ଓଡ଼ିଶାଲାଇଭ୍ ବ୍ୟୁରୋ

ସୋଆ ପକ୍ଷରୁ ଦୁଇ ଦିନିଆ ଭର୍ଚୁଆଲ୍ କର୍ମଶାଳା ଆୟୋଜିତ।

ସ୍ଲରି ପାଇପ୍‌ଲାଇନ୍ ମାଧ୍ୟମରେ ଖଣିଜ ପଦାର୍ଥର ପରିବହନ ଦ୍ୱାରା ୯୭ ପ୍ରତିଶତ ପ୍ରଦୂଷଣ କମୁଛି। ତା’ସହିତ ଏହାଦ୍ୱାରା ୯୩ ପ୍ରତିଶତ ଶକ୍ତି ସଂରକ୍ଷଣ ମଧ୍ୟ ହୋଇପାରୁଛି ବୋଲି ସୋଆ ପକ୍ଷରୁ ଆୟୋଜିତ ଦୁଇ ଦିନିଆ ଆନ୍ତର୍ଜାତିକ ଭର୍ଚୁଆଲ୍ କର୍ମଶାଳାରୁ ଜଣାପଡ଼ିଛି ।

କୋଲକାତା ସ୍ଥିତ ଆଥା ଗ୍ରୁପ୍‌ର ମିଳିତ ସହଭାଗିତାରେ ଜାନୁଆରୀ ୮ ଏବଂ ୯ ଦୁଇ ଦିନ ଧରି ଚାଲିଥିବା ଏହି କର୍ମଶାଳାରେ ସାରା ବିଶ୍ୱରୁ ୮୦୦ରୁ ଅଧିକ ବିଶେଷଜ୍ଞ ଯୋଗ ଦେଇଥିଲେ। ଏଥିରେ ପାଇପଲାଇନ୍‌ର ପରିକଳ୍ପନା, ଇଞ୍ଜିନିୟରିଂ ଓ ନିର୍ମାଣ କାର୍ଯ୍ୟଦୃଷ୍ଟିରୁ ଦୂରଗାମୀ ପାଇପ୍‌ଲାଇନ୍ ସମ୍ପର୍କିତ ବିଷୟବସ୍ତୁକୁ ନେଇ ଆଲୋଚନା କରାଯାଇଥିଲା।ଏହି ସମ୍ମିଳନୀରେ ଉପସ୍ଥିତ ବକ୍ତାମାନେ ସୂଚନା ଦେଇଥିଲେ ଯେ, ଏପର୍ଯ୍ୟନ୍ତ ୭୩୮ କିଲୋମିଟର ଦୈର୍ଘ୍ୟ ଓ ବାର୍ଷିକ ୨୪ ଲକ୍ଷ ଟନ୍ କ୍ଷମତାର ପାଇପ୍‌ଲାଇନ୍ ନିର୍ମାଣ କରାଯାଇଛି। ୩୫୦୦ କିଲୋମିଟର ଦୈର୍ଘ୍ୟର ଓ ବାର୍ଷିକ ୨ କୋଟି ଟନ୍ କ୍ଷମତାର ପାଇପ୍‌ଲାଇନ୍ ନିର୍ମାଣ ନିମନ୍ତେ ପ୍ରସ୍ତାବ ରଖାଯାଇଥିବା ବକ୍ତାମାନେ ସୂଚନା ଦେଇଛନ୍ତି।

ବିଶ୍ୱବ୍ୟାପୀ ୩୦ କୋଟି ଟନ୍‌ର ଖଣିଜ ପଦାର୍ଥ ଏବଂ କୋଇଲା ସ୍ଲରି ପାଇପ୍‌ଲାଇନ୍ ଦ୍ୱାରା ପରିବହନ କରାଯାଉଛି। ବାତ୍ୟା, ବନ୍ୟା, ଭୂମିକମ୍ପ ଏବଂ ଅନ୍ୟାନ୍ୟ ମଣିଷ କୃତ ସମସ୍ୟା ଯୋଗୁଁ ଏହି ପରିବହନ ଉପରେ କୌଣସି ପ୍ରଭାବ ପଡୁନାହିଁ। ଏପରିକି ଏହି ପରିବହନ ସମୟରେ ବ୍ୟବହାର ହେଉଥିବା ୮୫ ରୁ ୯୦ ପ୍ରତିଶତ ଜଳ ପୁଣି ଥରେ ବ୍ୟବହାର ହୋଇପାରିବ। ସାରା ବିଶ୍ୱର ବିଭିନ୍ନ ପ୍ରକାର ଖଣିଜ ଦ୍ରବ୍ୟ ଯେପରିକି ଲୁହା ପଥର, କୋଇଲା, ବକ୍‌ସାଇଟ୍‌, ଲିଡ୍‌, ଜିଙ୍କ୍‌, କପର୍‌, ରକ୍ ଫସ୍‌ପେଟ, ଫ୍ଲାଇଆସ୍ ଏବଂ ଖଣିରୁ ବାହାରିଥିବା ପଦାର୍ଥ ଏହି ପାଇପ୍‌ଲାଇନ୍ ଦ୍ୱାରା ପରିବହନ କରାଯାଇପାରିବ ବୋଲି ଅତିଥିମାନେ କହିଥିଲେ।

୨୪ ଜଣ ବକ୍ତାଙ୍କ ମଧ୍ୟରୁ ଆମେରିକା,କାନାଡା, ବ୍ରାଜିଲ୍‌, ଚିଲି, ଜର୍ମାନୀ, ନେଦରଲ୍ୟାଣ୍ଡସ ଏବଂ ଅଷ୍ଟ୍ରେଲିଆରୁ ୧୪ ଜଣ ଯୋଗ ଦେଇଥିବାବେଳେ ଅନ୍ୟ ସମସ୍ତ ବିଶେଷଜ୍ଞ ଭାରତୀୟ ଥିଲେ ବୋଲି ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here