ଓଡ଼ିଶାଲାଇଭ୍ ବ୍ୟୁରୋ

ସରକାରୀ ସ୍କୁଲ ପିଲାଙ୍କ ଲାଗି ଇଞ୍ଜିନିୟରିଂ ଓ ମେଡିକାଲ ପାଠ୍ୟକ୍ରମରେ ସ୍ଥାନ ସଂରକ୍ଷଣ ନିଷ୍ପତ୍ତିକୁ ବିରୋଧ କରିଛି ରାଜ୍ୟ ବିଜେପି। ଅନ୍ୟାନ୍ୟ ପଛୁଆ ବର୍ଗ ଓ ଆର୍ଥିକ ପଛୁଆ ବର୍ଗର ପିଲାଙ୍କ ଲାଗି ଶିକ୍ଷା ଏବଂ ଚାକିରି କ୍ଷେତ୍ରରେ କେନ୍ଦ୍ର ସରକାର ସଂରକ୍ଷଣ ବ୍ୟବସ୍ଥା କରିଥିଲେ ମଧ୍ୟ ରାଜ୍ୟ ସରକାର ଏହାକୁ ଓଡ଼ିଶାରେ ଲାଗୁ କରିନାହାନ୍ତି। ଏପରି ସ୍ଥଳେ ସରକାରୀ ସ୍କୁଲ ପିଲାଙ୍କୁ ଏକ ନୂଆ ବର୍ଗ କରିବାକୁ ରାଜ୍ୟ ସରକାର ଅପଚେଷ୍ଟା ଚଳାଇଥିବା ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଅଭିଯୋଗ କରିଛନ୍ତି।

“ଗତ ୩୦ ବର୍ଷ ହେଲା ଦେଶରେ ଅନ୍ୟାନ୍ୟ ପଛୁଆ ବର୍ଗଙ୍କ ଲାଗି ୨୭ ପ୍ରତିଶତ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ହୋଇଛି। ସେହିପରି ୨୦୧୯ରେ କେନ୍ଦ୍ର ସରକାର ଆର୍ଥିକ ପଛୁଆ ବର୍ଗ ପାଇଁ ୧୦ ପ୍ରତିଶତ ସ୍ଥାନ ସଂରକ୍ଷଣ କରିଛନ୍ତି। କିନ୍ତୁ ରାଜ୍ୟ ସରକାର ଏହାକୁ ଓଡ଼ିଶାରେ ଲାଗୁ କରିନାହାନ୍ତି। ଯଦି ଏହି ସଂରକ୍ଷଣ ନିୟମ ଓଡ଼ିଶାରେ ଲାଗୁ ହୋଇଥାଆନ୍ତା ତେବେ ରାଜ୍ୟର ୩୭ ପ୍ରତିଶତ ସାମାଜିକ ଓ ଆର୍ଥିକ ଦୃଷ୍ଟିରୁ ପଛୁଆ ବର୍ଗର ପିଲା ଶିକ୍ଷା ଏବଂ ଚାକିରି କ୍ଷେତ୍ରରେ ସୁଯୋଗ ପାଇପାରିଥାଆନ୍ତେ”, କହିଛନ୍ତି ଲେଖାଶ୍ରୀ।

ରାଜ୍ୟ ସରକାର ସମ୍ବିଧାନ ଅନୁମୋଦିତ ଏହି ଦୁଇ ବର୍ଗ ପାଇଁ ସଂରକ୍ଷଣ ନିୟମ ଲାଗୁ ନ କରି ସରକାରୀ ସ୍କୁଲ ପିଲାଙ୍କ ଲାଗି ସ୍ଥାନ ସଂରକ୍ଷିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ସରକାରୀ ସ୍କୁଲ ପିଲାଙ୍କୁ ଏକ ବର୍ଗ କରିବାକୁ ସରକାର ଏବେ ଅପଚେଷ୍ଟା ଚଳାଇଛନ୍ତି। କିନ୍ତୁ ଏହା କଣ ଏକ ସମ୍ବିଧାନ ସ୍ୱୀକୃତ ବର୍ଗ ହୋଇପାରିବ କି ବୋଲି ଲେଖାଶ୍ରୀ ପ୍ରଶ୍ନ କରିଛନ୍ତି।

କେବଳ ସରକାରୀ ସ୍କୁଲ ପିଲାଙ୍କ ସଂରକ୍ଷଣ ପାଇଁ ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହା ସମାଜରେ ବିଭାଜନ ବୃଦ୍ଧି କରିବ। ତେଣୁ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକି ଯୁଦ୍ଧକାଳୀନ ଭିତ୍ତିରେ ଅନ୍ୟାନ୍ୟ ପଛୁଆ ବର୍ଗ ଏବଂ ଆର୍ଥିକ ପଛୁଆ ଶ୍ରେଣୀ ପାଇଁ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବାକୁ ଲେଖାଶ୍ରୀ ଦାବି କରିଛନ୍ତି। ଏହା ଫଳରେ ଉଭୟ ସରକାରୀ ଓ ବେସରକାରୀ ସ୍କୁଲରେ ପଢ଼ୁଥିବା ସାମାଜିକ ଓ ଆର୍ଥିକ ଅନଗ୍ରସର ବର୍ଗର ପିଲାମାନେ ଉପକୃତ ହୋଇପାରିବେ ବୋଲି ସେ କହିଛନ୍ତି।

ଏଥିସହ ରାଜ୍ୟରେ ଏକ ପଛୁଆ ବର୍ଗ କମିସନ ଗଠନ କରି ଅନୁସୂଚିତ ଜାତି ଓ ଜନଜାତି, ଅନ୍ୟାନ୍ୟ ପଛୁଆ ବର୍ଗ, ଆର୍ଥିକ ପଛୁଆ ଶ୍ରେଣୀ ଆଦିରେ କେତେ ଲୋକ ଅଛନ୍ତି ସେ ବାବଦରେ ସ୍ପଷ୍ଟ ତାଲିକା ପ୍ରସ୍ତୁତ କରିବାକୁ ଲେଖାଶ୍ରୀ ଦାବି ଉପସ୍ଥାପନ କରିଛନ୍ତି।

Comment