ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜସ୍ୱ ବୃଦ୍ଧି ଲାଗି ଶିଳ୍ପର ଆବଶ୍ୟକତା ରହିଛି। କିନ୍ତୁ ଏହାର ଅର୍ଥ ନୁହେଁ ଯେ ଜୀବନ ପ୍ରତିବଦଳରେ, ଜୈବ ବିବିଧତାକୁ ନଷ୍ଟ କରି ଶିଳ୍ପ ପ୍ରତିଷ୍ଠା କରାଯିବ। ଶିଳ୍ପାୟନ ଏବଂ ଜୈବ ବିବିଧତା ମଧ୍ୟରେ ଏକ ସମନ୍ୱୟର ଆବଶ୍ୟକତା ରହିଛି। ଯଦି ଉଭୟ ମଧ୍ୟରେ ଭାରସାମ୍ୟ ନରହେ ତାହେଲେ ଏହା ଧ୍ୱଂସକୁ ଡାକି ଆଣିବ। ଇଡ୍‌କୋର ୮ ଏକର ଜଙ୍ଗଲ ଜମିକୁ ଶିଳ୍ପ ସଂସ୍ଥା ହାତକୁ ଟେକି ଦେବା ଘଟଣା ନେଇ ହାଇକୋର୍ଟ ଚିନ୍ତା ବ୍ୟକ୍ତ କରିବା ସହ ଉପରୋକ୍ତ ମତ ଦେଇଛନ୍ତି।

ଜଙ୍ଗଲ ଜମି ଶିଳ୍ପ ସଂସ୍ଥାକୁ ଦିଆଯିବା ଘଟଣାକୁ ନେଇ ହାଇକୋର୍ଟ ଜିଲ୍ଲା ପ୍ରଶାସନକୁ ପ୍ରଶ୍ନ କରିଛନ୍ତି। ଯଦି ୨୦୧୧ ଏବଂ ୨୦୧୫ ମସିହାରେ ଏହି ଜମିକୁ ଶିଳ୍ପ ସଂସ୍ଥାକୁ ଦେବା ପାଇଁ ହୋଇଥିବା ଲିଜ୍‌କୁ ବାତିଲ୍ କରାଯାଇଥିଲା ତାହେଲେ ଏବେ ପୁଣି କ’ଣ ପାଇଁ ସେହି ଏକା ଜମିକୁ ଶିଳ୍ପ ସଂସ୍ଥାକୁ ଦିଆଯାଉଛି ବୋଲି ଅଦାଲତ ପ୍ରଶ୍ନ କରିଛନ୍ତି। ସ୍ଥାନୀୟ ଲୋକଙ୍କ ବିରୋଧକୁ ଅଣଦେଖା କରି, ଜୈବ ବିବିଧତା ପ୍ରତି ବିପଦ ଆଶଙ୍କାକୁ ଦୃଷ୍ଟି ନ ଦେଇ ଜମିକୁ ଶିଳ୍ପ ସଂସ୍ଥାକୁ ଦିଆଯିବା ନେଇ ଅଦାଲତ ଉଦବେଗ ପ୍ରକାଶ କରିଛନ୍ତି।

ଏଭଳି ଜମି ହସ୍ତାନ୍ତରକୁ ବିରୋଧ କରି ଆବେଦନକାରୀମାନେ ଝାରସୁଗୁଡ଼ା ଜିଲ୍ଲାପାଳଙ୍କୁ ଯେଉଁ ସ୍ମାରକପତ୍ର ଦେଇଛନ୍ତି ତାହାକୁ ଜିଲ୍ଲାପାଳ ବିଚାର କରି, ସମସ୍ତ ପକ୍ଷଙ୍କୁ ଶୁଣି ମୌଖିକ ନିର୍ଦ୍ଦେଶ(ସ୍ପିକିଂ ଅର୍ଡର) ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅଦାଲତଙ୍କ ଏହି ଆଦେଶ ପାଇବାର ତିନି ମାସ ମଧ୍ୟରେ ଜିଲ୍ଲାପାଳ ଏହି ଶୁଣାଣି ପ୍ରକ୍ରିୟା ଶେଷ କରିବାକୁ ହାଇକୋର୍ଟ କହିଛନ୍ତି। ଝାରସୁଗୁଡ଼ା ସୋଡ଼ାମାଳ ଗ୍ରାମର ନ୍ୟୁ ଲାଇଟ୍ ଯୁବକ ସଂଘ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ମହମ୍ମଦ ରଫିକ୍ ଏବଂ ବିଚାରପତି ଡକ୍ଟର ଜଷ୍ଟିସ୍ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି।

କୋଲାବିରା ତହସିଲ୍ ଅନ୍ତର୍ଗତ ସୋଡ଼ାମାଳ ଗ୍ରାମର ୮ ଏକର ଜମିକୁ ଇଡ୍‌କୋ ନେଇଯିବା ପରେ ସେହି ଜମିକୁ ମହାନଦୀ ୱେଷ୍ଟ ମ୍ୟାନେଜ୍‌ମେଣ୍ଟ ସର୍ଭିସ ହାତକୁ ଟେକି ଦିଆଯାଇଥିଲା। ଏହାକୁ ଚାଲେଞ୍ଜ କରି ଗ୍ରାମବାସୀ ଝାରସୁଗୁଡ଼ା ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ଦେଇଥିଲେ। କିନ୍ତୁ ଜିଲ୍ଲାପାଳ ଏହା ଉପରେ କୌଣସି ପଦକ୍ଷେପ ଗ୍ରହଣ ନ କରିବାରୁ ନ୍ୟୁ ଲାଇଟ୍ ଯୁବକ ସଂଘ ହାଇକୋର୍ଟକୁ ଆସିଥିଲା। ଯୁବକ ସଂଘର ଯୁକ୍ତି ଥିଲା ଯେ, ୨୦୧୧ ଏବଂ ୨୦୧୫ ମସିହାରେ ସ୍ଥାନୀୟ ତହସିଲ୍‌ଦାର ଏହି ଜମିକୁ ଇଡ୍‌କୋକୁ ଦିଆଯିବ ବୋଲି ସର୍ବସାଧାରଣରେ ନୋଟିସ୍ କରିଥିଲେ। ସେଠାରେ ଏକ ସ୍ଥାୟୀ ଶିଳ୍ପ ପ୍ରତିଷ୍ଠା କରାଯିବା ପାଇଁ ଲିଜ୍ ସୂତ୍ରରେ ଏହି ଜମି ଦିଆଯିବ ବୋଲି କୁହାଯାଇଥିଲା। ସେହି ଜମିଟି ସରକାରୀ ଜମି ହୋଇଥିଲାବେଳେ ସେଠାରେ ଏକ ଜଙ୍ଗଲ ସୃଷ୍ଟି କରାଯାଇଥିଲା। ଏହି ଜମିର ଅଧିଗ୍ରହଣ ହେଉଥିବା ଜଣାପଡ଼ିବା ପରେ ଆବେଦନକାରୀ ଏବଂ ଗ୍ରାମବାସୀଙ୍କ ପକ୍ଷରୁ ଝାରସୁଗୁଡ଼ା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରାଯାଇଥିଲା।

ଗଣମାଧ୍ୟମରେ ଏହି ଖବର ପ୍ରକାଶ ପାଇବା ସହ ସ୍ଥାନୀୟ ଲୋକଙ୍କ ପ୍ରତିବାଦ କାରଣରୁ ଜିଲ୍ଲାପାଳ ଏହି ନୋଟିଫିକେସନ୍‌କୁ ବାତିଲ୍ କରି ଦେଇଥିଲେ। ପୁଣି କୋଲାବିରା ତହସିଲ୍‌ଦାର ୨୦୧୯ରେ ଏହି ଜଙ୍ଗଲ ଜମିକୁ ଇଡ୍‌କୋକୁ ଦିଆଯିବ ବୋଲି ଆଉ ଏକ ନୋଟିଫିକେସନ୍ ପ୍ରକାଶ କରିଛନ୍ତି। ଏଥିସହ ଏହି ଜମିକୁ ଇଡ୍‌କୋ ପକ୍ଷରୁ ଶିଳ୍ପ ସଂସ୍ଥା ହାତକୁ ଟେକି ଦିଆଯିବ ବୋଲି ନିଷ୍ପତ୍ତି ହୋଇଥିଲା। ଗ୍ରାମବାସୀଙ୍କୁ ତାଙ୍କ ପକ୍ଷ ରଖିବାର ସୁଯୋଗ ନଦେଇ ପ୍ରଶାସନ ଶିଳ୍ପ ସଂସ୍ଥା ହାତକୁ ଏହି ଜମିକୁ ଟେକି ଦେଇଥିଲା। ତେଣୁ କୋଲାବିରା ତହସିଲ୍‌ଦାର ଏବଂ ଇଡ୍‌କୋ ପକ୍ଷରୁ ଜାରି ହୋଇଥିବା ନୋଟିଫିକେସନ୍‌କୁ ବାତିଲ୍ ପାଇଁ ଆବେଦନକାରୀମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ ମାମଲାର ଶୁଣାଣି କରି ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଜ୍ୟୋତିର୍ମୟ ଗୁପ୍ତା ମାମଲା ପରିଚାଳନା କରୁଥିଲେ।

Comment