ଓଡ଼ିଶାଲାଇଭ୍ ବ୍ୟୁରୋ
ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ ଆଜିଠାରୁ ନିଜର କାର୍ଯ୍ୟଭାର ସମ୍ଭାଳିବେ। ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ରର ରାଷ୍ଟ୍ରପତି ଭାବେ ଶପଥ ନେଇ ସେ ତାଙ୍କ କାମ ଆରମ୍ଭ କରିବେ। ତେବେ ଜୋ ବାଇଡେନ କିଏ, ଓ ତାଙ୍କର ରାଜନୈତିକ ଯାତ୍ରା କିଭଳି ରହିଛି ଆସନ୍ତୁ ଜାଣିବା…
ଜୋ ବାଇଡେନ୍ଙ୍କ ଜନ୍ମ ୧୯୪୨ ମସିହା ନଭେମ୍ବର ୨୦ ତାରିଖରେ ହୋଇଥିଲା। ତାଙ୍କ ପୂରା ନାଁ ଜୋସେଫ ରୋବିନଟ ବାଇଡେନ। ଜୁନିୟର ଆମେରିକାର ବିଭିନ୍ନ ସହରରେ ନିଜର ପିଲାଦିନ ବିତାଇବା ପରେ ବାଇଡେନ୍ ଆଇନ ପାଠ ପଢ଼ିବା ପାଇଁ ଦିଲାୱାରେ ବିଶ୍ୱବିଦ୍ୟାଳୟରେ ନାମ ଲେଖାଇଥିଲେ। ସେଠାରେ ସେ ୧୯୬୮ ମସିହାରେ ସଫଳତାର ସହ ଆଇନ୍ ପାଠ ଶେଷ କରି ଡିଗ୍ରୀ ହାସଲ କରିଥିଲେ।
୧୯୭୦ରୁ ଆରମ୍ଭ ହୋଇଥିଲା ରାଜନୈତିକ କ୍ୟାରିୟର
ବାଇଡେନ୍ଙ୍କ ରାଜନୈତିକ ଜୀବନ ୧୯୭୦ ମସିହାରୁ ଆରମ୍ଭ ହୋଇଥିଲା। ପ୍ରଥମ କରି ସେ ସେହିବର୍ଷ ‘ନ୍ୟୁ କାସେଲ କଣ୍ଟ୍ରି କାଉନସିଲ୍’କୁ ନିର୍ବାଚିତ ହୋଇଥିଲେ। ଏହାପରେ ସେ ୧୯୭୨ ମସିହାରେ ପ୍ରଥମ କରି ଆମେରିକାର ସିନେଟକୁ ନିର୍ବାଚିତ ହୋଇଥିଲେ। ସିନେଟରେ ବାଇଡେନ୍ ଦୀର୍ଘ ବର୍ଷ ଧରି ବୈଦେଶିକ ବ୍ୟାପାର କମିଟିରେ ରହିବା ସହିତ ଏହି କମିଟିର ସଭାପତି ମଧ୍ୟ ହୋଇଥିଲେ। ଏହାସହ ଆମେରିକା ସିନେଟର ବିଭିନ୍ନ କମିଟିରେ ମଧ୍ୟ ବାଇଡେନ୍ ସଦସ୍ୟ ରହିଆସିଥିଲେ।
ଡ୍ରେମୋକ୍ରାଟିକ୍ ଦଳର ଏହି ନେତା ଜଣକ ସିନେଟକୁ ଛଅ ଥର ପାଇଁ ନିର୍ବାଚିତ ହୋଇଥିଲେ। ଏହାପରେ ତାଙ୍କୁ ୨୦୦୮ ମସିହାରେ ଦଳ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ବାଛିଥିଲା। ବାରାକ୍ ଓବାମାଙ୍କ ନେତୃତ୍ୱରେ ସେହିଥର ଡ୍ରେମୋକ୍ରାଟିକ୍ ଦଳ ବିଜୟୀ ହେବା ସହ ଆମେରିକାର ୪୭ ତମ ଉପରାଷ୍ଟ୍ରପତି ହୋଇଥିଲେ ଜୋ ବାଇଡେନ୍। ଏହାପରେ ୨୦୧୨ ମସିହାରେ ଉଭୟ ଓବାମା ଓ ବାଇଡେନ୍ ଆମେରିକାର ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ଭାବେ ପୁନଃ ନିର୍ବାଚିତ ହୋଇଥିଲେ।ଏହାପରେ ୨୦୧୬ ମସିହାରେ ଡେମୋକ୍ରାଟିକ୍ ଦଳ ଟ୍ରମ୍ପଙ୍କ ବିରୋଧରେ ହେନେରି କ୍ଲିଣ୍ଟନଙ୍କୁ ପ୍ରାର୍ଥୀ କରିଥିଲା। ହେଲେ ଦୁର୍ଭାଗ୍ୟବଶତଃ ହେନେରି କ୍ଲିଣ୍ଟନ ଟ୍ରମ୍ପଙ୍କଠାରୁ ହାରିଯାଇଥିଲେ।
୨୦୨୦ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ରିପବ୍ଲିକାନ ଦଳ ବର୍ତ୍ତମାନର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ପ୍ରାର୍ଥୀ କରିଥିଲା। ଟ୍ରମ୍ପଙ୍କୁ ଟକ୍କର ଦେବା ପାଇଁ ଡେମୋକ୍ରାଟିକ୍ ଦଳ ନିଜର ସବୁଠୁ ଟାଣୁଆ ନେତା ଜୋ ବାଇଡେନ୍ଙ୍କୁ ପ୍ରାର୍ଥୀ କରିଥିଲା। ଏହାପରେ ଗତକାଲି ବାଇଡେନ୍ ଆମେରିକାର ନୂଆ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି।
୧୯୭୨ ମସିହାରେ ଏକ କାର୍ ଦୁର୍ଘଟଣାରେ ପତ୍ନୀ ଏବଂ ଝିଅଙ୍କର ମୃତ୍ୟୁ ଘଟିଥିଲା। ଏହି ଦୁଃଖରୁ ବାହାରିବା ପୂର୍ବରୁ ବାଇଡେନଙ୍କ ପୁଅ ବ୍ରେନ୍ କ୍ୟାନସରରେ ପ୍ରାଣ ହରାଇଥିଲେ। ଏହି ଘଟଣା ବାଇଡେନଙ୍କ ଜୀବନକୁ ଦୋହଲାଇ ଦେଇଥିଲା। ଏହାପରେ ୫ ବର୍ଷ ପରେ ସେ ଦ୍ୱିତୀୟ ବିବାହ କରିଥିଲେ।