ଓଡ଼ିଶାଲାଇଭ୍ ବ୍ୟୁରୋ

  • ରାଉରକେଲାରେ ହେବ ଦେଶର ବଡ଼ ହକି ଷ୍ଟାଡିୟମ
  • ୧୫ ଏକର ଜମିରେ ନିର୍ମାଣ ହେବ ଷ୍ଟାଡିୟମ
  • ଏକାସଙ୍ଗରେ ଷ୍ଟାଡିୟମରେ ୨୦ ହଜାର ଦର୍ଶକ ବସିପାରିବେ

୨୦୨୩ରେ ଓଡ଼ିଶାରେ ଆୟୋଜିତ ହେବାକୁ ଯାଉଛି ପୁରୁଷ ହକି ବିଶ୍ଵକପ୍। ଏହା ପୂର୍ବରୁ ରାଉରକେଲାରେ ଦେଶର ସବୁଠୁ ବଡ଼ ହକି ଷ୍ଟାଡିୟମ ନିର୍ମାଣ କରାଯିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଘୋଷଣା କରିଛନ୍ତି। ୧୫ ଏକର ଜମିରେ ଏହି ଷ୍ଟାଡିୟମ ନିର୍ମାଣ କରାଯିବ। ଏଥିରେ ୨୦ ହଜାର ଦର୍ଶକ ବସି ମ୍ୟାଚ୍ ଦେଖିପାରିବେ।

ରାଉରକେଲାର ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ଵବିଦ୍ୟାଳୟ କ୍ୟାମ୍ପସରେ ଏହି ଷ୍ଟାଡିୟମ ନିର୍ମାଣ ହେବ। ଏହି ଷ୍ଟାଡିୟମରେ ସମସ୍ତ ଅତ୍ୟାଧୁନିକ ବ୍ୟବସ୍ଥା ଉପଲବ୍ଧ ହେବ, ଯାହା ଅନ୍ୟ ହକି ଷ୍ଟାଡିୟମ ପାଇଁ ଏକ ବେଞ୍ଚମାର୍କ ହେବ।

ଗୁରୁବାର ଏକ ଭିଡିଓ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସୁନ୍ଦରଗଡ଼ ହେଉଛି ହକି ପ୍ରତିଭାର ପାଓ୍ଵାରହାଉସ୍। ଏଠାରୁ ଅନେକ ପ୍ରତିଭାବାନ ହକି ଖେଳାଳି ଅନ୍ତର୍ଜାତୀୟ ସ୍ତରରେ ଭାରତର ପ୍ରତିନିଧିତ୍ଵ କରିଛନ୍ତି। ସୁନ୍ଦରଗଡ଼ରେ ଜନ୍ମିତ ହକି କିମ୍ଵଦନ୍ତୀ ଦିଲ୍ଲୀପ ତିର୍କୀ ଏବଂ ସୁନିତା ଲାକ୍ରା ଭାରତକୁ ବିଶ୍ଵ ସ୍ତରରେ ଗୌରବାନ୍ଵିତ କରିଛନ୍ତି। ଏହି ଜିଲ୍ଲାରେ ହକିର ବେଶ୍ ଲୋକପ୍ରିୟତା ରହିଛି। ତେଣୁ ହକି କ୍ଷେତ୍ରରେ ସୁନ୍ଦରଗଡ଼ବାସୀଙ୍କ ଅବଦାନକୁ ସମ୍ମାନ ଜଣାଇ ରାଉରକେଲାରେ ଏହି ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ନିର୍ମାଣ କରାଯିବ।

କିଛିଦନ ତଳେ ଓଡ଼ିଶା ସରକାର, ଅନ୍ତର୍ଜାତୀୟ ହକି ଫେଡେରେସନ ଏବଂ ହକି ଇଣ୍ତିଆର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ସୁନ୍ଦରଗଡ଼ ଗସ୍ତରେ ଯାଇ ଷ୍ଟାଡିୟମର ସମୀକ୍ଷା କରିଥିଲେ। ଏହାପରେ ଗୁରୁବାର ମୁଖ୍ୟମନ୍ତ୍ରୀ ରାଉରକେଲାରେ ନୂତନ ହକି ଷ୍ଟାଡିୟମ ନିର୍ମାଣ ହେବା ନେଇ ଘୋଷଣା କରିଛନ୍ତି।

ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ୧୭ଟି ବ୍ଲକରେ ସିନ୍ଥେଟିକ୍ ହକି ଟର୍ଫ ଷ୍ଟାଡିୟମ ନିର୍ମାଣ ହେବ।

“ରାଉରକେଲାଠାରେ ଦେଶର ସବୁଠାରୁ ବଡ଼ ହକି ଷ୍ଟାଡିୟମ ନିର୍ମାଣ କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବାରୁ ମୁଁ ସୁନ୍ଦରଗଡ଼ବାସୀଙ୍କ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଉଛି”, ଟୁଇଟ କରି କହିଛନ୍ତି ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ।

୨୦୧୮ ପୁରୁଷ ହକି ବିଶ୍ୱକପ୍ ପରି ଆଗାମୀ ୨୦୨୩ ହକି ପୁରୁଷ ବିଶ୍ୱକପ୍ ମଧ୍ୟ ଓଡ଼ିଶାରେ ଆୟୋଜନ ହେବ। ପୂର୍ବରୁ କେବଳ ଭୁବନେଶ୍ଵରର କଳିଙ୍ଗ ହକି ଷ୍ଟାଡିୟମରେ ବିଶ୍ଵକପ୍‌ର ସମସ୍ତ ମ୍ୟାଚ୍ ଖେଳାଯାଇଥିଲା ବେଳେ ୨୦୨୩ ବିଶ୍ଵକପ୍‌ରେ କଳିଙ୍ଗ ଷ୍ଟାଡିୟମ ସହିତ ରାଉରକେଲାରେ ମଧ୍ୟ ମ୍ୟାଚ୍‌ ଖେଳାଯିବ।

Comment