ଓଡ଼ିଶାଲାଇଭ୍ ବ୍ୟୁରୋ

‘ମୋ ସ୍କୁଲ’ ଅଭିଯାନର ବିଂଶତମ କାର୍ଯ୍ୟକାରୀ ପରିଷଦର ବୈଠକ ଗୁରୁବାର ଅନୁଷ୍ଠିତ ହୋଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ମୋଟ ୨୬ କୋଟି ୭୯ ଲକ୍ଷ ଟଙ୍କାର ପ୍ରକଳ୍ପ ଅନୁମୋଦନ କରାଯାଇଛି। ଏଥିସହ ଓଡ଼ିଶାର ୨୮ଟି ଜିଲ୍ଲାର ୪,୬୪୨ଟି ବିଦ୍ୟାଳୟର ପ୍ରକଳ୍ପକୁ ସ୍ୱୀକୃତି ପ୍ରଦାନ କରାଯାଇଛି।

ଏହି ବୈଠକରେ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ଓ ତଦାରଖ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଇ ଆଲୋଚନା କରାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ୮,୪୬୮ଟି ପ୍ରକଳ୍ପ ସଂପୂର୍ଣ୍ଣ ହୋଇସାରିଛି। ଜିଲ୍ଲା ଏବଂ ବ୍ଲକ୍‌ସ୍ତରରେ ତଦାରଖ ଦଳ ଗଠନ କରାଯାଇ ପ୍ରକଳ୍ପ କାର୍ଯ୍ୟ ସଂପୂର୍ଣ୍ଣ କରିବାକୁ ପ୍ରମୁଖ ଶାସନ ସଚିବ କହିଛନ୍ତି। ସ୍କୁଲ ଖୋଲିବା ପରେ କିପରି ଭାବରେ ଶିକ୍ଷା ବ୍ୟବସ୍ଥାରେ ଉନ୍ନତି କରାଯାଇ ପାରିବ, ସେ ବିଷୟରେ ପୁରାତନ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବା ପାଇଁ ମଧ୍ୟ ବିଭାଗୀୟ ପ୍ରମୁଖ ଶାସନ ସଚିବ ପରାମର୍ଶ ଦେଇଛନ୍ତି।ଦେଶ ଭିତରେ ଏବଂ ବାହାରେ ଥିବା ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ ପୁରାତନ ଛାତ୍ରଛାତ୍ରୀମାନେ ସ୍କୁଲର ଉନ୍ନତି ପାଇଁ ଯଥାସମ୍ଭବ ସାହାଯ୍ୟ କରୁଛନ୍ତି। ‘ମୋ ସ୍କୁଲ’ ଯୋଜନାରେ ପୁରାତନ ଛାତ୍ରଛାତ୍ରୀମାନେ ସ୍ୱେଚ୍ଛାକୃତ ଭାବେ ଅର୍ଥରାଶି ଦାନ କରୁଛନ୍ତି। ବାଲେଶ୍ୱର ଜିଲ୍ଲାରେ ୪ କୋଟି ୨୧ ଲକ୍ଷ, କଳାହାଣ୍ଡିରେ ୭୩ ଲକ୍ଷ ୭ ହଜାର, ଗଞ୍ଜାମରେ ୬୦ ଲକ୍ଷ ୫ ହଜାର, ଖୋର୍ଦ୍ଧାରେ ୫୩ ଲକ୍ଷ ୭ ହଜାର ଏବଂ କଟକରେ ୪୧ ଲକ୍ଷ ୬ ହଜାର ଟଙ୍କ। ପୁରାତନ ଛାତ୍ରଛାତ୍ରୀମାନେ ସ୍ୱତଃପ୍ରବୃତ୍ତ ଭାବେ ପ୍ରଦାନ କରିଥିବା ଜଣାପଡ଼ିଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟର ସମସ୍ତ ଜିଲ୍ଲାର ୨୦ ହଜାର ସ୍କୁଲ ଓ ୨ ଲକ୍ଷ ୬୦ ହଜାର ପୁରାତନ ଛାତ୍ରଛାତ୍ରୀ ‘ମୋ ସ୍କୁଲ’ ଅଭିଯାନରେ ସାମିଲ ହୋଇଛନ୍ତି।ଗତକାଲି ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ, ଓଏସ୍‌ଇପିଏ ନିର୍ଦ୍ଦେଶକ, ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ, ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ, ଟିଇ ଆଣ୍ଡ ଏସ୍‌ସିଇଆର୍‌ଟିର ବିଭାଗୀୟ ଅତିରିକ୍ତ ଶାସନ ସଚିବ, ମୋ ସ୍କୁଲର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଏବଂ ଭାରପ୍ରାପ୍ତ ଅଧିକାରୀ ଉପସ୍ଥିତ ଥିଲେ।

Comment