ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

‘କେମିତି କହିବି କହ’ ଧାରାବାହିକ ଜରିଆରେ ପୁଣି ଥରେ ଛୋଟ ପରଦାକୁ ଫେରୁଛନ୍ତି ଓଲିଉଡ ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର।

ଦୀର୍ଘ ଦିନର ବ୍ୟବଧାନ ପରେ ଏବେ ଛୋଟ ପରଦା ମୁହାଁ ହୋଇଛନ୍ତି ଓଲିଉଡ ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର। ଜୀ-ସାର୍ଥକ ଓ ଅକ୍ଷୟ ପରିଜା ପ୍ରଡକ୍ସନର ନୂଆ ଧାରାବାହିକ ‘କେମିତି କହିବି କହ’ରେ ସିଦ୍ଧାନ୍ତଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ। ଏଥିରେ ଓଲିଉଡର ଚୁଲବୁଲି ନାୟିକା ସୁପ୍ରିୟା ସିଦ୍ଧାନ୍ତଙ୍କ ବିପକ୍ଷରେ ନଜର ଆସିବେ।

ଜଣାଶୁଣା ଫିଲ୍ମ ନିର୍ଦ୍ଦେଶକ ସୁଶାନ୍ତ ମଣି ଏହି ଧାରାବାହିକର ନିର୍ଦ୍ଦେଶନା ଦେଇଥିବା ବେଳେ ସ୍ୱର ସଂଯୋଜନା ଦାୟିତ୍ୱ ସମ୍ଭାଳିଛନ୍ତି ଗୁଡଲି ରଥ। ସେହିପରି ସୀତାଂଶୁ ମହାପାତ୍ର କ୍ୟାମେରା ପରିଚାଳନା କରୁଛନ୍ତି। ପ୍ରଥମ କରି ଏହି ଧାରାବାହିକରେ ଏକ ହେଲିକପ୍ଟର ବ୍ୟବହାର କରାଯାଇଛି। ସିଦ୍ଧାନ୍ତ ଓ ସୁପ୍ରିୟାଙ୍କ ବ୍ୟତୀତ ‘କେମିତି କହିବି କହ’ରେ ଓଡ଼ିଆ ଚଳଚ୍ଚିତ୍ର ଜଗତର ଆଉ କିଛି ତାରକାଙ୍କୁ ମଧ୍ୟ ଦେଖିବାକୁ ମିଳିବ।ନିଜର ଏହି ନୂଆ ପ୍ରୋଜେକ୍ଟକୁ ନେଇ ସିଦ୍ଧାନ୍ତ କହିଛନ୍ତି, ଚଳଚ୍ଚିତ୍ର ହେଉ କି ଧାରାବାହିକ, ନିର୍ମାତା ଓ ନିର୍ଦ୍ଦେଶକମାନେ ସବୁବେଳେ ପରୀକ୍ଷା ନୀରିକ୍ଷା ଜାରି ରଖିବା ଦରକାର। ଦର୍ଶକଙ୍କୁ ଆକୃଷ୍ଟ କରିବା ସହ ବ୍ୟାବସାୟିକ ସଫଳତା ପାଇଁ ଏହା ନିହାତି ଜରୁରୀ। କେମିତି କହିବି କହ ହେଉଛି ସେମିତି ଏକ ବଡ଼ ଏକ୍ସପେରିମେଣ୍ଟ। ଦର୍ଶକମାନେ ତାଙ୍କ ଚଳଚ୍ଚିତ୍ରକୁ ଯେମିତି ଭଲପାଇବା ଦେଇଛନ୍ତି ଏହି ଧାରାବାହିକକୁ ମଧ୍ୟ ସେମିତି ଭଲପାଇବେ।

ଏହି ଧାରାବାହିକ ପୂର୍ବରୁ ସିଦ୍ଧାନ୍ତ ମହାପାତ୍ର ଆଉ କେତେକ ଧାରାବାହିକରେ ମଧ୍ୟ ନଜର ଆସିଥିଲେ। ଚୋରାବାଲି, ବିଧାତାର ଖେଳ, ସକାଳର ଅପେକ୍ଷାରେ ଧାରାବାହିକରେ ସିଦ୍ଧାନ୍ତଙ୍କୁ ଦେଖିବାକୁ ମିଳିଥିଲା।ଚୋରାବାଲି

ଡିଡି ଓଡ଼ିଆରେ ପ୍ରସାରିତ ଚୋରାବାଲିରେ ସିଦ୍ଧାନ୍ତ ମହାପାତ୍ର ଦମଦାର ଅଭିନୟ କରିଥିଲେ। ଏଥିରେ ତାଙ୍କ ଭୂମିକାକୁ ଦର୍ଶକମାନେ ଖୁବ ପସନ୍ଦ କରିଥିଲେ। ସେତେବେଳେ ଏହି ଧାରାବାହିକ ସୁପରଡୁପର ହିଟ୍ ସାବ୍ୟସ୍ତ ହୋଇଥିଲା। ‘ଚୋରାବାଲି’ରେ ସିଦ୍ଧାନ୍ତଙ୍କ ବିପକ୍ଷରେ ନାୟିକା ସାଜିଥିଲେ ପ୍ରିୟଙ୍କା ମହାପାତ୍ର। ଏହି ଧାରାବାହିକ ସିଦ୍ଧାନ୍ତଙ୍କୁ ବେଶ୍ ମାଇଲେଜ୍ ଦେଇଥିଲା। ମହମ୍ମଦ ମହସିନ ଏହି ଧାରାବାହିକର ନିର୍ଦ୍ଦେଶନା ଦେଇଥିବା ବେଳେ ସୁବୋଧ ପଟ୍ଟନାୟକ ସଂଳାପ ଲେଖିଥିଲେ।

ବିଧାତାର ଖେଳ

ପୂର୍ବରୁ ପ୍ରସାରିତ ହେଉଥିବା ‘ବିଧାତାର ଖେଳ’ ଧାରାବାହିକରେ ସିଦ୍ଧାନ୍ତ ମହାପାତ୍ର ଅଭିନୟ କରିଥିଲେ। ଏଥିରେ ତାଙ୍କୁ ଜଣେ ପୋଲିସ ଅଫିସର ଭୂମିକାରେ ଦେଖିବାକୁ ମିଳିଥିଲା। ଏହି ଧାରାବାହିକରୁ ଅଭିନେତ୍ରୀ ସୋଫିଆ ଆଲାମ ନିଜ ଅଭିନୟ ଜୀବନ ଆରମ୍ଭ କରିଥିଲେ। ସୁବାସ ରାଉତ ଏହି ଧାରାବାହିକର ପ୍ରଯୋଜନା ଦାୟିତ୍ୱରେ ଥିଲେ।ସକାଳର ଅପେକ୍ଷାରେ

ଆଉ ଏକ ଧାରାବାହିକ ‘ସକାଳର ଅପେକ୍ଷାରେ’ରେ ମଧ୍ୟ ସିଦ୍ଧାନ୍ତ ମହାପାତ୍ର ନଜର ଆସିଥିଲେ। ଏହି ଧାରାବାହିକ ମଧ୍ୟ ଡିଡି ଓଡ଼ିଆରେ ପ୍ରସାରିତ ହେଉଥିଲା।

Comment