ଓଡ଼ିଶାଲାଇଭ୍ ବ୍ୟୁରୋ

ବ୍ରିଟେନରୁ ଠାବ ହୋଇଥିବା କରୋନାର ନୂଆ ଷ୍ଟ୍ରେନ୍ ଏବେ ବିଶ୍ୱବାସୀଙ୍କୁ ଚିନ୍ତାରେ ପକାଇଛି। ଏହାରି ଭିତରେ ଅକ୍ସଫୋର୍ଡ ଦ୍ୱାରା ପ୍ରସ୍ତୁତ କରୋନା ଟିକା ଆଷ୍ଟ୍ରାଜେନେକାର ବ୍ୟବହାର ପାଇଁ ବ୍ରିଟେନ ଅନୁମତି ଦେଇଛି। ଟିକାର ଗୁଣବତ୍ତା ଓ ନିରାପତ୍ତା ନେଇ ଅକ୍ସଫୋର୍ଡ ସମ୍ପୂର୍ଣ୍ଣ ତଥ୍ୟ ଦେବା ପରେ ବ୍ରିଟେନ ସରକାର ଏହି ଟିକାକୁ ଅନୁମୋଦନ କରିଛନ୍ତି। ଖୁବଶୀଘ୍ର ଏହାର ଟିକାକରଣ ଆରମ୍ଭ ହେବ ବୋଲି ବ୍ରିଟେନ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

ଏହାପୂର୍ବରୁ ବ୍ରିଟେନରେ ଫାଇଜର ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳିସାରିଛି। ବର୍ତ୍ତମାନ ସୁଦ୍ଧା ପ୍ରାୟ ୭ ଲକ୍ଷରୁ ଅଧିକ ଲୋକଙ୍କୁ ଫାଇଜର ଟିକାର ପ୍ରଥମ ଡୋଜ୍ ଦିଆସରିଛି। ଏବେ ବିଶ୍ୱର ପ୍ରଥମ ଦେଶ ଭାବେ ବ୍ରିଟେନ ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ଟିକାକୁ ଅନୁମୋଦନ କରିଛି। ଏହି ଟିକା ପାଇଁ ବ୍ରିଟେନ ପକ୍ଷରୁ ୧୦ କୋଟି ଡୋଜର ବରାଦ ଦିଆଯାଇଛି। ସେଠାକାର ୫ କୋଟି ଲୋକଙ୍କୁ ଏହି ଟିକା ଦିଆଯିବ ବୋଲି ଜଣାପଡ଼ିଛି।

ଏହି ଟିକାର ବ୍ୟବହାର ପାଇଁ ଆଷ୍ଟ୍ରାଜେନେକା ପକ୍ଷରୁ ବ୍ରିଟେନ ସରକାରଙ୍କ ନିକଟରେ ଆବେଦନ କରାଯାଇଥିଲା। ବ୍ରିଟେନର ମେଡିସିନ୍ ଆଣ୍ଡ୍ ହେଲଥକେୟାର ପ୍ରଡକ୍ଟସ୍ ରେଗୁଲେଟୋରି ଏଜେନ୍ସି (MHRA) ଏହି ଟିକା ପରୀକ୍ଷଣ ବେଳେ ମିଳିଥିବା ଫଳାଫଳକୁ ଅନୁଧ୍ୟାନ କରିଥିଲା। ଅନେକ ପରୀକ୍ଷା ନୀରିକ୍ଷା ପରେ ଏମ୍ଏଚ୍ଆରଏ ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ଟିକାକୁ ଅନୁମୋଦନ କରିଛି। ଏହି ଟିକା ସୁରକ୍ଷିତ ବୋଲି ଟ୍ରାଏଲ ବେଳେ ଜଣାପଡ଼ିଛି। ଏହାର ସେଭଳି କୌଣସି ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟା ଦେଖିବାକୁ ମିଳିନାହିଁ। ଜଣେ ବ୍ୟକ୍ତିଙ୍କୁ ମୋଟ ଦୁଇଟି ଡୋଜ୍ ଦିଆଯିବ। ପ୍ରଥମେ ଗୋଟିଏ ଡୋଜ୍ ଓ ଏହାର ୪ରୁ ୧୨ ସପ୍ତାହ ମଧ୍ୟରେ ଆଉ ଗୋଟିଏ ଡୋଜ୍ ଦିଆଯିବ ବୋଲି ଏମ୍ଏଚ୍ଆରଏ ପକ୍ଷରୁ କୁହାଯାଇଛି।

ବ୍ରିଟେନରେ ଅକ୍ସଫୋର୍ଡ ଟିକାକୁ ଅନୁମତି ମିଳିବା ପରେ ଭାରତରେ ଏହି ଟିକାକୁ ନେଇ ନୂଆ ଆଶା ସୃଷ୍ଟି ହୋଇଛି। କାରଣ ଭାରତରେ ଅକ୍ସଫୋର୍ଡ ଟିକା ପରୀକ୍ଷଣ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ତେଣୁ ଆସନ୍ତା ସପ୍ତାହ ମଧ୍ୟରେ ଭାରତରେ ଅକ୍ସଫୋର୍ଡ ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳିପାରେ ବୋଲି କୁହାଯାଉଛି।

Comment