ଓଡ଼ିଶାଲାଇଭ୍ ବ୍ୟୁରୋ

୪ଟି ଭାଷାରେ ଶବ୍ଦକୋଷ ଲେଖି ଚର୍ଚ୍ଚାରେ କେରଳର ୮୩ ବର୍ଷୀୟ ବୃଦ୍ଧ ନଜତ୍ତେଲା ଶ୍ରୀଧରନ୍।

ଦୃଢ଼ ଇଚ୍ଛା ଶକ୍ତି ଆଗରେ ବୟସ ବି ହାର୍ ମାନେ। ଏହି କଥାକୁ ପ୍ରମାଣ କରି ଦେଖାଇଛନ୍ତି କେରଳର ତାଲାସେରିରେ ରହୁଥିବା ନଜତ୍ତେଲା ଶ୍ରୀଧରନ୍। ଚତୁର୍ଥ ଶ୍ରେଣୀରୁ ସ୍କୁଲ ଛାଡ଼ିଥିବା ଶ୍ରୀଧରଣ ଅନ୍ୟ କୌଣସି ଆନୁଷ୍ଠାନିକ ଶିକ୍ଷା ଗ୍ରହଣ କରିନାହାନ୍ତି। କିନ୍ତୁ ନିଜର ଅଦମ୍ୟ ଇଚ୍ଛାଶକ୍ତି ଯୋଗୁଁ ୮୩ ବର୍ଷ ବୟସରେ ୪ଟି ଭାଷାରେ ଶବ୍ଦକୋଷ ଲେଖି ସେ ଉଦାହରଣ ସୃଷ୍ଟି କରିଛନ୍ତି। ତାଙ୍କର ଏହି କାମ ପାଇଁ ଦେଶ ବିଦେଶରୁ ପ୍ରଶଂସାର ସୁଅ ଛୁଟୁଛି।

ଶ୍ରୀଧରନ୍ ଦକ୍ଷିଣ ଭାରତର ୪ଟି ଭାଷା ଯଥା- ତାମିଲ, ତେଲୁଗୁ, କନ୍ନଡ଼ ଓ ମାଲାୟାଲମରେ ଶବ୍ଦକୋଷ ଲେଖିଛନ୍ତି। ଏହି ଶବ୍ଦକୋଷରେ ୧୨ଲକ୍ଷ ୫୦ ହଜାର ଶବ୍ଦ ରହିଛି। ଏହି ଶବ୍ଦକୋଷ ପ୍ରସ୍ତୁତ କରିବା ପାଇଁ ଶ୍ରୀଧରନ୍ ନିଜ ଜୀବନର ୨୫ ବର୍ଷରୁ ଅଧିକ ସମୟ ଦେଇଛନ୍ତି। ଏନେଇ ଶ୍ରୀଧରନ୍ କୁହନ୍ତି, “ଏବେ ପ୍ରତ୍ୟେକ ମାଲାୟାଲମ ଶବ୍ଦ ପାଇଁ ଆପଣଙ୍କୁ କନ୍ନଡ଼, ତାମିଲ ଓ ତେଲୁଗୁ ଭାଷାରେ ଅର୍ଥ ମିଳିଯିବ। ଏହା ମୋର କଠିନ ପରିଶ୍ରମର ବାସ୍ତବ ଫଳ।”

ଆଜକୁ ୧୫୦ ବର୍ଷ ତଳେ ୧୮୭୨ ମସିହାରେ ହର୍ମନ ଗଣ୍ଡର୍ଟ ପ୍ରଥମ କରି ମାଲାୟାଲମ-ଇଂରାଜୀ ଶବ୍ଦକୋଷ ପ୍ରସ୍ତୁତ କରିଥିଲେ। ସବୁଠୁ ଖାସ୍ କଥା ହେଉଛି ହର୍ମନ ଯେତେବେଳେ ଏହି ଶବ୍ଦକୋଷ ତିଆରି କରିଥିଲେ ସେତେବେଳେ ସେ ମଧ୍ୟ ତାଳାସେରିରେ ଥିଲେ।ତେବେ ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ଶ୍ରୀଧରନ୍ ନିଜର ଔପଚାରିକ ସ୍କୁଲ ଶିକ୍ଷା ସମାପ୍ତ କରିନାହାନ୍ତି। ଚତୁର୍ଥ ଶ୍ରେଣୀରୁ ତାଙ୍କ ପାଠପଢ଼ାରେ ଡୋରି ବନ୍ଧା ହୋଇଥିଲା। କିନ୍ତୁ ସେ ବିଭିନ୍ନ ଭାଷା ଶିଖିବାକୁ ଭଲ ପାଉଥିଲେ, ଯାହାକି ତାଙ୍କୁ ଶବ୍ଦକୋଷ ତିଆରି କରିବାକୁ ପ୍ରେରଣା ଯୋଗାଇଥିଲା।

ଚତୁର୍ଥ ଶ୍ରେଣୀରୁ ସ୍କୁଲ ଛାଡ଼ିବା ପରେ ଶ୍ରୀଧରନ୍ ସ୍ଥାନୀୟ ଏକ ବିଡ଼ି ତିଆରି କାରଖାନାରେ କାମ କଲେ। ସେହିଠାରେ କାମ କରିବା ସମୟରେ ସେ ଅଷ୍ଟମ ମାନକ ସାର୍ବଜନିକ ପରୀକ୍ଷା (ଇଏସଏଲସି) ପାସ୍ କଲେ। ଏହାପରେ ତାଙ୍କୁ ପିଡବ୍ଲ୍ୟୁଡି ବିଭାଗରେ ଚାକିରି ମିଳିଗଲା। ଶ୍ରୀଧରନ୍ ୧୯୮୪ରୁ ଶବ୍ଦକୋଷ ଲେଖିବା ଆରମ୍ଭ କରିଦେଇଥିଲେ। ଅଫିସରୁ ଫେରି ଅବସର ସମୟରେ ସେ ଏହି କାମରେ ଲାଗିଯାଉଥିଲେ। ତେବେ ୧୯୯୪ ମସିହାରେ ଚାକିରିରୁ ଅବସର ନେବା ପରେ ସେ ନିଜର ସବୁ ସମୟ ଶବ୍ଦକୋଷ ଲେଖିବାରେ ଲଗାଇଦେଲେ।

ଏନେଇ ଶ୍ରୀଧରନ୍ କୁହନ୍ତି, “ମୁଁ ନିଜ କାମରେ ଘଣ୍ଟା ଘଣ୍ଟା ସମୟ ବିତାଉଥିଲି। ଏଥିରୁ ମୋତେ ବହୁତ ସନ୍ତୁଷ୍ଟି ଓ ଖୁସି ମିଳୁଥିଲା।”କୌଣସି ଔପଚାରିକ ଶିକ୍ଷା ନେଇନଥିବା ଶ୍ରୀଧରନ୍ ବହି ପଢ଼ିବା ସହ ବିଭିନ୍ନ ଜାଗା ବୁଲିବାକୁ ଭଲ ପାଉଥିଲେ। ଏହା ତାଙ୍କୁ ଦକ୍ଷିଣ ଭାରତୀୟ ଭାଷାଗୁଡ଼ିକୁ ଶିଖିବାରେ ସାହାଯ୍ୟ କରିଥିଲା। ତାଙ୍କର ଏହି କାମରେ ସ୍ଥାନୀୟ ଲୋକମାନେ ମଧ୍ୟ ବହୁତ ସାହାଯ୍ୟ କରିଥିଲେ।

“ସ୍ଥାନୀୟ ଲୋକଙ୍କ ସହ କଥା ହେବା ଦ୍ୱାରା ମୁଁ ଏହି ୪ଟି ଭାଷାକୁ ବହୁତ ଭଲ ଭାବେ ଶିଖିପାରିଲି। ମୁଁ ଶବ୍ଦକୋଷ ତିଆରି କରୁଛି ବୋଲି ଜାଣିବା ପରେ ଲୋକମାନେ ମୋତେ ବହୁତ ସାହାଯ୍ୟ କଲେ। ସବୁ ଜାଗାରେ ମୋତେ ସହଯୋଗ କଲେ”, କୁହନ୍ତି ଶ୍ରୀଧରନ୍।

ତେବେ ନିଜର ଏହି ସ୍ୱପ୍ନକୁ ବାସ୍ତବ ରୂପ ଦେବା ଶ୍ରୀଧରନଙ୍କ ପାଇଁ ଏତେ ସହଜ ନଥିଲା। ବେଳେବେଳେ ତାଙ୍କୁ ଶବ୍ଦର ଅର୍ଥ ଖୋଜିବା ପାଇଁ ବର୍ଷ ବର୍ଷ ଧରି ଗବେଷଣା କରିବାକୁ ପଡ଼ୁଥିଲା। ‘ବାମ୍ବୁ’ ଶବ୍ଦର ତେଲୁଗୁ ଅର୍ଥ ଖୋଜିବା ପାଇଁ ତାଙ୍କୁ ୬ ବର୍ଷ ଲାଗିଯାଇଥିଲା। ଏମିତି ଆହୁରି ଅନେକ ଶବ୍ଦର ଅର୍ଥ ଖୋଜିବା ପାଇଁ ତାଙ୍କୁ ସଂଘର୍ଷ କରିବାକୁ ପଡ଼ିଥିଲା।ନିଜର ଏହି ସଂଘର୍ଷକୁ ମନେପକାଇ ଶ୍ରୀଧରନ୍ କୁହନ୍ତି, “ଶବ୍ଦକୋଷ ତିଆରି କରିବା ଏକ ଖେଳ ପରି ଲାଗୁଥିଲା। ସମସ୍ତ ୪ ଗୋଟି ଭାଷାରେ ଅର୍ଥ ଖୋଜିବାର ରୋମାଞ୍ଚ ଅଦ୍ୱିତୀୟ ଥିଲା। ବେଳେବେଳେ ଅନେକ ଶବ୍ଦର ଅର୍ଥକୁ ମୁଁ ସ୍ୱପ୍ନରେ ଦେଖୁଥିଲି ଏବଂ ନିଦରୁ ଉଠି ସେଗୁଡ଼ିକୁ ଲେଖୁଥିଲି।”

ଏହି ଶବ୍ଦକୋଷ ଲେଖିବା ପରେ ପ୍ରକାଶକ ଖୋଜିବା ଶ୍ରୀଧରନଙ୍କ ପାଇଁ ଏକ ଚାଲେଞ୍ଜ ଥିଲା। କାରଣ ତାଙ୍କ ଶବ୍ଦକୋଷ ପ୍ରକାଶ କରିବାକୁ କୌଣସି ପ୍ରକାଶକ ରାଜି ହେଉନଥିଲେ। ଏଭଳି ସ୍ଥିତିରେ ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାତା ନନ୍ଦନ ନିଜ ଫିଲ୍ମ ‘ଡ୍ରିମିଂ ଅଫ୍ ଓ୍ୱର୍ଡ୍ସ’ରେ ଶ୍ରୀଧରନଙ୍କ ସଂଘର୍ଷ ଓ କାମକୁ ଦର୍ଶାଇବା ପାଇଁ ନିଷ୍ପତ୍ତି ନେଲେ। ଅନେକ ଘାତ ପ୍ରତିଘାତ ପରେ କେରଳର ସିନିୟର ସିଟିଜେନ ଫୋରମର ସାମୂହିକ ପ୍ରୟାସ ବଳରେ ନଭେମ୍ବର ୨୦୨୦ରେ ଏହି ଫିଲ୍ମ ନିର୍ମାଣ ସମ୍ପୂର୍ଣ୍ଣ ହୋଇଥିଲା। ବର୍ତ୍ତମାନ ଏହି ଫିଲ୍ମକୁ ସାରା ବିଶ୍ୱରେ ବିଭିନ୍ନ ଚଳଚ୍ଚିତ୍ର ସମାରୋହରେ ପ୍ରଦର୍ଶିତ କରାଯାଉଛି। ଖୁବଶୀଘ୍ର ଏହାକୁ ଅନଲାଇନରେ ଉପଲବ୍ଧ କରାଯିବ ବୋଲି ଫିଲ୍ମ ନିର୍ମାତା କହିଛନ୍ତି।

Comment