ଓଡ଼ିଶାଲାଇଭ୍‌ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ପାହାଡ଼ ଜଙ୍ଗଲ ଘେରା ରାୟଗଡ଼ା ଜିଲ୍ଲା ପ୍ରକୃତି ସୌନ୍ଦର୍ଯ୍ୟର ଗନ୍ତାଘର ହୋଇଥିବାରୁ ପଡୋଶୀ ଆନ୍ଧ୍ର ସମେତ କଳାହାଣ୍ଡି, କନ୍ଧମାଳ ଓ ଗଜପତି ଜିଲ୍ଲାର ଅଧିକାଂଶ ପର୍ଯ୍ୟଟକ ବଣଭୋଜିର ମଜା ନେବା ପାଇଁ ଜିଲ୍ଲାକୁ ଧାଇଁ ଆସିଥାନ୍ତି। ସମ୍ପ୍ରତି ବିଷମକଟକସ୍ଥିତ ଚାଟିକଣା ଜଳପ୍ରପାତ ଓ ପାର୍ଶ୍ଵରେ ରହିଥିବା ପାତାଳେଶ୍ଵର ମନ୍ଦିର ଓ ନିୟମଗିରି ପର୍ବତମାଳରୁ ଭାସି ଆସୁଥିବା ସୌନ୍ଦର୍ଯ୍ୟପୂର୍ଣ୍ଣ ମନୋହର ଦୃଶ୍ୟ ପର୍ଯ୍ୟଟକଙ୍କୁ ଏଠାକୁ ଟାଣି ନେଉଛି। ନୂତନ ବର୍ଷକୁ ହର୍ସ ଉଲ୍ଲାସ ସହିତ ସ୍ୱାଗତ କରିବା ଓ ପିକନିକ ମଜା ନେବାକୁ ଚାଟିକଣା ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ପାଲଟିଛି। ଚଳିତ ଡିସେମ୍ବର ମାସ ଆରମ୍ଭରୁ ଶତାଧିକ ପର୍ଯ୍ୟଟକ ଚାଟିକଣାଠାରେ ବଣଭୋଜି ଆସର ଜମାଉଛନ୍ତି।

ନିୟମଗିରି ପାହଡରୁ ନିର୍ଗତ ଝରଣାର କୁଳୁକୁଳୁ ଶବ୍ଦ ହୋଇ ପାହାଡ଼ ଚଟାଣ ଉପରୁ ବୋହିଯାଉଥିବା ଜଳ ଜଳପ୍ରପାତ ରୂପ ନେଇଛି। ତା’ସହିତ ପାଖକୁ ଲାଗି ରହିଥିବା ମହାଦେବଙ୍କ ପାତାଳେଶ୍ଵର ମନ୍ଦିର ପରିବେଶକୁ ଭକ୍ତିମୟ ଗଢି ତୋଳୁଛି। ଏଭଳି ରମଣୀୟ ରୋମାଞ୍ଚ ଭରା ଅନୁଭୂତି ଉପଭୋଗ ପାଇଁ ଜିଲ୍ଲା ତଥା ଜିଲ୍ଲା ବାହାରୁ ଏଠାକୁ ପର୍ଯ୍ୟଟକଙ୍କ ସୁଅ ଛୁଟିଛି। ଏହି ଜଳପ୍ରପାତ ପାଦଦେଶରେ ଲୋକେ ଆସର ଜମାଇ ପିକିନିକ ମଜା ନେଇଥାନ୍ତି।

କିନ୍ତୁ ଦୁଃଖର ବିଷୟ ଜିଲ୍ଲାରେ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇଥିବା ଉକ୍ତ ସ୍ଥାନଟି ଏବେବି ପର୍ଯ୍ୟଟକଙ୍କ ସକାଶେ ଆବଶ୍ୟକ ମୌଳିକ ସୁବିଧାରୁ ବଞ୍ଚିତ ରହିଛି। ବିଶୁଦ୍ଧ ପାନୀୟ ଜଳ, ରେଷ୍ଟ ସେଡ଼, ପିକନିକ ପିଣ୍ଡି ଆଦି ସୁବିଧା ନଥିବାରୁ ପର୍ଯ୍ୟଟକ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଯଦ୍ୱାରା ବାହାରୁ ଆସୁଥିବା ଅଧିକାଂଶ ପର୍ଯ୍ୟଟକ ଦ୍ୱିତୀୟ ଥର ଆସିବାକୁ ନାପସନ୍ଦ କରୁଛନ୍ତି।

ତେବେ ଯାତାୟତ ଓ ଟେଲି ଯୋଗାଯୋଗ ବ୍ୟବସ୍ଥା ଏଠାରେ ସୁଗମ ରହିଥିବାରୁ ସ୍ଥାନୀୟ ପର୍ଯ୍ୟଟକଙ୍କ ପ୍ରବଳ ଭିଡ଼ ପରିଲିକ୍ଷିତ ହେଉଛି। ଏନେଇ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଟଳିନା ପ୍ରଧାନୀଙ୍କୁ ପଚାରିବାରୁ ସେ କହିଛନ୍ତି, ଚଳିତ ବର୍ଷ ଚାଟିକଣା ପାରିପାର୍ଶ୍ୱିକ ଉନ୍ନତି ପାଇଁ ପ୍ରସ୍ତାବ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଛି। ସବୁଜ ସଙ୍କେତ ଆସିଲେ ପର୍ଯ୍ୟଟକଙ୍କ ପାଇଁ ଅନ୍ୟ ସବୁ ଆନୁସଙ୍ଗିକ ସୁବିଧା ବ୍ୟବସ୍ଥା ଗ୍ରହଣ କରାଯିବ।

Comment