ସହିତ ଜନ ସମାବେଶ କରିଥିଲେ। ଏଥିରେ ଶହ ଶହ ସମର୍ଥକ ଯୋଗ ଦେଇଥିଲେ। ଯେଉଁମାନଙ୍କ ଭିତରେ ନା ଦୂରତା ଦେଖିବାକୁ ମିଳିଥିଲା, ନା ମାସ୍କ ପିନ୍ଧିବା। ଏମିତିକି ଅମିତ ଶାହ ନିଜେ ମଧ୍ୟ ମାସ୍କ ପିନ୍ଧି ନଥିଲେ। ତେବେ ଏଠି କ’ଣ କରୋନା ଭୟ ନଥିଲା ବୋଲି ସାଧାରଣରେ ପ୍ରଶ୍ନ ଉଠିବା ଆରମ୍ଭ କରିଲାଣି।

ଇଂଲଣ୍ଡରେ ଫେରିଲା ଲକଡାଉନ୍‌

ଇଂଲଣ୍ଡରେ କରୋନା ମହାମାରୀ ପୁଣି ଅଣାୟତ୍ତ ହୋଇଛି। ଫଳରେ ଦେଶରେ ପୁଣି ଲକଡାଉନ ଫେରିଛି। ଡିସେମ୍ବର ୩୦ ଯାଏଁ ଲକଡାଉନ ରହିବ। ସଂକ୍ରମଣକୁ ନିୟନ୍ତ୍ରଣକୁ ଆଣିବାକୁ ବ୍ରିଟେନ ସରକାର ଚେଷ୍ଟା କରୁଛନ୍ତି। ସଂକ୍ରମଣ ନିୟନ୍ତ୍ରଣକୁ ନଆସିଲେ ଲକଡାଉନ୍‌ ଅବଧି ପୁଣି ବଢ଼ପାରେ ବୋଲି କୁହାଯାଉଛି। ସମ୍ପୂର୍ଣ୍ଣ ଟିକାକରଣ ନସରିବା ଯାଏଁ ସତର୍କ ରହିବାକୁ ଲୋକଙ୍କୁ କୁହାଯାଇଛି।

ଇଂଲଣ୍ଡରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୦ ଲକ୍ଷ ଅତିକ୍ରମ କରିଥିଲା ବେଳେ ମୃତ୍ୟୁସଂଖ୍ୟା ୬୭ ହଜାରରୁ ଅଧିକ ରହିଛି। ଭାରତରେ ବି ଯଦି ଏଭଳି ସ୍ଥିତି ଲାଗି ରହେ ସଂକ୍ରମଣ ବଢ଼ିବାର ଯଥେଷ୍ଟ ଆଶଙ୍କା ରହିଛି।

ଓଡ଼ିଶାରେ ପରୀକୁ ନ୍ୟାୟ ପାଇଁ ପଦଯାତ୍ରା

ଓଡ଼ିଶାରେ ଏବେ ମୁଖ୍ୟ ପ୍ରସଙ୍ଗ ପାଲଟିଛି ନୟାଗଡ଼ର ପରୀ ହତ୍ୟା ଘଟଣା। ପରୀକୁ ନ୍ୟାୟ ଦେବା ପାଇଁ ବିଜେପି, କଂଗ୍ରେସ ଲଗାତର ଦାବି କରୁ ଆସୁଛନ୍ତି। ବିକ୍ଷୋଭ କରିବା ସହିତ ୨ ଦଳ ଘନଘନ ସଭା, ରାଲି ମଧ୍ୟ କରୁଛନ୍ତି। ବିଜେପି ଏବେ ପରୀ ପାଇଁ ୫ ଦିନିଆ ପଦଯାତ୍ରାର ଆୟୋଜନ କରିଛି। ଏହି ଯାତ୍ରା ଡିସେମ୍ବର ୨୦ରୁ ଆରମ୍ଭ ହୋଇଥିବା ପଦଯାତ୍ରା ୨୪ରେ ସରିବ।

ତେବେ ଏହି ପଦଯାତ୍ରାରେ ବି ଲୋକଙ୍କ ଭିତରେ ଦେଖିବାକୁ ମିଳୁନି କରୋନା ନିୟମ। କାହାର ମାସ୍କ କାନ୍ଧରେ ପଡ଼ିଥିଲା ବେଳେ କାହାର ମାସ୍କ ବେକରେ ଝୁଲୁଛି। ହେଲେ କାହାର କରୋନା କଥା ମନେ ନାହିଁ। ଏହା ଯେ ରାଜ୍ୟରେ ସଂକ୍ରମଣ ବଢ଼ାଇପାରେ।

ଏହି ରାଲିରେ ସାମିଲ ହୋଇଥିବା ଲୋକେ ଯେତେବେଳେ ଘରକୁ ଫେରିବେ ସେତେବେଳେ ସେମାନେ ବହୁ ଲୋକଙ୍କୁ ବିପଦ ମୁଖକୁ ଠେଲି ଦେବାର ସମ୍ଭବନା ରହିଛି। କାରଣ ସେମାନେ ଯଦି ସଂକ୍ରମିତ ହୋଇଥିବେ ତେବେ ତାଙ୍କଠାରୁ ସଂକ୍ରମଣ ବଢ଼ିବାର ଯଥେଷ୍ଟ ସମ୍ଭବନା ରହିଛି।

ଓଡ଼ିଶାରେ ବଢ଼ିପାରେ ସଂକ୍ରମଣ

କରୋନା ପାଇଁ ସବୁକିଛି ଡିଜିଟାଲରେ କରିବାକୁ କୁହାଯାଇଥିଲେ ବି ରାଜନୈତିକ ଦଳଗୁଡ଼ିକ ଏବେ ଧୀରେ ଧୀରେ ଡିଜିଟାଲରୁ ଫିଜିକାଲ ମୋଡକୁ ଆସିଲେଣି। ବିଜେଡି, ବିଜେପି, କଂଗ୍ରେସ ୩ଟି ଯାକ ଦଳ ଭିଡ଼ିଓ କନଫରେନ୍ସିଂ ନକରି ବିଭିନ୍ନ ସଭା ସମିତି ଆୟୋଜନ କରୁଥିବାର ଦୃଷ୍ଟାନ୍ତ ରହିଛି। ଏଥିରେ ବହୁ ସଂଖ୍ୟାରେ କର୍ମୀ ଓ ସମର୍ଥକ ମଧ୍ୟ ସାମିଲ ହେଉଛନ୍ତି। ଏହିସବୁ ଜାରି ରହିଲେ ଓଡ଼ିଶାରେ ବି ସଂକ୍ରମଣ ବଢ଼ିପାରେ।

ଓଡ଼ିଶାରେ ଏବେ ସଂକ୍ରମଣ ହ୍ରାସ ପାଇଛି। ମୃତ୍ୟୁ ସଂଖ୍ୟା ବି କମିଛି। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୬,୫୯୬କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୩,୨୧,୬୪୭ ଜଣ ସୁସ୍ଥ ହୋଇଥିବା ବେଳେ ୩,୦୫୭ ଜଣ ସକ୍ରିୟ ରୋଗୀ ଅଛନ୍ତି। ଅନ୍ୟପଟେ ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ମୃତ୍ୟୁସଂଖ୍ୟା ୧,୮୩୯କୁ ବୃଦ୍ଧି ପାଇଛି।

ଦୀପାବଳି ପରେ ଗୁଜରାଟ, ଦିଲ୍ଲୀରେ ବଢ଼ିଥିଲା ସଂକ୍ରମଣ

ଦୀପାବଳି ପରେ ହଠାତ ଦିଲ୍ଲୀ ଓ ଗୁଜରାଟରେ କରୋନା ସଂକ୍ରମଣ ଭୟଙ୍କର ଭାବେ ବୃଦ୍ଧ ପାଇଥିଲା। ଦିନକୁ ୧ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିଲା ବେଳେ ପ୍ରାୟ ଶହେରୁ ଅଧିକ ଆକ୍ରାନ୍ତ ଆଖି ବୁଜିଥିଲେ। ଫଳରେ ଗୁଜରାଟ ସରକାର ପୁଣି ନାଇଟ କର୍ଫ୍ୟୁ ଘୋଷଣା କରିଥିଲେ। ସେହିପରି ଦିଲ୍ଲୀରେ ବି ସ୍ଥିତି ସଙ୍ଗୀନ ହୋଇଥିଲା। ଦୀପାବଳିରେ ବାଣ ଫୁଟାଇବା ଉପରେ କଟକଣା ଥିଲେ ବି ଲୋକେ ମାନିନଥିଲେ। ଯାହାଦ୍ୱାରା ସଂକ୍ରମଣ ବଢ଼ିଥିଲା।

Comment