ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଶନିବାରଠୁ ଦେଶବ୍ୟାପୀ ଟିକାକରଣ
  • ଉଦଘାଟନ କରିବେ ନରେନ୍ଦ୍ର ମୋଦୀ
  • ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ ନେବେ ଟିକା
  • ଗର୍ଭବତୀ ମହିଳାଙ୍କୁ ଟିକା ମନା

ରାତି ପାହିଲେ ଦେଶବ୍ୟାପୀ ଆରମ୍ଭ ହୋଇଯିବ କୋଭିଡ ଟିକାକରଣ। ଏଥିପାଇଁ ବେଶ ଉତ୍ସାହିତ ଅଛନ୍ତି ଦେଶବାସୀ। ତେବେ ଆପଣ ଜାଣନ୍ତି କି ଏହି ଟିକାକରଣ ଅଭିଯାନରେ କେଉଁମାନେ ସାମିଲ ହେବେ, କେଉଁମାନଙ୍କୁ ଏଥରୁ ବାରଣ କରାଯାଇଛି?

ଟିକାକରଣକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏକ ମାର୍ଗଦର୍ଶିକା ଜାରି କରିଛି। ଏଥିରେ କୁହାଯାଇଛି, ଯେଉଁମାନଙ୍କଠାରେ କୋଭିଡ ସଂକ୍ରମଣର ସକ୍ରିୟ ଲକ୍ଷଣ ଦେଖାଯାଉଥିବା, ସେମାନଙ୍କୁ ଟିକା ଦିଆଯିବ ନାହିଁ। ସେମାନଙ୍କୁ ଟିକା ନେବା ପାଇଁ ହେଲେ ସୁସ୍ଥ ହେବାର ୪ରୁ ୮ ସପ୍ତାହ ଯାଏଁ ଅପେକ୍ଷା କରିବାକୁ ପଡ଼ିବ।

ଗର୍ଭବତୀ କିମ୍ବା ସ୍ତନ୍ୟପାନ କରାଉଥିବା ମହିଳା ମଧ୍ୟ ଟିକା ନେବେ ନାହିଁ।

୧୮ ବର୍ଷ କିମ୍ବା ତା’ଠୁ ଉପର ବୟସ ହୋଇଥିବା ଲୋକମାନେ ଟିକା ନେଇପାରିବେ। ସେହିପରି କରୋନା ଟିକାକରଣ ବେଳେ ହିତାଧିକାରୀଙ୍କୁ ଅନ୍ୟ କୌଣସି ଟିକା ନେବାର ଥାଏ ତେବେ ଏଥିପାଇଁ ତାଙ୍କୁ ୧୪ ଦିନ ବ୍ୟବଧାନ ରଖିବାକୁ ପଡ଼ିବ।

କରୋନା ଟିକା ପ୍ରଥମ ଡୋଜ ଦିଆଯିବା ପରେ ୪ ସପ୍ତାହ ପରେ ଏହାର ଦ୍ୱିତୀୟ ଡୋଜ ଦିଆଯିବ। ଉଭୟ କୋଭିସିଲ୍ଡ ଓ କୋଭାକ୍ସିନ ପାଇଁ ଏହି ସମାନ ନିୟମ ରହିଛି।

ପ୍ରଥମ ଡୋଜ ଟିକା ନେବା ପରେ ଯଦି କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଗଲା ତେବେ ଦ୍ୱିତୀୟ ଡୋଜ ଦିଆଯିବ ନାହିଁ।

ପୂର୍ବରୁ ଆଣ୍ଟି ସାର୍ସ କୋଭ ୨ ମନୋକ୍ଲୋନାଲ ଆଣ୍ଟିବଡି ଅଥବା ପ୍ଲାଜମା ଗ୍ରହଣ କରିଥିବା କରୋନା ରୋଗୀଙ୍କୁ ବି ଟିକାକରଣ ଅଭଯାନରେ ସାମିଲ କରାଯିବ ନାହିଁ। ସେମାନେ ବି ସୁସ୍ଥ ହେବାର ୪ରୁ ୮ ସପ୍ତାହ ପରେ ଯାଇ ଟିକା ନେଇପାରିବେ।

କୌଣସି ରୋଗରେ ପୀଡ଼ିତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବ୍ୟକ୍ତି ସୁସ୍ଥ ହେବା ପରେ ଟିକାକରଣରେ ସାମିଲ ହୋଇପାରିବେ।

ସେହିପରି ଏଚଆଇଭି ରୋଗୀଙ୍କୁ କରୋନା ଟିକା ଦିଆଯାଇପାରିବ। କିନ୍ତୁ ଏମାନଙ୍କଠାରେ ଟିକାର ପ୍ରଭାବ କମ୍‌ ଦେଖାଯାଇପାରେ।

ପୂର୍ବରୁ କରୋନା ଆକ୍ରାନ୍ତ ହୋଇଥିବା ବା ଆରଟିପିସିଆର ପଜିଟିଭ ଥିବା ଲୋକ ଟିକା ନେଇପାରିବେ।

ହୃଦରୋଗ, ସ୍ନାୟବିକ, ପଲ୍‌ମନାରି ବା କିଡନି ଭଳି ବିଭିନ୍ନ ଦୂରାରୋଗରେ  ପୀଡ଼ିତ ଥିବା ଲୋକଙ୍କୁ ଡୋଜ ମିଳିବ।

କୋଭିସିଲ୍ଡ ଟିକାର ପ୍ରତି ଭାଏଲରେ ୧୦ଟି ଡୋଜ ରହିଥିବା ବେଳେ କୋଭାକ୍ସିନ ଟିକାର ଗୋଟିଏ ଭାଏଲରେ ୨୦ଟି ଡୋଜ ରହିଛି। ଏହି ଟିକା ୬ ମାସ ପର୍ଯ୍ୟନ୍ତ ସୁରକ୍ଷିତ ମହଜୁଦ ରହିପାରିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ମାର୍ଗଦର୍ଶିକାରେ କୁହାଯାଇଛି।

Comment