ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଗଣତନ୍ତ୍ର ଦିବସରେ ଚାଷୀଙ୍କ ଟ୍ରାକ୍ଟର ରାଲି
  • ଦିଲ୍ଲୀ ସୀମାରେ ବିଭିନ୍ନ ସ୍ଥାନରେ ଭଙ୍ଗାରୁଜା
  • ବ୍ୟାରିକେଡ ଭାଙ୍ଗିଲେ ଚାଷୀ
  • ଚାଷୀଙ୍କୁ ଅଟକାଇବା ବେଳେ ଧସ୍ତାଧସ୍ତି

ଦିଲ୍ଲୀରେ ମୁହାଁମୁହିଁ ହେଲେ ଚାଷୀ ଓ ପୋଲିସ। ପୋଲିସ ଲଗାଇଥିବା ନିୟମ ଭାଙ୍ଗି ଚାଷୀ ଦିଲ୍ଲୀ ଭିତରକୁ ପ୍ରବେଶ କରିଥିବାରୁ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଯାଇ ପୋଲିସ ଲାଠିଚାର୍ଜ କରିବା ସହିତ ଲୁହବୁହା ଗ୍ୟାସର ପ୍ରୟୋଗ କରିଛି। ତଥାପି ଆନ୍ଦୋଳନରତ ଚାଷୀଙ୍କୁ ଅଟକାଇବାରେ ସଫଳ ହୋଇନି ପୋଲିସ। ଏହି ଧସ୍ତାଧସ୍ତିରେ କେତେକ ପୋଲିସ ଆହତ ହୋଇଥିଲା ବେଳେ କିଛି ଚାଷୀ ମଧ୍ୟ ଆହତ ହୋଇଛନ୍ତି।

ଅନ୍ୟପଟେ ଆନ୍ଦୋଳନରତ ଚାଷୀ ସେଣ୍ଟ୍ରାଲ ଆଇଟିଓରେ ସରକାରୀ ବସ୍ ଭଙ୍ଗାରୁଜା କରିବା ସହିତ ପୋଲିସ ଓ ସାମ୍ବାଦିକଙ୍କ ଉପରକୁ ଆକ୍ରମଣ କରିଥିବା ଜଣାପଡ଼ିଛି। ଏହାରି ମଧ୍ୟରେ କିଛି ଆନ୍ଦୋଳନରତ ଚାଷୀ ଦିଲ୍ଲୀ ଲାଲକିଲ୍ଲାରେ ମଧ୍ୟ ପହଞ୍ଚିସାରିଛନ୍ତି। କେନ୍ଦ୍ର ସରକାରଙ୍କ ନୃଆ କୃଷି ଆଇନ ବିରୋଧରେ ନାରାବାଜି କରିବା ସହିତ ଚାଷୀମାନେ ଏଠାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏହାସହିତ ଲାଲକିଲ୍ଲା ଦୁର୍ଗକୁ ଚଢ଼ି ଆନ୍ଦୋଳନକାରୀ ପତାକା ଦେଖାଇଛନ୍ତି। ଏପଟେ ଚାଷୀଙ୍କୁ ଆଇନକୁ ହାତକୁ ନନେବା ପାଇଁ ପୋଲିସ ଅପିଲ କରିଛି।

ଜାନୁଆରି ୨୬ରେ ଚାଷୀଙ୍କ ଟ୍ରାକ୍ଟର ରାଲିକୁ ସର୍ତ୍ତମୂଳକ ଭାବେ ଦିଲ୍ଲୀ ପୋଲିସ ଅନୁମତି ଦେଇଥିଲା। ଗଣତନ୍ତ୍ର ଦିବସରେ ଚାଷୀମାନେ ସିଙ୍ଘୁ, ଟିକ୍ରି ଓ ଘାଜିପୁର ସୀମାରୁ ଟ୍ରାକ୍ଟର ଶୋଭାଯାତ୍ରା ବାହାର କରିବାକୁ ପୋଲିସ କହିଥିଲା। ଶାନ୍ତିପୂର୍ଣ୍ଣ ଭାବେ ଚାଷୀମାନେ ରାଲି କରିବେ ବୋଲି ପୋଲିସ କହିଥିଲା। କିନ୍ତୁ ଆଜି ପରିସ୍ଥିତି ପୂରା ଅଲଗା ଦେଖିବାକୁ ମିଳିଛି। ଦିଲ୍ଲୀର ବିଭିନ୍ନ ସ୍ଥାନରେ ବ୍ୟାପକ ଭଙ୍ଗାରୁଜା ହେବା ସହିତ ହିଂସାକାଣ୍ଡ ଦେଖିବାକୁ ମିଳିଛି।

କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ ବିରୋଧରେ ଚାଷୀମାନେ ଗତ ୬୦ ଦିନ ହେଲା ଦିଲ୍ଲୀ ସୀମାରେ ଧାରଣାରେ ବସିଛନ୍ତି। ସରକାର ଓ ଚାଷୀଙ୍କ ଭିତରେ ବାରମ୍ବାର ବୈଠକ ହେବା ପରେ ମଧ୍ୟ କୌଣସି ସମାଧାନର ବାଟ ବାହାରି ପାରିନାହିଁ। ଏହି ଆଇନକୁ ବିରୋଧ କରିବାକୁ ଯାଇ ଚାଷୀମାନେ ଟ୍ରାକ୍ଟର ରାଲି ଆୟୋଜନ କରିଛନ୍ତି।

ଗୋଟିଏ ପଟେ ଗଣତନ୍ତ୍ର ଦିବସରେ ଦିଲ୍ଲୀରେ ଭବ୍ୟ କାର୍ଯ୍ୟକ୍ରମ ଓ ଅନ୍ୟପଟେ ଚାଷୀଙ୍କ ଟ୍ରାକ୍ଟର ରାଲି ଏବେ ଦେଶର ଛବିକୁ ଅନ୍ତର୍ଜାତୀୟ ସ୍ତରରେ ମଳିନ କରିଛି ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି।

Comment