ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇପିଏଲ ୨୦୨୧ ପାଇଁ ଗୁରୁବାର ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ପ୍ରକ୍ରିୟାରେ ଆଇପିଏଲ ଇତିହାସର ସବୁ ରେକର୍ଡ ଭାଙ୍ଗି ସର୍ବାଧିକ ୧୬.୨୫ କୋଟି ଟଙ୍କାରେ ନିଲାମ ହୋଇଛନ୍ତି ଦକ୍ଷିଣ ଆଫ୍ରିକାର ଅଲରାଉଣ୍ଡର କ୍ରିସ ମୋରିସ୍। ରାଜସ୍ଥାନ ରୟାଲ୍ସ ଟିମ୍‌କୁ ଯାଇଛନ୍ତି ମୋରିସ୍। ପୂର୍ବରୁ ଯୁବରାଜ ସିଂ ଆଇପିଏଲର ସବୁଠୁ ଦାମୀ ଖେଳାଳି ଥିଲେ। ଦିଲ୍ଲୀ ଟିମ୍ ତାଙ୍କୁ ସର୍ବାଧିକ ୧୬ କୋଟି ଟଙ୍କାରେ କିଣିଥିଲା।

ମୋରିସ୍‌ଙ୍କୁ କିଣିବା ପାଇଁ ଫ୍ରାଞ୍ଚାଇଜମାନଙ୍କ ଭିତରେ ପ୍ରତିଦ୍ୱନ୍ଦ୍ୱିତା ଲାଗିଥିବାବେଳେ, ଶେଷରେ ବାଜି ମାରିଲା ରାଜସ୍ଥାନ ରୟାଲ୍ସ। ପୂର୍ବବର୍ଷ ସେ ୧୦କୋଟି ଟଙ୍କାରେ ବିକ୍ରି ହୋଇଥିଲେ। କିନ୍ତୁ ଚଳିତ ବର୍ଷ ଭଲ ପ୍ରଦର୍ଶନ ପାଇଁ ତାଙ୍କୁ ସର୍ବାଧିକ ଦାମ୍‌ରେ କିଣିଛି ରାଜସ୍ଥାନ ରୟାଲ୍ସ।ସେହିପରି ଆରସିବି ପଟକୁ ଯାଇଛନ୍ତି ଅଷ୍ଟ୍ରେଲିଆ କ୍ରିକେଟ ଟିମ୍‌ର ଷ୍ଟାର ଖେଳାଳି ମ୍ୟାକ୍ସଓ୍ଵେଲ୍। ଏଥର ଆଇପିଏଲ ଟ୍ରଫିକୁ ନିଜ ଖାତାକୁ ଆଣିବା ପାଇଁ ଆରସିବି ମ୍ୟାକ୍ସଓ୍ଵେଲଙ୍କୁ କିଣିଛି। ପୂର୍ବରୁ ସେ କିଙ୍କ୍ସ ଏକାଦଶ ପଞ୍ଜାବ ଦଳରେ ଖେଳୁଥିଲେ।

ଗୁରୁବାର ଆରମ୍ଭ ହୋଇଥିବା ନିଲାମ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି ୮ଟି ଫ୍ରାଞ୍ଚାଇଜ୍ ଦଳ ଏବଂ ୨୯୨ଜଣ ଖେଳାଳି। ଏଥିମଧ୍ୟରୁ ଭାରତର ୧୬୪ ଜଣ କ୍ରିକେଟର ରହିଛନ୍ତି।

କରୋନା ସଙ୍କଟର ଅନିଶ୍ଚିତତା ମଧ୍ୟରେ ଆରବର୍ଷ ଆଇପିଏଲ ହୋଇଥିଲା। ଦୁବାଇରେ ସମସ୍ତ ମ୍ୟାଚ୍ ଖେଳା ଯାଇଥିଲା। ମହାମାରୀ ପାଇଁ ମ୍ୟାଚ୍‌କୁ ବିନା ଦର୍ଶକରେ କରିବାକୁ ପଡ଼ିଥିଲା। ତେଣୁ ୨୦୨୧ ଆଇପିଏଲକୁ ସମସ୍ତଙ୍କ ନଜର ରହିଛି।

Comment