ଓଡ଼ିଶାଲାଇଭ୍ ବ୍ୟରୋ
(ନବରଙ୍ଗପୁରରୁ କୁନା ପାତ୍ର): ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବା ପରେ ଓଡ଼ିଶାରେ ନିୟମ କଡ଼ାକଡ଼ି କରାଯାଇଛି। କଟକରେ ପୁଣିଥରେ ମାସ୍କ ଯାଞ୍ଚ ଆରମ୍ଭ ହୋଇଥିଲା ବେଳେ ଏବେ ନବରଙ୍ଗପୁରରେ ମଧ୍ୟ ନିୟମ କଡ଼ାକଡ଼ି ହୋଇଛି। ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାରେ ମାସ୍କ ଯାଞ୍ଚ ଆରମ୍ଭ ହୋଇଛି।
ନବରଙ୍ଗପୁର ମ୍ୟୁନିସିପାଲିଟି, ରାଜସ୍ୱ ବିଭାଗ ଏବଂ ପୋଲିସର ମିଳିତ ଭାବେ ସୋମବାର ଏହି ଯାଞ୍ଚ କରାଯାଉଛି। ପ୍ରଥମ ଦିନର ସକାଳ ୧୦ ଟାରୁ ୨ଟା ମଧ୍ୟରେ ୨୧୦୦୦ ଟଙ୍କା ଜରିମାନା ଆଦାୟ ହୋଇଥିବା ସୂଚନା ମିଳିଛି। ଏହାସହିତ କୋଭିଡର ନୂତନ ନିୟମ ଉପରେ ପ୍ରଶାସନର ଡାକ ବାଜି ଯନ୍ତ୍ର ଦ୍ୱାରା ଜନସାଧାରଣଙ୍କୁ ସଚେତନତା କରାଯାଇଥିଲା।
ଗତ କିଛି ଦିନ ହେବ ଅମାନିଆମାନେ ଆଉ ମାସ୍କ ପରିଧାନ କରୁନଥିବା ସହ ଶାରୀରିକ ଦୂରତା ମଧ୍ୟ ରକ୍ଷା କରୁନଥିବା ଦେଖିବାକୁ ମିଳିଥିଲା। ଦୋକାନ ବଜାରରେ ମଧ୍ୟ ନାହିଁ ନଥିବା ଭିଡ଼ ଦେଖାଯାଉଥିଲା।
ଆଜିର ଏହି ଯାଞ୍ଚ ସମୟରେ ନବରଙ୍ଗପୁର ତହସିଲଦାର ରବିନ୍ଦ୍ର ରାଉତ, ନବରଙ୍ଗପୁର ପୌର ନିର୍ବାହୀ ଅଧିକାରୀ ଗୌର ଚନ୍ଦ୍ର ପଟ୍ଟନାୟକ, ନବରଙ୍ଗପୁର ଥାନା ଅଧିକାରୀ ତାରିକ ଅହମ୍ମଦ , ଇନ୍ସପେକ୍ଟର ରାମେଶ୍ୱର ପ୍ରଧାନ, ରମାନନ୍ଦ ପ୍ରଧାନ, ରାଜୁ ବେହେରା ପ୍ରମୁଖଙ୍କ ସମେତ ନବରଙ୍ଗପୁର ମ୍ୟୁନିସିପାଲିଟି କର୍ମଚାରୀ ଏବଂ ବହୁ ପୋଲିସ କର୍ମଚାରୀ ଉପସ୍ଥିତ ରହିଥିଲେ।


















